ଓଡ଼ିଶାଲାଇଭ୍ ବ୍ୟୁରୋ

ଧାଡ଼ି ଦର୍ଶନକୁ ନେଇ ଶ୍ରୀମନ୍ଦିରରେ ଯେଉଁ ଲଙ୍କାକାଣ୍ଡ ହୋଇଥିଲା, ତାହା ଶାସକ ବିଜୁ ଜନତା ଦଳ ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ।
ବୁଧବାର ଦିନ ଧାଡ଼ି ଦର୍ଶନକୁ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ସାମ୍ନାରେ ଯେଉଁ ହିଂସାକାଣ୍ଡ ସୃଷ୍ଟି ହେଲା ତାହା ଶାସକ ବିଜୁ ଜନତା ଦଳ ପାଇଁ ଏକ ସତର୍କ ଘଣ୍ଟି ବୋଲି ବୁଝିବାକୁ ହେବ। ଶ୍ରୀମନ୍ଦିରରେ ଦୈନିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମାତ୍ର କେଇ ଦିନ ଭିତରେ ଏହି ଭଳି ଘଟଣା ଘଟିବା ପରେ ଜିଲ୍ଲା ପୋଲିସ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ହିଂସାକାରୀଙ୍କୁ ଅଟକାଇବା ପରିବର୍ତ୍ତେ ସେ ଦିନ ପୋଲିସ ସେଠାରେ ନୀରବ ଦ୍ରଷ୍ଟା ହୋଇ ଠିଆ ହୋଇଥିଲା। ମନ୍ଦିର ବେଢ଼ାରେ ଧାଡ଼ି ଦର୍ଶନ ବିରୋଧରେ ଦିଆଯାଇଥିବା ବନ୍ଦ ଡାକରା ହଠାତ ହିଂସାତ୍ମକ ହୋଇପଡ଼ିଥିଲା କିନ୍ତୁ ପୋଲିସ ଏ ନେଇ କେମିତି ଆଗରୁ କିଛି ସୁରାକ ପାଇଲା ନାହିଁ? ଏହା ଏକ ସାଙ୍ଘାତିକ କଥା।
ପ୍ରକୃତରେ ସେ ଦିନ କ’ଣ ଘଟିଲା? ଅରୁଣ ସ୍ତମ୍ଭ ନିକଟରେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଆଗରୁ କେବେ ଦେଖିବାକୁ ମିଳିନଥିଲା। ଦୀର୍ଘ ତିନି ଘଣ୍ଟା ଧରି ଦୁର୍ବୃତ୍ତମାନେ ଭଙ୍ଗା ରୁଜା ଲୁଟ ତରାଜ ଚଳାଇଲେ ଅଥଚ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବିଗତ ୨୦ ବର୍ଷ ଭିତରେ ଏଭଳି ବିରାଟକାୟ ଗଣ୍ଡଗୋଳ ଓ ହିଂସା କେବେ ବଡ଼ ଦାଣ୍ଡରେ ଦେଖା ଦେଇନଥିଲା।

ପୁରୀ ବଡ଼ ଦାଣ୍ଡର ଅବସ୍ଥିତି ଯାହା ହିଂସାକାରୀଙ୍କୁ କାବୁ କରିବା ଆଦୌ କାଠିକର ପାଠ ନୁହେଁ। ସାମାନ୍ୟ ଗୋଇନ୍ଦା ସୂଚନା ଓ ମୌଳିକ ପ୍ରସ୍ତୁତିରେ ବି ଯେକୌଣସି ଗଣ୍ଡଗୋଳକୁ ସହଜରେ ସାମ୍ନା କରାଯାଇପାରେ। ବୁଧବାର ଘଟଣାର ତର୍ଜମାରୁ ଗୋଟିଏ କଥା ସାମ୍ନାକୁ ଆସିଛି ଯେ, ପୋଲିସ ଏଠି ପୂରା ଫେଲ ମାରିଥିଲା। ଗଣ୍ଡଗୋଳ ହୋଇପାରେ ବୋଲି ପୋଲିସ ପାଖରେ ଗୋଇନ୍ଦା ସୂଚନା ନଥିଲା କି ଏଥିପାଇଁ ପ୍ରସ୍ତୁତି ମଧ୍ୟ ନଥିଲା। ପୁରୀରେ ସେ ଦିନ ମାତ୍ର ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ଯାହାକି ଆଦୌ ଯଥେଷ୍ଟ ନଥିଲା ଅଶାନ୍ତ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ।
ପୁରୀ ବାସିନ୍ଦାଙ୍କ ଶ୍ରୀମନ୍ଦିର ପ୍ରବେଶ ଏକ ସମ୍ବେଦନଶୀଳ ବିଷୟ। ତିନି ଠାକୁରଙ୍କ ସହ ସେମାନଙ୍କ ଭାବଗତ ଓ ଦୈନନ୍ଦିନ ସମ୍ପର୍କ ଏତେ ନିଗୂଢ଼ ଯେ ସେଥିରେ କେହି ଦଖଲ ଦେଇ ପାରିବେ ନାହଁ। ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯିବା ପରେ ପୁରୀର ସ୍ଥାୟୀ ବାସିନ୍ଦାଙ୍କ ଭିତରେ ଅସନ୍ତୋଷ ପୁଞ୍ଜିଭୂତ ହୋଇ ରହିଥିଲା ଯାହାକି ବୁଧବାର ଦିନ ପରିପ୍ରକାଶ ଘଟିଥିଲା। ପୋଲିସ ଏହିଭଳି ଅସନ୍ତୋଷ ସମ୍ପର୍କରେ ହୁଏତ ସୂଚନା ପାଇନଥିଲା କିମ୍ବା ଜାଣିଶୁଣି ଚୁପ ରହିଗଲା।
ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଗଣ୍ଡଗୋଳ ଓ ହିଂସାକାଣ୍ଡକୁ ରୋକିବା ପାଇଁ ଉଦ୍ଦିଷ୍ଟ ରାପିଡ଼ ଆକ୍ସନ ଫୋର୍ସକୁ ସେ ଦିନ ଭୁବନେଶ୍ୱରରୁ ପୁରୀ ଆସିବାକୁ ୫ ଘଣ୍ଟା ସମୟ ଲାଗିଯାଇଥିଲା। ମାତ୍ର ୬୫ କିମି ରାସ୍ତା ପାଇଁ ରାପିଡ଼ ଆକ୍ସନ ଫୋର୍ସକୁ ଯଦି ୫ ଘଣ୍ଟା ଲାଗୁଚି ଏଥିରେ ସେମାନେ ହିଂସାକାଣ୍ଡ ଓ ପୋଡ଼ାଜଳା ଘଟଣାକୁ କିଭଳି ମୁକାବିଲା କରିବେ ତାହା ସେମାନଙ୍କୁ ହିଁ ଜଣା। ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚିବାକୁଥିବା ରାପିଡ଼ ଆକ୍ସନ ଫୋର୍ସ ସବୁ କଥା ଶେଷ ହେବା ପରେ ପହଞ୍ଚିଥିଲେ ଓ ସ୍ୱାଭାବିକ ଭାବରେ ସହର ଚାରିପଟ ପଇଁତରା ମାରିବା ଛଡ଼ା ସେମାନଙ୍କର ଆଉ କିଛି କାମ ନଥିଲା।

ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବା ଏବଂ ପୁରୁଷ ପୁରୁଷ ଧରି ସେବାୟତମାନଙ୍କ ହାତରେ ଥିବା କିଛି ଅଧିକାରକୁ ଛଡ଼େଇ ନେବା ପରେ ବିଗତ କିଛି ଦିନ ଧରି ଯେଉଁ ଅସନ୍ତୋଷ କୁହୁଳୁଛି ତାହା ଯେ ସୁରୁଖୁରୁରେ ସମସ୍ତେ ମଥା ପାତି ନେବେ ଏହା ଭାବିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ। ଏଭଳି ଏକ ମାନସିକ ଉଦ୍ବେଗକୁ ସମ୍ଭାଳିବା ପାଇଁ ଅଲଗା ପ୍ରକାରର ରଣନୀତି ଓ ପ୍ରଶାସନିକ ପ୍ରସ୍ତୁତି ଦରକାର। ପ୍ରକୃତ କଥା ହେଉଛି ସମଗ୍ର ପୋଲିସ ଓ ଜିଲ୍ଲା ପ୍ରଶାସନର ଅପାରଗତା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୁରୀ ମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବା ପୂର୍ବରୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସହରରେ ବିଭିନ୍ନ ମହଲରେ ଓ ମଞ୍ଚରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେବା ଉଚିତ ଥିଲା। କିନ୍ତୁ ହଠାତ ଏହି ବ୍ୟବସ୍ଥାକୁ ଲାଗୁ କରିଦିଆଗଲା। ସ୍ଥାନୀୟ ବିଧାୟକ ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଧାଡ଼ି ଦର୍ଶନକୁ ଖୋଲା ଖୋଲି ବିରୋଧ କରିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନ ମନ୍ତ୍ରୀଙ୍କ ଅସନ୍ତୋଷ ଓ ବିରୋଧକୁ ଖାତିର ବି କରିନଥିଲେ। ଧାଡ଼ି ଦର୍ଶନ ଭଳି ଏକ ନୂଆ କଥାକୁ ଲୋକପ୍ରତିନିଧି ଠିକଣା ଭାବରେ ତୁଟାଇ ପରିଥାନ୍ତେ। ଏଥିରେ ପ୍ରଶାସନ ଅପେକ୍ଷା ରାଜନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ହିଁ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

କାହିଁକି ସ୍ଥାନୀୟ ବିଧାୟକଙ୍କ କଥା ଶୁଣାଗଲା ନାହିଁ ଓ କିଏ ପଛରେ ଥାଇ ଏ ସବୁ ନିଷ୍ପତ୍ତି ନେଲେ ତାହାର ଖୁଲାସା ହେବା ଦରକାର ବୋଲି ମତ ପ୍ରକାଶ ପାଇଛି। ଆହୁରି ଗମ୍ଭୀର ବିଷୟ ହେଉଛି ଏହି ଜଳାପୋଡ଼ା ଘଟଣା ପରେ ଆଇନ ମନ୍ତ୍ରୀଙ୍କ ସ୍ୱର କାହିଁକି ଶୁଣାଯାଉନାହିଁ ଓ ସେ କାହିଁକି ଚୁପ ଅଛନ୍ତି? ପୁରୀ ମନ୍ଦିରର ଯାବତୀୟ କଥାରେ ଭାଗ ନେବା ହେଉଛି ଆଇନ ବିଭାଗର ପ୍ରଥମ ଓ ବଡ଼ କାମ। କିନ୍ତୁ ତାହା ଆଖିରେ ପଡ଼ୁନାହିଁ।
ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁରୀ ହିଂସା ଓ ଗଣ୍ଡଗୋଳରୁ ସରକାର ଓ ଶାସକ ଦଳର ନେତା କିଛି ଶିଖିବା ଆବଶ୍ୟକ। ଗତ ବର୍ଷ ପଞ୍ଚାୟତ ନିର୍ବାଚନ ବେଳେ ଯାହା ଘଟିଲା ହିଂସାର ଜବାବ ରାଜନୈତିକ ଦଳମାନେ ହିଂସାରେ ହିଁ ଦେବେ। ରାଜ୍ୟ ସରକାର ଏବେଠାରୁ ନିଜ ଘର ସଜାଡ଼ିବା ଦରକାର। ନିର୍ବାଚନ ଆଉ ମାତ୍ର ୬ ମାସ ରହିଛି। ସେହି ସ୍ଥିତିରେ ପ୍ରଶାସନ ପକ୍ଷରୁ ଯାବତୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଦରକାର। ଯଦି ପୁରୀରେ ମାତ୍ର ୫୦୦ ଗଣ୍ଡଗୋଳକାରୀଙ୍କୁ କାବୁ କରାଯାଇପାରିଲାନି ଆଗକୁ କ’ଣ ହେବ ତାହା ସ୍ପଷ୍ଟ ଅନୁମାନ କରି ହେଉଥିବ।


















