ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ ଅଫିସ ଘେରାଉ
  • ନଭେମ୍ବର ୧ରୁ ୩୦ ତାରିଖ ଯାଏଁ ଜନଜାଗରଣ ପଦଯାତ୍ରା
  • ଡିସେମ୍ବର ୧ରୁ ୩୦ ଯାଏଁ ପରିବର୍ତ୍ତନ ଯାତ୍ରା

ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଏନେଇ ସୋମବାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅକ୍ଟୋବର ୨୭ରୁ ୩୦ ଯାଏଁ ବିଜେପି ବ୍ଲକ ଅଫିସ ଘେରାଉ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

“ବ୍ଲକ ଅଫିସ ଦୁର୍ନୀତି  ଓ ପିସିର କେନ୍ଦ୍ର ସାଜିଛି। ଆମ ଗାଁ ଆମ ବିକାଶ ଯୋଜନା ପିସିକୁ ପ୍ରୋତ୍ସାହନ ଦେଉଛି। ବ୍ଲକରେ ଲୋକଙ୍କର କାମ ହେଉନି। ବିନା ଟେଣ୍ଡରରେ ବିଜେଡି କର୍ମୀମାନଙ୍କୁ ଅର୍ଥ ଯୋଗାଇ ଦିଆଯାଉଛି। ଏହାର ପ୍ରତିବାଦ କରାଯିବ”, କହିଛନ୍ତି ବସନ୍ତ ପଣ୍ଡା।

ସେହିପରି ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ, ପଞ୍ଚାୟତ, ବୁଥ ଓ ୱାର୍ଡରେ ବିଜେପି ଜନଜାଗରଣ ପଦଯାତ୍ରା କରିବ। ଏଥିରେ ଜନସାଧାରଣଙ୍କୁ ସାମିଲ କରାଯିବ। ଏହି ପଦଯାତ୍ରା ମାଧ୍ୟମରେ ୧୯ ବର୍ଷର ବିଜେଡି ଶାସନର ମୁଖା ଖୋଲାଯିବ ବୋଲି କହିଛି ବିଜେପି।

ଡିସେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସାରା ବିଶାଳ ପରିବର୍ତ୍ତନ ଯାତ୍ରା ବାହାର କରାଯିବ। ଏଥିରେ ରାଜ୍ୟର ନେତୃମଣ୍ଡଳୀଙ୍କ ସହିତ କେନ୍ଦ୍ର ନେତା ସାମିଲ ହେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦଳ ନେତା କେଭି ସିଂହଦେଓ, ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment