ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ତିଆରି ହୋଇଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି। ଗୁଜରାଟର ରାଜ ପିପିଲ ନିକଟ ନର୍ମଦା ନଦୀରେ ନିର୍ମାଣ କରାଯାଇଛି ଏହି ଲୌହ ପ୍ରତିମୂର୍ତ୍ତି।

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଲୋକାର୍ପିତ କରିବେ।

୨୦୧୦ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଥିଲେ ମୋଦି। ଏହି ବିଶାଳକାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ବୋଲି ସରକାର ଦାବି କରୁଛନ୍ତି।

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବିଷରେ ଜାଣନ୍ତୁ

ଷ୍ଟାଚ୍ୟୁ ଅଫ୍ ୟୁନିଟି ତଥା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଓଜନ ୧୭୦୦ ଟନ। ଏହାର ଉଚ୍ଚତା ହେଉଛି ୫୨୨ ଫୁଟ ତଥା ୧୮୨ ମିଟର। ଏହି ପ୍ରତିମୂର୍ତ୍ତିର ପାଦର ଉଚ୍ଚତା ରହିଛି ୮୦ ଫୁଟ ଏବଂ ହାତର ଉଚ୍ଚତା ରହିଛି ୭୦ ଫୁଟ। କାନ୍ଧର ଉଚ୍ଚତା ୧୪୦ ଫୁଟ ଏବଂ ଚେହେରାର ଉଚ୍ଚତା ହେଉଛି ୭୦ ଫୁଟ।

ଏହି ବିଶାଳାକାୟ ପ୍ରତିମୂର୍ତ୍ତିର ନିର୍ମାଣ ରାମ ବି ସୂତାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି। ସାରା ବିଶ୍ୱରେ ପ୍ରତିଷ୍ଠିତ ଶିଳ୍ପୀ ଭାବେ ତାଙ୍କର ସୁନାମ ରହିଛି। ୨୦୧୬ରେ ସେ ପଦ୍ମଭୂଷର ସମ୍ମାନ ପାଇଥିବା ବେଳେ ୧୯୯୯ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଚୀନର ସ୍ପ୍ରିଙ୍ଗ ଟେମ୍ପୁଲରେ ଥିବା ବୁଦ୍ଧ ପ୍ରତିମୂର୍ତ୍ତିକୁ ବିଶ୍ୱର ବିଶାଳ ପ୍ରତିମୂର୍ତ୍ତି ଭାବେ ପରିଚୟ ପାଇଥିଲା। ଏହାର ଉଚ୍ଚତା ହେଉଛି ୧୫୩ ମିଟର। କିନ୍ତୁ ଏହି ରେକର୍ଡକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି କାଟିଦେବ।

ଲାର୍ସନ ଆଣ୍ଡ ଟୁବ୍ରୋ କମ୍ପାନି ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। କମ୍ପାନିର ଦାବି ହେଉଛି କି ୩୩ ମାସରୁ କମ୍ ସମୟ ଭିତରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଚୀନ ସ୍ପ୍ରିଙ୍ଗ ଟେମ୍ପୁଲର ବୁଦ୍ଧ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ୧୧ ବର୍ଷ ଲାଗିଥିଲା।

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ୧୮ ହଜାର ୫୦୦ ମେଟ୍ରିକ ଟନ୍ ଲୁହା, ୧ ହଜାର ୭ ଶହ ଟନ ତମ୍ବା, ୧ ଳକ୍ଷ ୮୦ ହଜାର ଟନ୍ କଂକ୍ରିଟ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟିଲ୍, ୧୮ ହଜାର ୫୦୦ ମେଟ୍ରିକ ଟନ୍ ଲୁହାଛଡ଼ ଲାଗିଛି। ଏହି ପ୍ରତିମୂର୍ତ୍ତି ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ। ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି ହେବ ନାହିଁ।

ପ୍ରାୟ ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ଲୁହା ସଂଗୃହିତ ହୋଇଛି। ପ୍ରାୟ ୧୩୫ ମେଟ୍ରିକ ଟନ ଲୁହା କେବଳ ଦାନରେ ମିଳିଛି। ୧୨ କିଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ପ୍ରତିମୂର୍ତ୍ତି।

Comment