ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ୪୪ଟି ଆସନରେ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରି କଂଗ୍ରେସ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା ଆଜି ଦଳ ଛାଡ଼ିଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଇଥିବା ସମ୍ପର୍କରେ ପଦ୍ମଲୋଚନ ଆଜି ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପଦ୍ମଲୋଚନ ପଣ୍ଡା ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆରୁ କଂଗ୍ରେସ ଟିକେଟରେ ତିନି ଥର ବିଧାୟକ ହୋଇଛନ୍ତି। ୧୯୮୫, ୧୯୯୫ ଏବଂ ୨୦୦୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ମନ୍ତ୍ରୀ ରହିଥିଲେ।

ପଦ୍ମଲୋଚନଙ୍କ ସମେତ ସିମୁଳିଆର ତୃଣମୂଳ ସ୍ତରର ନେତା କଂଗ୍ରେସ ଛାଡ଼ିଥିବା ଜଣାପଡ଼ିଛି। ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

“କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର। ଏଠାରେ ସମନ୍ୱୟର ଅଭାବ ରହିଛି। କଂଗ୍ରେସ ଦଳର ଭବିଷ୍ୟତ ନାହିଁ। କଂଗ୍ରେସକୁ ଯେଉଁମାନେ ବାରମ୍ବାର ହତ୍ୟା କରୁଛନ୍ତି ସେମାନେ ପିସିସି ସଭାପତିଙ୍କ ଚାରିପଟେ ଘେରିକି ରହିଛନ୍ତି। ଏଣୁ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି”, କହିଛନ୍ତି ପଦ୍ମଲୋଚନ ପଣ୍ଡା।

LEAVE A REPLY

Please enter your comment!
Please enter your name here