ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ। ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ ଜାରି କରାଯାଇଛି କଟକଣା। ଅପରାହ୍ଣ ୪ଟାରୁ ରାତି ୨ଟା ଯାଏଁ ପାଞ୍ଚ ଦିନ ଯାଏଁ ଏହି ନିୟମ ବଳବତ୍ତର ରହିବ। ବିଶେଷକରି ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
ଖୋର୍ଦ୍ଧା ପଟୁ ଆସୁଥିବା ଭାରିଯାନଗୁଡ଼ିକୁ ପିତାପଲ୍ଲିରୁ ଭାୟା ଚନ୍ଦକା ଏବଂ ବାରଙ୍ଗ ଦେଇ ବାଲିକୁଦାକୁ ଡାଇଭଟ୍ କରାଯିବ। ସେହିପରି ରାବଣପୋଡ଼ି ସମୟରେ କଟକ ଆଡ଼ୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ବେହେରା ସାହି, ଶାସ୍ତ୍ରିନଗର, ପାୱାର ହାଉସ୍ ଏବଂ ୟୁନିଟ୍ -୮ ଡିଏଭି କ୍ରସିଂ ଦେଇ ସିଆର୍ପି ଛକକୁ ଡାଇଭଟ୍ କରାଯିବ।
ସେହିପରି ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ୍ ଲିଙ୍ଗିପୁରରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଡାଇଭଟ୍ କରାଯିବ। ଲିଙ୍ଗିପୁରରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାର ଟ୍ରେନିଙ୍ଗ ସ୍କୁଲ ଦେଇ ବରମୁଣ୍ଡାକୁ ଆସିବ।
ବରମୁଣ୍ଡାରୁ ପୁରୀ ଯିବାକୁ ଥିବା ବସ୍ଗୁଡ଼ିକ ମଧ୍ୟ ସମାନ ରୁଟ୍ରେ ଯିବ। ମାଉସୀମା ଛକରୁ ମ୍ୟୁଜିୟମ, ସାମନ୍ତରାପୁର କ୍ରସିଂରୁ ଲିଙ୍ଗିପୁର ହୋଇ ପୁରୀ ଯିବ। ଏପଟେ ସହର ଭିତରେ ମଧ୍ୟ ଭାରିଯାନ ଚଳାଚଳ ଉପରେ ପୋଲିସ କଟକଣା ଲାଗୁ କରିଛି।
ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାକୁ ଘୋଷଣା କରିଛି କମିଶନରେଟ୍ ପୋଲିସ।