ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ
  • ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି
  • ମୋଟ ୧୫ଟି ଚିଠା ପ୍ରସ୍ତାବ ଗୃହୀତ
  • ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୫ଟି ପ୍ରସ୍ତାବ
  • ଦୁର୍ନୀତିକୁ ନେଇ ୧୦ଟି ପ୍ରସ୍ତାବ
  • ସଙ୍ଗଠନ ମଜଭୁତ ଉପରେ ଫୋକସ୍
  • ଦୁର୍ନୀତିକୁ ଅସ୍ତ୍ର କରି ଆନ୍ଦୋଳନ କରିବ ବିଜେପି

ଅଠର ବର୍ଷର ବିଜେଡି ଦୁର୍ଗକୁ କେମିତି ଭାଙ୍ଗିବ ବିଜେପି? କେଉଁ ପ୍ରସଙ୍ଗକୁ ନେଇ ଦଳ ଭୋଟରଙ୍କ ପାଖକୁ ଯିବ? ବିଜେପିକୁ ତୃଣମୂଳ ସ୍ତରର ଭୋଟର କେମିତି ଗ୍ରହଣ କରିବେ? ଏମିତି କିଛି ପ୍ରସଙ୍ଗକୁ ନେଇ ଗତ ଦୁଇ ଦିନ ହେଲା ବିଜେପି ନେତାମାନେ କରିଛନ୍ତି ମାରାଥନ ଆଲୋଚନା। ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହି ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ଶନିବାରଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ। ପ୍ରଥମ ଦିନ ବିଭିନ୍ନ ପଦାଧିକାରୀମାନଙ୍କୁ ନେଇ ବିଜେପି ଅଫିସରେ ତୁହାକୁ ତୁହା ଆଲୋଚନା ଚାଲିଲା। ଦୁର୍ନୀତି, ମହିଳା ହିଂସା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା। ଏହିସବୁ ପ୍ରସଙ୍ଗକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା।

ରବିବାର ଦ୍ୱିତୀୟ ଦିନ କାର୍ଯ୍ୟକାରିଣୀରେ ଯୋଗ ଦେଇଥିଲେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି। ସ୍ମୃତି ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତା ଓ କର୍ମୀଙ୍କୁ ୨୦୧୯ ପାଇଁ ମାର୍ଗ ଦର୍ଶନ କରିଥିଲେ। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପିକୁ କ୍ଷମତାକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ସଙ୍କଳ୍ପ ପାରିତ ହୋଇଛି। ମୋଟ ୧୫ଟି ଚିଠା ପ୍ରସ୍ତାବ ଆଗତ ହୋଇଛି। ରାଜ୍ୟ ସରକାରଙ୍କ ପ୍ରତାରଣାକୁ ନେଇ ୫ଟି ଏବଂ ବିଭିନ୍ନ ଦୁର୍ନୀତିକୁ ନେଇ ୧୦ଟି ଚିଠା ପ୍ରସ୍ତାବ ଆଗତ ହୋଇଥିବା ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଚିଟଫଣ୍ଡ ଦୁର୍ନୀତି, ଚାରା ଘୋଟାଲା, ନାରୀମାନଙ୍କ ଉପରେ ଅତ୍ୟାଚାର ଆଦିକୁ ନେଇ ବିଜେପି କାର୍ଯ୍ୟକାରିଣୀରେ ଜୋରଦାର ଆଲୋଚନା ହୋଇଛି। ଏହି ପ୍ରମୁଖ ପ୍ରସଙ୍ଗକୁଅସ୍ତ୍ର କରି ବିଜେପି ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ଲୋକଙ୍କ ଆଗରେ ବିଜେଡିର ଅସଲ ମୁଖା ଖୋଲିବା ପାଇଁ କାର୍ଯ୍ୟକାରିଣୀରେ ବିଜେଡି ନେତାମାନେ ସଙ୍କଳ୍ପ ନେଇଛନ୍ତି। ଏହାସହ ବିଜେପି ମିଶନ-୧୨୦ କେମିତି ହାସଲ କରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ନିକଟରେ ନୂଆଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ୨୦୧୯ ନିର୍ବାଚନରେ କେମିତି ପୁଣି ବିଜେପି କେନ୍ଦ୍ରରେ ସରକାର ଗଠନ କରିବ ତା’ ଉପରେ ଫୋକସ୍ କରାଯାଇଥିଲା। ଏହାସହ ଓଡ଼ିଶା, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ସଙ୍ଗଠନ ମଜଭୁତ ଉପରେ ଆଲୋଚନା ହୋଇଥିଲା।

ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ବିଜେପି ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ ଉପରେ ଫୋକସ୍ କରିଥିଲା। ପୁରୀଠାରେ ଅନୁଷ୍ଠିତ ମହିଳା ଅଧିବେଶନରେ ରାଷ୍ଟ୍ରିୟ ସଭାପତି ଅମିତ ଶାହ ଯେଉଁ ଟାସ୍କ ଦେଇଥିଲେ ତାହା କେମିତି କାର୍ଯ୍ୟକାରୀ ହେବ ସେ ଉପରେ ମନ୍ଥନ କରିଥିଲେ ବିଜେପି ନେତା।

ସବୁଠୁ ବଡ଼ କଥା ହେଉଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଆଜି ଦଳ କର୍ମୀ ଓ ନେତାଙ୍କ ମନରେ ଜୋସ୍ ଭରିଛନ୍ତି। ବିଜେଡିକୁ ସିଧାସଳଖ ଆଟାକ୍ କରି ରାଜନୀତି ପାଣିପାଗକୁ ଉଷ୍ମ କରିଛନ୍ତି।

LEAVE A REPLY

Please enter your comment!
Please enter your name here