ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇ ନବୀନ ବିଜେପିକୁ ଟାର୍ଗେଟ କରିଛନ୍ତି।
୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି ବିଜେପି-ବିଜେଡି ଭିତରେ ବୟାନବାଜି ସେତିକି ବଢ଼ୁଛି। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ବର୍ଷୁଥିବା ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ ବିଜେପିକୁ ଘେରୁଛନ୍ତି। ଶୁକ୍ରବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରକୁ ତୀର ମାରି ରାଜନୀତି ପାଣିପାଗ ଉଷ୍ମ କରିଛନ୍ତି।
ମଧ୍ୟ-ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଲକ୍ଷ୍ମୀସାଗରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରା ସାମିଲ ହୋଇଥିଲେ ନବୀନ। ଏହି ଅବସରରେ ନବୀନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କଥା ଉଠାଇ ବିଜେପିକୁ ତୀର ମାରିଛନ୍ତି। ଏହାର ଜବାବ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି।
ନବୀନ ପଟ୍ଟନାୟକ କହିଛନ୍ତି, “୨୦୧୪ ନିର୍ବାଚନ ବେଳେ କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ
ନିର୍ବାଚନୀ ଇସ୍ତାହାରରେ ଅଗ୍ରାଧିକାର ଦେଇଥିଲା। ହେଲେ ସରକାରକୁ ଆସିବା ପରେ ବିଜେପି ଏହି ପ୍ରତିଶ୍ରୁତି ଭୁଲି ଯାଇଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରନ୍ତା।”
ନବୀନ ଆହୁରି କହିଛନ୍ତି, “ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ବିଜେପି ସହ ମେଣ୍ଟ କରିଥିଲୁ। ୨୦୦୦ରୁ ୨୦୦୯ ଯାଏଁ ମେଣ୍ଟରେ ରହିଥିଲୁ। କିନ୍ତୁ କିଛି ଲାଭ ହେଲାନି। ୨୦୧୪ରେ ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏଯାଏଁ ଓଡ଼ିଶାକୁ ତାର ହକ୍ ମିଳିପାରିନି।”
ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଛି। ଫଳରେ ଧନ ଜୀବନ ହାନି ହେଉଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବା ପାଇଁ ଏହା କ’ଣ ଯଥେଷ୍ଟ ନୁହେଁ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି।
“ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଆମର ହକ୍। ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ। ଯେପର୍ଯ୍ୟନ୍ତ ଆମକୁ ଆମ ହକ୍ ନମିଳିଛି ସେପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ”, କେନ୍ଦ୍ରକୁ ଟାର୍ଗେଟ କରି ନବୀନ ଏମିତି ବାଣ ମାରିଛନ୍ତି।
ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିକୁ ସରଗରମ କରିବା ପରେ ଧର୍ମେନ୍ଦ୍ର ଜବାବ ଦେଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି ବିଧାନସଭାରେ ତାଙ୍କ ସରକାରର ମନ୍ତ୍ରୀ କହିଥିଲେ। ନବୀନ ବାବୁ ଏହା ଭଲଭାବେ ଜାଣିଛନ୍ତି। ଏହାଛଡ଼ା ୧୪ଶ ଅର୍ଥ କମିଶନ ଲାଗୁ ହେବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ଆଉ ଆବଶ୍ୟକତା ନାହିଁ। କେନ୍ଦ୍ର ସରକାର ଗତ ୪ ବର୍ଷ ଭିତରେ ଓଡ଼ିଶାକୁ ଯେତିକି ଅନୁଦାନ ଦେଇଛନ୍ତି ତାହାକୁ ରାଜ୍ୟ ସରକାର ଠିକ୍ ଭାବେ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ସବୁ ଜାଣିଶୁଣି ନବୀନ ବାବୁ ରାଜନୈତିକ ଫାଇଦା ନେବା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବା ଠିକ୍ ନୁହେଁ।”
୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ଦାବି କରି ଆସୁଛନ୍ତି ରାଜ୍ୟ ସରକାର। ୨୦୧୪ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ବିଜେଡି ଦିଲ୍ଲୀର ରାମଲୀଳା ମଇଦାନରେ ସମାବେଶ କରିଥିଲା। ସେତେବେଳେ ଉପା ସରକାର ଶାସନରେ ରହିଥିଲେ।
୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଛି। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନବୀନ ସାଂସଦମାନଙ୍କୁ ନେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି କରିଥିଲେ। ୪ ମାସ ପରେ ଓଡ଼ିଶାରେ ଲୋକସଭା ସାଙ୍ଗକୁ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇ ନବୀନ ରାଜନୀତି ପାଣିପାଗକୁ ଉଷ୍ମ କରିଛନ୍ତି।








ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇ ନବୀନ ବିଜେପିକୁ ଟାର୍ଗେଟ କରିଛନ୍ତି।





