ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆୟୋଜିତ ‘ରନ୍ ଫର ୟୁନିଟି’ ମାରାଥନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଉଚିତ ସମ୍ମାନ ମିଳିଛି” କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।
ବୁଧବାର ସକାଳେ ଭୁବନେଶ୍ୱରରେ ଆୟୋଜିତ ଏହି ମାରାଥନରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, “ଦେଶ ସ୍ୱାଧୀନତାର ଶ୍ରେୟ ଗୋଟିଏ ପରିବାରକୁ ଦେବାର ମାନସିକତା କାରଣରୁ ସର୍ଦ୍ଦାର ପଟେଲଙ୍କ ଭଳି ତୁଙ୍ଗ ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସରେ ଉଚିତ ସ୍ଥାନ ମିଳି ପାରିନଥିଲା।”

“ଏହାଛଡ଼ା ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮୨ ମିଟର ଉଚ୍ଚର ପୃଥିବୀର ସବୁଠୁ ବଡ଼ ପ୍ରତିମୂର୍ତ୍ତି ଆଗାମୀ ଶହ ଶହ ବର୍ଷ ପର୍ଯ୍ୟନ୍ତ ଭାରତୀୟମାନଙ୍କୁ ଏକ ସୁତ୍ରରେ ବାନ୍ଧିରଖିବାର ପ୍ରେରଣା ଦେବ” କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, “ଯଦି ସର୍ଦ୍ଦାର ପଟେଲ ନ ଥାନ୍ତେ, ତାହା ହେଲେ ବ୍ରିଟିଶ ଶାସନର ଡିଭାଡ୍ ଆଣ୍ଡ ରୁଲ ଷଡ଼ଯନ୍ତ୍ରରେ ଭାରତ ଖଣ୍ଡ ଖଣ୍ଡ ହୋଇ ରହିଥା’ନ୍ତା।” ସର୍ଦ୍ଦାର ପଟେଲଙ୍କ ଉଦ୍ୟମ ଯୋଗୁଁ ହିମାଳୟରୁ କନ୍ୟାକୁମାରୀ ଯାଏଁ ଭାରତ ଏକ ରାଷ୍ଟ୍ର ହୋଇପାରିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, “ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାରେ ଦେଶର ପ୍ରଥମ ଦେଶୀୟ ରାଜ୍ୟ ଭାବେ ଓଡ଼ିଶାର ନୀଳଗିରି ଭାରତରେ ସାମିଲ ହୋଇଥିଲା।

ଏହାଛଡ଼ା ଏହି ରନ୍ ଫର ୟୁନିଟି ମାରାଥନରେ ସକାଳୁ ସକାଳୁ ହଜାର ହଜାର ଯୁବକ, ଯୁବତୀ ଯୋଗ ଦେଇଥିଲେ। ଏହି ଅବସରରେ ଯୁବପିଢ଼ିଙ୍କୁ ଏକତା ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।


















