ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପଲାସାଠାରେ ଲ୍ୟାଣ୍ଡଫଲ୍ କଲା ତିତ୍‌ଲି
  • ଇଛାପୁରମରୁ ପଲାସା ଭିତରେ ବ୍ୟାପକ କ୍ଷତି
  • ବାତ୍ୟା ଉଜାଡ଼ିଦେଲା କାଜୁ ଓ ନଡିଆ ଚାଷ
  • ଭାଙ୍ଗିଗଲା ଚାଳ ଛପର ଘର
  • ଲାଗି ରହିଛି ପ୍ରବଳ ବର୍ଷା

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ଶ୍ରୀକାକୁଲମ ଏବଂ ବିଜୟନଗରମରେ ବ୍ୟାପକ କ୍ଷତି କରିଛି ତିତ୍‌ଲି। ଏହି ଜିଲ୍ଲାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ତିତ୍‌ଲି ୮ ଜଣଙ୍କର ଜୀବନ ନେଇଛି। ମୃତକମାନେ ଶ୍ରୀକାକୁଲମ ଜିଲ୍ଲାର ବୋଲି ଜଣାପଡ଼ିଛି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ପାଖାପାଖି ୨୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି।

ବୁଧବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ପଲାସାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ତିତ୍‌ଲି। ଏହାର ପ୍ରଭାବରେ ପବନର ବେଗ ବଢ଼ିଥିଲା। ସ୍ଥଳଭାଗ ଛୁଇଁବା ବେଳକୁ ପଲାସାରୁ ଇଚ୍ଛାପୁରମ ଭିତରେ ପବନର ବେଗ ୧୬୦ କିଲୋମିଟର ରହିଥିଲା। ଗୁରୁବାର ସକାଳ ୧୦ଟା ଯାଏର୍ ପବନର ବେଗ ଅଧିକ ରହିଥିଲା। ଏହାସହ ବର୍ଷା ମଧ୍ୟ ଲାଗି ରହିଛି।

ବର୍ଷା ଏବଂ ପବନ ଯୋଗୁଁ ଶ୍ରୀକାକୁଲମ ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି। କାଜୁ ଓ ନଡ଼ିଆ ଚାଷ ନଷ୍ଟ ହୋଇଥିବା ବେଳେ ଧାନ ଜମିରେ ପାଣି ମାଡ଼ି ଯାଇଛି। ବହୁ ଚାଳ ଛପର ଘର ମଧ୍ୟ ଭାଙ୍ଗି ଯାଇଛି। ବିଶାଖାପାଟଣା-ଭୁବନେଶ୍ୱର ମଧ୍ୟରେ ସମସ୍ତ ଟ୍ରେନକୁ ବାତିଲ କରାଯାଇଛି। ୫୨ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଛି।

Comment