ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡ଼ିଲେ ଚନ୍ଦ୍ରବାବୁ ନାଇଡ଼ୁ।

୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ମହାମେଣ୍ଟ ଗଠନ କରିବା ଉପରେ କଂଗ୍ରେସ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଜେପି ବିରୋଧୀ ଆଞ୍ଚଳିକ ଦଳକୁ ଏକାଠି କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଙ୍କ କଷୁଛନ୍ତି।

ମହାମେଣ୍ଟ ପାଇଁ କୌଣସି ରାଜନୀତିକ ଦଳ ପକ୍ଷରୁ ଗ୍ରୀନସିଗ୍‌ନାଲ ଆସି ନଥିବାରୁ ଏହି ଚର୍ଚ୍ଚା ଉପରେ ରୋକ୍ ଲାଗିଥିଲା। କିନ୍ତୁ ଆଜି ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଭେଟିବା ପରେ ପୁଣି ମହାମେଣ୍ଟ ଚର୍ଚ୍ଚା ତାଜା ହୋଇଛି।

“ବିଜେପି ଦେଶର ବିଭିନ୍ନ ସଂସ୍ଥାକୁ ଶେଷ କରିଦେବାକୁ ଚାହୁଁଛି। ବିଜେପି ହାତରୁ ଦେଶର ଭବିଷ୍ୟତକୁ ବଞ୍ଚାଇବାକୁ ପଡ଼ିବ। ଏହା ହେଉଛି ଆମର ପ୍ରାଥମିକତା। ପୁରୁଣା କଥାକୁ ଭୁଲି ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ”, ଚନ୍ଦ୍ରବାବୁଙ୍କ ସହ ସାକ୍ଷାତ କରିବା ପରେ ଏହା କହିଛନ୍ତି ରାହୁଲ।

ଏହି ଅବସରରେ ରାଫେଲ ଦୁର୍ନୀତି କଥା ପୁଣିଥରେ ଦୋହରାଇଛନ୍ତି ରାହୁଲ। ସେ କହିଛନ୍ତି ଯେ ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଛି। ଏହି ମାମଲାର ତଦନ୍ତ ପୂର୍ବରୁ ସିବିଆଇରେ ଅଦଳ ବଦଳ କରାଯାଇଛି।

୨୦୧୯ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଚନ୍ଦ୍ରବାବୁ ଏବେ ଉଦ୍ୟମ ଜାରି କରିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପୂର୍ବରୁ ଚନ୍ଦ୍ରବାବୁ ବିଭିନ୍ନ ଦଳର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଜେପି ବିରୋଧୀଙ୍କୁ ଏକାଠି କରିବା ପାଇଁ ଚନ୍ଦ୍ରବାବୁ ଲାଗିପଡ଼ିଛନ୍ତି।

ଚନ୍ଦ୍ରବାବୁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଭେଟିଥିଲେ।

ଗତ ଅକ୍ଟୋବର ୨୭ ତାରିଖରେ ଚନ୍ଦ୍ରବାବୁ ନୂଆଦିଲ୍ଲୀରେ ବିଏସ୍‌ପି ମୁଖ୍ୟ ମାୟାବତୀ, ବିଜେପିର ପୂର୍ବତନ ନେତା ଯଶୋବନ୍ତ ସିହ୍ନାଙ୍କୁ ଭେଟିଥିଲେ।

ଚନ୍ଦ୍ରବାବୁ ନାଇଡ଼ୁ ୨୦୧୪ରେ ଏନଡିଏ ମେଣ୍ଟରେ ରହିଥିଲେ। କିନ୍ତୁ ଆନ୍ଧପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ ବିଜେପି ରାଜି ନହେବାରୁ ସେ ଏନଡିଏ ମେଣ୍ଟରୁ ଓହରି ଯାଇଛନ୍ତି।

Comment