ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ବନମାଳିପୁର ଗାଁରେ ବାଣ ତିଆରି କରୁଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମୃତ୍ୟୁ ପରେ ପୋଲିସ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ସବୁ ଜିଲ୍ଲାର ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇ ଏଭଳି ଘଟଣା ଉପରେ କଡ଼ା ନଜର ରଖିବାକୁ କହିଛନ୍ତି।
ଡିଜି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, “ଯେଉଁ ସବୁ ଅଞ୍ଚଳରେ ବେଆଇନ ଭାବେ ବାଣ ତିଆରି ଚାଲିଛି ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବା ଦରକାର। ଏହି ନିର୍ଦ୍ଦେଶକୁ ଅବିଳମ୍ବେ ଲାଗୁ କରିବା ପାଇଁ କହିଛନ୍ତି।”
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବନମାଳିପୁର ନୂଆସାହିରେ ଲାଇସେନ୍ସ ନଥାଇ ବାଣ ତିଆରି କାରଖାନା ଚାଲିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଲା ଏନେଇ ପୋଲିସ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିଗତ ବହୁ ବର୍ଷ ଧରି ବନମାଳିପୁର ବାଣ ତିଆରିର ଏକ ପେଣ୍ଠ ହୋଇଯାଇଥିଲା। ଏନେଇ ବାରମ୍ବାର ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ପୋଲିସ ଜାଣିଶୁଣି ଚୁପ ରହିବା ଫଳରେ ଲୋକେ ବେଧଡକ ବାଣ ପ୍ରସ୍ତୁତ କରୁଥିଲେ। ବିସ୍ଫୋରଣ ପରେ ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଖବର ମିଳିଛି ଯେ ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ଦେବଗଡ଼, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ହଜାର ହଜାର ଘରୋଇ ବାଣ ତିଆରି କାରଖାନା ରହିଛି। ଏସବୁ ବେଆଇନ। କିନ୍ତୁ ପୋଲିସ ଚୁପଚାପ ଦେଖିବା ଛଡ଼ା ଆଉ କିଛି କରୁନାହିଁ।
ଗତ ବର୍ଷ ଦୀପାବଳି ପାଳନ ଅବସରରେ ବାଲେଶ୍ୱର ବହବଳପୁର, ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ବିଲିପଡାରେ ବାଣ ବିସ୍ଫୋରଣ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଥିଲା। ବାଲିପାଟଣା ଘଟଣା ପରେ ପୋଲିସ ମହାନିର୍ଦ୍ଦେଶକ ପୁଣିଥରେ ବେଆଇନ ବାଣ ତିଆରିକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।