ନାରାୟଣ ସାହାଣୀ

ଆପଣଙ୍କ ଘରର ଚଟାଣ ତଳେ ଠାକୁରଙ୍କ ସୁନା ମୂର୍ତ୍ତି ରହିଛି। ତାଙ୍କୁ ଉଦ୍ଧାର କରାନଗଲେ ଆପଣଙ୍କ ପରିବାରରେ ଆଗକୁ ବହୁ ଅନିଷ୍ଟ କରିବେ ଏହି ଠାକୁର। ଖାଲି ସୁନା ମୂର୍ତ୍ତି ନୁହେଁ ଆପଣଙ୍କ ଘରର ମାଟି ତଳେ ପୋତା ହୋଇଛି ସୁନା ଗରା। ପୂଜା ପାଠ କରି ମାଟିତଳୁ ଏହି ସୁନାଗରାକୁ ଉଦ୍ଧାର କରିପାରିଲେ ଆପଣ ବନିଯିବେ କୋଟିପତି। ଏହି ସୂତ୍ର କାହାରି ନିକଟରେ ପ୍ରଘଟ କଲେ ସବୁ ବିଗିଡ଼ି ଯିବାର ସମ୍ଭାବନା ରହିଛି।

ଧର୍ମାନ୍ଧ ଲୋକମାନଙ୍କୁ ଇମୋସନାଲ ବ୍ଲାକ ମେଲିଂ କରିବା ସହିତ ଲୋଭୀମାନଙ୍କୁ କୋଟିପତି କରିବା ନିଶା କଥାର ବଟିକା ଦେଇ ଏମିତି ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଠକ ଦମ୍ପତ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ପୋଲିସ ଅଟକ ରଖି ଜବତ ହୋଇଛି ୯୭ ହଜାର ଟଙ୍କା।

କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅନ୍ତର୍ଗତ ଶଙ୍ଖପଦା ଗାଁରେ କିଛିଦିନ ତଳେ ପହଞ୍ଚିଥିଲେ ଏକ ଦମ୍ପତି। ଗାଁର ଯୁଧିଷ୍ଠିର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ଜଣେ ସମ୍ପର୍କୀୟ ଏହି ଦମ୍ପତ୍ତିଙ୍କୁ ତାଙ୍କ ଘରେ ପହଞ୍ଚାଇଥିଲେ। ଏହି ଦମ୍ପତି ଅତ୍ୟନ୍ତ ଧର୍ମ ପରାୟଣ ଓ ବହୁ ତନ୍ତ୍ରମନ୍ତ୍ର ସାଧକ ବୋଲି ସମ୍ପର୍କୀୟଙ୍କ ଠାରୁ ଜାଣିଲେ ଯୁଧିଷ୍ଠିର। ଯୁଧିଷ୍ଠିରଙ୍କ ପରିବାରରେ ଲାଗିରହୁଥିଲା ବିଭିନ୍ନ ସମସ୍ୟା।

ଯେତେ ରୋଜଗାର କରୁଥିଲେ ମଧ୍ୟ ସବୁବେଳେ ଅଭାବ ଲାଗି ରହୁଥିଲା। ଘରେ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଲାଗି ରହୁଥିଲା କଳହ। ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲେ ଯୁଧିଷ୍ଠିର। ଯୁଧିଷ୍ଠିରଙ୍କର ଏସବୁ ସମସ୍ୟା ଶୁଣିବାପରେ ତାନ୍ତ୍ରିକ ଦମ୍ପତି ତାଙ୍କର କାରାସାଦି ଆରମ୍ଭ କରିଦେଲେ। ଯୁଧିଷ୍ଠିରଙ୍କୁ ଭୟଭୀତ କରିବାକୁ ଆରମ୍ଭ କଲେ ଇମୋସନାଲ ବ୍ଲାକ ମେଲିଂ।

ତତକ୍ଷଣାତ ଘରର ଚାରିପଟ ବୁଲିଆସିଲେ ଏହି ଦମ୍ପତ୍ତି। ଯୁଧିଷ୍ଠିରଙ୍କୁ କହିଲେ କିଆପଣଙ୍କ ପରିବାର ଏବେ ସୁଦ୍ଧା ବହୁ ଦୁଃଖ କଷ୍ଟ ସହିଲାଣି। ପରିବାରରେ ବହୁ ରୋଜଗାର ହେଉଥିଲେ ବି ଶାନ୍ତି ରହୁନି। ସବୁ ଟଙ୍କା ପଇସା ଅପବ୍ୟୟ ହେବାରେ ଲାଗିଛି। ଘରେ ସବୁବେଳେ ପରିବାର ଲୋକଙ୍କ ମଧ୍ୟରେ ମତଭେଦ ଓ ଦ୍ୱନ୍ଦ୍ୱ ଏବେ ଚରମ ସୀମାରେ ପହଞ୍ଚିଲାଣି। ଖୁବ ଶୀଘ୍ର ଘରେ ଆରମ୍ଭ ହେବାକୁ ଯାଉଛି ବିଷମ ସମସ୍ୟା। ଏମିତି ସମସ୍ୟା ହେବାକୁ ଯାଉଛି କି ଘରୁ କୌଣସି ମୁଣ୍ଡ ଚାଲିଯାଇପାରେ।

ସାଧକଙ୍କ ଠାରୁ ଏସବୁ ଶୁଣି ମାନସିକ ଭାରାକ୍ରାନ୍ତ ହୋଇ ପଡ଼ିଲେ ସାରା ପରିବାର। ଏହି ସମସ୍ୟାରୁ ଉଦ୍ଧାର ହେବା ପାଇଁ ଉପାୟ କ’ଣ ବୋଲି ଯୁଧିଷ୍ଠିର ପଚାରିଥିଲେ ସାଧକଙ୍କୁ। ସାଧକ କିଛି ସମୟ ସାଧନା ଭାଙ୍ଗିରେ ବସି କହିଲେ କି ଯୁଧିଷ୍ଠିର ବାବୁ ଆପଣଙ୍କ ଏହି ଘରର ମାଟିତଳେ ରହିଛନ୍ତି ସୁନାର ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି। ଯାହା ଉପରେ ଆପଣ ମାନେ ଚଲାବୁଲାଠାରୁ ଆରମ୍ଭ କରି ମାଛ ମାଂସ ଖାଇବା ସହିତ ବହୁ ଅନ୍ୟାୟ ଅତ୍ୟାଚାର କରିଆସୁଛନ୍ତି।

ଠାକୁରଙ୍କ କୋପରେ ଏସବୁ ଘଟି ଚାଲିଛି। ତାଙ୍କୁ ମାଟିତଳୁ ଉଦ୍ଧାର ନକରିଲେ ଆପଣଙ୍କ ପରିବାରେ କୌଣସି ଏକ ବଡ଼ ଅଘଟଣ ଘଟିଯାଇପାରେ। ଏଥିପାଇଁ ପୂଜା ପାଠ କରାଯିବ। ମାଟିତଳୁ ଠାକୁର ଠାକୁରାଣୀଙ୍କ ମୂର୍ତ୍ତି ବାହାରିବା ସହିତ ଏହି ଘରର ତଳେ ଏକ ସୁନାଗରା ପୋତା ହୋଇ ରହିଛି ତାକୁ ବି ଉଦ୍ଧାର କରିଦେଲେ ଆପଣଙ୍କ ପରିବାର ହସଖୁସିରେ ଚାଲିବ।

ମୂର୍ତ୍ତି ଉଦ୍ଧାର ପାଇଁ ପୂଜାପାଠ ବାବଦକୁ ଖର୍ଚ୍ଚ ହେବ ପାଖାପାଖି ଏକଲକ୍ଷ ଟଙ୍କା। ସାଧକଙ୍କ କଥାରେ ରାଜି ହୋଇଗେଲ ଯୁଧିଷ୍ଠିର। ପୂଜାପାଠ ପାଇଁ ଆରମ୍ଭ ହେଲା ଯୋଜନା। ସାତ ଦିନ ପୂଜା ପାଠ ବିଭିନ୍ନ ଆଡ଼େ ଚାଲିଲା। ଏହା ମଧ୍ୟରେ ଯୁଧିଷ୍ଠିରଙ୍କ ଠାରୁ ଠକ ତାନ୍ତ୍ରିକ ୯୭ ହଜାର ଟଙ୍କା ନେଇଯାଇଥିଲେ। ଗତ ଦୁଇଦିନ ତଳେ ଆରମ୍ଭ ହୋଇଥିଲା ମାଟିତଳୁ ମୂର୍ତ୍ତି ଉଦ୍ଧାର କାର୍ଯ୍ୟକ୍ରମ। ଯୁଧିଷ୍ଠିର ଓ ତାଙ୍କ ପତ୍ନି ଘର ଭିତରେ ମାଟି ଖୋଳିଲେ। ମୂର୍ତ୍ତି ବାହାରିବାର ନାଗନ୍ଧ ମିଳିଲାନି।

କିଛି ସମୟ ପରେ ତାନ୍ତ୍ରିକ କହିଲେ କି ମାଟି ଖୋଳିବା ଛାଡ଼ି ତୁମେମାନେ ଏଠାରୁ ଚାଲିଯାଅ ଘରର ପୂର୍ବ ଦିଗକୁ ଓ ପଶ୍ଚିମ ଦିଗକୁ ଜଣେ ଆଣିବ ଦୁବ ଆଉ ଜଣେ ଆଣିବ ବରକୋଳି ପତ୍ର। ଯୁଧିଷ୍ଠିର ଓ ତାଙ୍କ ପତ୍ନି ଦୁହେଁ ମାଟିଖୋଳା ସ୍ଥାନ ଛାଡ଼ି ଚାଲିଗଲେ ଦୁବ ବରକୋଳି ପତ୍ର ଆଣିବାକୁ। ଦୁବ ବରକୋଳି ପତ୍ର ଆଣି ପହଞ୍ଚି ମାଟିଗାତ ଭିତରେ ସେଗୁଡ଼ିକୁ ପକାଇ ପବିତ୍ର କଲେ ତାନ୍ତ୍ରିକ। ତା’ପରେ ତାନ୍ତ୍ରିକ ପୁଣି ନିର୍ଦ୍ଦେଶ ଦେଲେ ମାଟି ଖୋଳିବାକୁ। ଅଳ୍ପ କିଛି ଖୋଲିବା ପରେ ମାଟିତଳୁ ବାହାରିଲେ ହଳଦିଆ ରଙ୍ଗର ଧାତୁ ନିର୍ମିତ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା।

ଯୁଧିଷ୍ଠିରଙ୍କ ଘରର ମାଟିତଳୁ ସାଧକ ଦମ୍ପତି ତନ୍ତ୍ରମନ୍ତ୍ର ଜରିଆରେ ଦୁଇ ଠାକୁରଙ୍କର ସୁନା ମୂର୍ତ୍ତି ବାହାର କରିବା କଥା ଚାରିଆଡ଼େ ପ୍ରଘଟ ହେବାକୁ ଲାଗିଲା। ବହୁଲୋକ ଠାକୁରଙ୍କୁ ଦର୍ଶନ କରିବାକୁ ଯୁଧିଷ୍ଠିରଙ୍କ ଘରେ ଭିଡ଼ ଲଗାଇଲେ। କିନ୍ତୁ ସାଧକ କହିଲେ ଦେବୀଙ୍କର ଏହି ସୁନା ପ୍ରତିମା କିପରି କେମିତି ଉଦ୍ଧାର କରାଗଲା ସେ ସମ୍ପର୍କରେ ବାହାର ଲୋକମାନଙ୍କ ଆଗରେ ପ୍ରକାଶ କରିବନି। ଯୁଧିଷ୍ଠିର ମଧ୍ୟ ସାଧକଙ୍କ କଥା ମାନି ଏହା ପ୍ରକାଶ କଲେନି। ସାଧକ ଟଙ୍କା ଧରି ତାଙ୍କ ଘରକୁ ଚାଲିଗଲେ। ଯୁଧିଷ୍ଠିର ସିନା ମାଟି ତଳୁ ଦେବୀଙ୍କର ଏହି ସୁନା ମୂର୍ତ୍ତି ଉଦ୍ଧାର କଲେ ହେଲେ ତାଙ୍କ ମନ ଭିତରେ ସନ୍ଦେହ କୁହୁଳିବାରେ ଲାଗିଲା।

ପ୍ରଥମେ ମୂର୍ତ୍ତି ସୁନା କିମ୍ବା ଅନ୍ୟ କେଉଁ ଧାତୁ ତାହା ପରୀକ୍ଷା କରିବାପରେ ଏହା ପିତ୍ତଳ ମୂର୍ତ୍ତି ଥିବା ଜଣାପଡ଼ିଲା। ତେବେ ମାଟି ଖୋଲିବା ସମୟରେ ମୂର୍ତ୍ତି ବାହାରି ନଥିବା ବେଳେ ବାହାରୁ ଦୁବ ବରକୋଳିପତ୍ର ଧରିଆସିବା ପରେ କିପରି ହଠାତ୍ ମୂର୍ତ୍ତି ବାହାରି ପଡ଼ିଲା। ଏହି ସମୟ ମଧ୍ୟରେ ହୁଏତ ସାଧକ ମାଟିତଳେ ଏହି ମୂର୍ତ୍ତିକୁ ରଖି ଦେଇନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ଯୁଧିଷ୍ଠିରଙ୍କ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା।

ଭାବିଲେ ସେ ଠକାମିର ଶିକାର ହୋଇଗଲେ ବୋଲି। ସେତେ ବେଳକୁ ସାଧକ ଦମ୍ପତି ଟଙ୍କା ଧରି ଚାଲିଯାଇଥିଲେ। ଟଙ୍କାକୁ ଉଦ୍ଧାର କରିବାକୁ ଚିନ୍ତାରେ ପଡ଼ିଯାଇଥିଲେ ଯୁଧିଷ୍ଠିର। ଏହି ସମୟରେ ଗତକାଲି ସାଧକ ଦମ୍ପତି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଳିବସା ଛକ ନିକଟରେ ରହି ଯୁଧିଷ୍ଠିରଙ୍କ ନିକଟକୁ ଫୋନ କଲେ। ତମ ଘର ମଧ୍ୟରୁ ଯେଉଁ ଦେବୀଙ୍କର ସୁନା ପ୍ରତିମା ବାହାରିଲା ତା’ପରେ ଦେବୀଙ୍କର ହାତରେ ରହିଥିବା ସୁନା ଗରା ମଧ୍ୟ ମାଟିତଳେ ରହିଛି ତାକୁ ଉଦ୍ଧାର କରିବାକୁ ହେବ। ସେହି ଗରାର ମୂଲ୍ୟ କୋଟିଏ ପାଖାପାଖି ହେବ। ତେଣୁ ସେଥିପାଇଁ ପୁଣି ପୂଜାପାଠ ଦରକାର। ତେଣୁ ତୁମେ ଶୀଘ୍ର ୧ଲକ୍ଷ ୧୫ ହଜାର ଟଙ୍କା ଏବେ ନେଇକରି ଆସ।

ପଟ୍ଟାମୁଣ୍ଡାଇ ବଜାରରୁ ପୂଜା ସାମଗ୍ରୀ ସବୁ କିଣାକିଣି କରି ଦେଲେ ପୂଜାପୂଜି କରି ଖୁବ୍ ଶୀଘ୍ର ସୁନାଗରାକୁ ଉଦ୍ଧାର କରିବା। ଏହି ସୁଯୋଗର ହାତଛଡ଼ା କଲେନି ଯୁଧିଷ୍ଠିର। ଗାଁର ପଡ଼ିଶାମାନଙ୍କୁ ଏହି ଖବର ଦେଲେ। ଗାଁ ଲୋକମାନଙ୍କ ପରାମର୍ଶ କ୍ରମେ ପଟ୍ଟାମୁଣ୍ଡାଇ ଥାନକୁ ପ୍ରଥମେ ଖବର ଦେଲେ ଲୋକେ। ପଟ୍ଟାମୁଣ୍ଡାଇ ପୋଲିସ ଫୋର୍ସମାନଙ୍କ ସହାୟତାରେ ମାଳିବସା ଛକ ନିକଟରେ ଥିବା ଏହି ଠକ ତାନ୍ତ୍ରିକ ଦମ୍ପତିଙ୍କୁ ଥାନାକୁ ଅଣାଗଲା।

ଥାନା ପୋଲିସର ସହାୟତାରେ ଏହି ଠକମାନଙ୍କ ଠାରୁ ୯୭ ହଜାର ଟଙ୍କା ଜବତ କରାଯାଇଛି। ହେଲେ ଥାନାରେ କୌଣସି ମାମଲା ହୋଇନି। କାହିଁକି କେଜାଣି ଏହି ଠକ ଦମ୍ପତିଙ୍କୁ ମାମଲାରେ ନ ଛନ୍ଦି ଛାଡ଼ି ଦିଆଯାଇଛି। ଏଣେ ଯୁଧିଷ୍ଠିରଙ୍କର ୯୭ ହଜାର ଟଙ୍କା ସିନା ଉଦ୍ଧାର ହେଲା କିନ୍ତୁ ଯୁଧିଷ୍ଠିର ଘରକୁ ନେଲେ ୭୭ ହଜାର ଟଙ୍କା। ଏବେ ମୁଣ୍ଡାକାନ ଆଉଁସି ଘରେ ବସି ରହିଛନ୍ତି ଯୁଧିଷ୍ଠିର।

ଜଣାପଡ଼ିଲା କି, ଏହି ଠକ ଦମ୍ପତି ଦୁଇଜଣ ଆଳିଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଠାଳସାହିର ହରେକୃଷ୍ଣ ସାହୁ ଓ ତାଙ୍କ ପତ୍ନି ସୁକାନ୍ତି ସାହୁ। ପଟ୍ଟାମୁଣ୍ଡାଇ ପୋଲିସ ହରେକୃଷ୍ଣ ଓ ସୁକାନ୍ତିଙ୍କଠାରୁ ଯୁଧିଷ୍ଠିରଙ୍କର ଏହି ୯୭ ହଜାର ଟଙ୍କାକୁ ଉଦ୍ଧାର କରିବାକୁ ସକ୍ଷମ ହେଲା ଓ ଟଙ୍କା ଯୁଧିଷ୍ଠିରଙ୍କୁ ହସ୍ତାନ୍ତର କଲା।

ହେଲେ କ’ଣ ହେଲା କେଜାଣି ନିଜକୁ ତାନ୍ତ୍ରିକ କହି ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକି ଆସୁଥିବା ଏହି ଠକ ଦମ୍ପତ୍ତିଙ୍କୁ ପୋଲିସ ଛାଡ଼ି ଦେଲା। ପରେ ଜଣାପଡ଼ିଛି କି, ଏହି ଠକ ଦମ୍ପତି ୨୦୦୮ ମସିହାରେ ଏହି ଠକ ଦମ୍ପତ୍ତି ସମାନ ଚକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳଭା ଗାଁର ନୃସିଂହ ଜେନାଙ୍କ ଘରୁ ୨ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଗାଁ ଲୋକମାନଙ୍କ ହାତରେ ଧରା ପଡ଼ି କିଛିଟଙ୍କା ଫେରାଇ ଥିଲେ ଓ ଅବଶିଷ୍ଟ ଟଙ୍କା ଆସ୍ତେ ଆସ୍ତେ  ଫେରାଇବାକୁ ଗାଁ ଛାଡ଼ି ଫେରାର ହୋଇ ଯାଇଥିଲେ। ଏବେ ପୁଣି ଏହି ଠକ ତାନ୍ତ୍ରିକ ଦମ୍ପତ୍ତି ପୋଲିସ କବ୍‌ଜାରୁ ଖସିଯିବାକୁ ସକ୍ଷମ ହୋଇ ପାରିଛନ୍ତି।

Comment