ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ହୋଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ ଯୋଗ ଦେଇଥିଲେ।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ଦୁଇ ବର୍ଷର କାର୍ଯ୍ୟକାଳ ପରେ ନଭେମ୍ବର ୧୦ ତାରିଖରେ ଅବସର ନେଇଥିଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ସେ କିଛି ଦିନ ତଳେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ପାଇଁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ।
ତେବେ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ସେ ୨୦୨୫ ମେ’ ୧୩ ତାରିଖରେ ଅବସର ଗ୍ରହଣ କରିବେ।
ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀର ତିଶ ହଜାରି କୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ।
ସେ ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ହୋଇଥିଲେ। ୨୦୦୬ ମସିହାରେ ତାଙ୍କୁ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୯ ମସିହାରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା।
Tags: #JusticeSanjivKhanna #CJI #SupremeCourt #India