ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇର ପୂର୍ବତନ ମୁଖ୍ୟ ଆଲୋକ ବର୍ମାଙ୍କ ଆବେଦନକୁ ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ବା ସିଭିସିଙ୍କୁ ଯାଞ୍ଚ କରିବା ସହ ଦୁଇ ସପ୍ତାହ ସମୟ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ଏହି ସମୟ ମଧ୍ୟରେ ସିଭିସି ବର୍ମାଙ୍କ ଅଭିଯୋଗର ସତ୍ୟତା ପରୀକ୍ଷା କରିବେ। କିନ୍ତୁ ଏହି ଯାଞ୍ଚ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ କେ ପଟ୍ଟନାୟକଙ୍କ ନେତୃତ୍ୱରେ ହେବ। ଅନ୍ୟ ଅର୍ଥରେ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଜଷ୍ଟିସ ପଟ୍ଟନାୟକଙ୍କ ଅଧୀନରେ ରହିବ।
ଜଷ୍ଟିସ ପଟ୍ଟନାୟକ କଟକ ମଧୁସୂଦନ ଲ କଲେଜରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ। ତା’ ପରେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଜନ୍ମ ୧୯୪୯ ଜୁନ ୩ ତାରିଖରେ। ଜଷ୍ଟିସ ପଟ୍ଟନାୟକ ୧୯୭୪ରେ କଟକ ବାର ଅସୋସିଏସନର ସଦସ୍ୟ ଥିଲେ। ଦୀର୍ଘ ୨୦ ବର୍ଷ ଧରି ଓକିଲାତି କରିବା ପରେ ତାଙ୍କୁ ୧୯୯୪ରେ ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତି ମିଳିଥିଲା। ତେବେ ଅଳ୍ପ ଦିନ ମଧ୍ୟରେ ତାଙ୍କୁ ଆସାମ ହାଇକୋର୍ଟକୁ ବଦଳି କରାଯାଇଥିଲା। ତା’ ପର ବର୍ଷ ସେ ସେଠାରେ ସ୍ଥାୟୀ ଜଜ୍ ହେଲେ।
ଆସାମ ହାଇକୋର୍ଟରେ ସେ ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ତା’ ପରେ ତାଙ୍କୁ ଓଡ଼ିଶା ବଦଳି କରିଥିଲେ ସୁପ୍ରିମକୋର୍ଟ। ୨୦୦୫ ମାର୍ଚ୍ଚ ମାସରେ ଜଷ୍ଟିସ ପଟ୍ଟନାୟକଙ୍କୁ ଛତିଶଗଡ଼ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦିଆଯାଇଥିଲା। ସେହି ବର୍ଷ ଅକ୍ଟୋବର ମାସରେ ତାଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଆସନରେ ଅବସ୍ଥାପିତ କରାଯାଇଥିଲା।
ଛତିଶଗଡ଼ ହାଇକୋର୍ଟରେ କାର୍ଯ୍ୟରତ ଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସେ ଦେଇଥିବା ରାୟକୁ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଆର ସି ଲାହଟି ପ୍ରଶଂସା କରିଥିଲେ। ୨୦୦୯ ନଭେମ୍ବର ମାସରେ ଜଷ୍ଟିସ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟର ଜଜ୍ କରାଯାଇଥିଲା। ୨୦୧୪ ଜୁନ ମାସରେ ସେ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ।
ଜଷ୍ଟିସ ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଛନ୍ତି। ଟୁ ଜି, ସ୍ପଟ ଫିକ୍ସିଂ ଓ ନୋଟା ଆଦି ମାମଲାର ରାୟ ଶୁଣାଇଛନ୍ତି ସେ। ଅବସର ଗ୍ରହଣ କରିବା ପରେ ତାଙ୍କୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ତାହାକୁ ଗ୍ରହଣ କରିନଥିଲେ।
















