ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ସାହିତ୍ୟ କେବଳ ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ନାଟକ, ପ୍ରବନ୍ଧ ଭିତରେ ସୀମିତ ହୋଇ ରହିନାହିଁ। ବ୍ୟାପକ ହୋଇଛି ଏହାର କଳେବର। ସ୍ୱାସ୍ଥ୍ୟ, ବିଜ୍ଞାନ ହେଉ କି ଧର୍ମ, ଭ୍ରମଣ, ରୋଷେଇ ହେଉ, ଏବେ ଏସବୁ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି।

ସାମାଜିକ ସ୍ଥିତି, ଆଧୁନିକ ଚିନ୍ତାଧାରା, ମାନବୀୟ ଅନୁଭୂତି ଆଦି ବିଭିନ୍ନ ଦିଗରେ ଗତିଶୀଳ ହେଉଛି ସାହିତ୍ୟ। ଏହା ଭିନ୍ନ ଭିନ୍ନ ଭାଷା, ଭାବନା, ଚଳଣୀ, ସଂସ୍କୃତିକୁ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଠିକ୍ ଟ୍ରେନ ଭଳି, ଯାହା ଗନ୍ତବ୍ୟ ସ୍ଥଳରେ ପହଁଚାଇବା ସହ ମଣିଷକୁ ମଣିଷ ସହିତ ଯୋଡ଼ିଥାଏ। ଏହି ଦୃଷ୍ଟିରୁ ଚଳନ୍ତା ଟ୍ରେନରେ ସାହିତ୍ୟ ଉତ୍ସବ ବେଶ ନିଆରା ଓ ସ୍ୱତନ୍ତ୍ର।

ଉଭୟ ଲେଖକ ଓ ପାଠକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ ଡିସେମ୍ବର ୧୪ ତାରିଖରେ ‘ୱାକିଙ୍ଗ୍ ବୁକ୍ ଫେୟାର୍ସ’ ପକ୍ଷରୁ ଆୟୋଜିତ ହୋଇଥିଲା ‘ଟ୍ରାଭେଲ୍ ରାଇଟିଙ୍ଗ ଫେଷ୍ଟିଭାଲ୍’ର ଦ୍ୱିତୀୟ ସଂସ୍କରଣ। ଭାରତର ଦୁଇଟି ପ୍ରମୁଖ ପ୍ରକାଶକ ସଂସ୍ଥା ‘ସ୍ପିକିଙ୍ଗ ଟାଇଗର’ ଏବଂ ‘ହାର୍ପର୍କଲିନ୍ସ’ର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାହିତ୍ୟର ଏହି ଅନନ୍ୟ ଉତ୍ସବରେ ଅନେକ ଲେଖକ, ପ୍ରଧ୍ୟାପକ, ସାମ୍ବାଦିକ, ସେଫ୍ (ରୋଷେଇ ବିଶେଷଜ୍ଞ), ପୁସ୍ତକ ପ୍ରେମୀ ଯୋଗଦେଇ ଭ୍ରମଣ ସହିତ ସାହିତ୍ୟ ଉତ୍ସବର ମଜା ନେଇଥିଲେ।

ଏହି ସାହିତ୍ୟ ଉତ୍ସବ ପାଇଁ ସମ୍ବଲପୁର-ପୁରୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବଗି ଲାଗିଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ଇଷ୍ଟ-କୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ପରମେଶ୍ୱର ଫଙ୍କୱାଲ। ଟ୍ରେନ ଗଡ଼ିଥିଲା ଭୁବନେଶ୍ୱରରୁ ପୁରୀ। ବାଟରେ ଓଡ଼ିଶାର ଖାଦ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ ଭ୍ରମଣ କାହାଣୀକୁ ନେଇ ଲିଖିତ ପୁସ୍ତକ ବିଷୟରେ ଏହି ‘ଟ୍ରାଭେଲ୍ ରାଇଟିଙ୍ଗ ଫେଷ୍ଟିଭାଲ୍’ ରେ ଅଲୋଚନା କରାଯାଇଥିଲା। ପାଖାପାଖି ୮୦ଜଣ ଏହି ଉତ୍ସବରେ ସାମିଲ ହୋଇ ଭ୍ରମଣ ସହିତ ସାହିତ୍ୟର ଅନୁଭୂତି ହାସଲ କରିଥିଲେ।

ଟ୍ରେନଟି ପୁରୀରେ ପହଁଚିବା ପରେ ସମସ୍ତେ ରିକ୍ସାରେ ବସି ପୁରୀର ବିଏନ୍ଆର୍ ଛକରେ ଏକାଠି ହୋଇଥିଲେ। ନିଜ ପୁସ୍ତକ ‘ଚେଞ୍ଜିଂ ଭିଲେଜ୍ ଚେଞ୍ଜିଂ ଲାଇଫ୍’ ବିଷୟରେ ଜଣାଇଥିଲେ ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି।

ଓଡ଼ିଶାର ସଂସ୍କୃତି ଓ ଐତିହ୍ୟରେ ପୁରୀ ସହରର ସ୍ୱତନ୍ତ୍ର ସ୍ଥାନ ରହିଛି। ‘ଟ୍ରାଭେଲ୍ ରାଇଟିଙ୍ଗ ଫେଷ୍ଟିଭାଲ୍’ରେ ଭାଗ ନେଇଥିବା ଲେଖକ, ପାଠକ ଓ ବୁଦ୍ଧିଜୀବୀ ରାସ୍ତାରେ ଚାଲି ଚାଲି ପୁରୀର ପ୍ରାଚୀନ ଐତିହ୍ୟ ବିଷୟରେ ଅଲୋଚନା କରିଥିଲେ। ଏହାପରେ ପୁରୀର ଏକ ହୋଟେଲରେ ସମସ୍ତେ ଏକାଠି ହୋଇ ସାମାଜିକ ପରିବର୍ତ୍ତନ ଏବଂ ଆଧୁନିକ ଚିନ୍ତାଧାରା ସମ୍ପର୍କରେ କଥା ହୋଇଥିଲେ। 

ପୁରୀରେ ଚାଲୁଥିବା ବ୍ୟାଟେରୀଚାଳିତ ଗାଡ଼ି ଯୋଗେ ସମସ୍ତେ ‘ବ୍ଲୁ ଫ୍ଲାଗ ବିଚ୍’ ଠାରେ ପହଁଚିଥିଲେ। ଆମ ଜୀବନରେ ଖାଦ୍ୟ ଓ ଭ୍ରମଣର ଆବଶ୍ୟକତା, ଜଣେ ସାଧାରଣ ଲୋକ ଭ୍ରମଣ ସାହିତ୍ୟ କିଭଳି ଲେଖିପାରିବ ଓ ପଢ଼ିପାରିବ, ସେ ବିଷୟରେ ଅତିଥିମାନେ ବୁଝାଇଥିଲେ। ଶେଷରେ ସମସ୍ତେ ଦିନବ୍ୟାପୀ ଚାଲିଥିବା ଏହି ଉତ୍ସବର ଅନୁଭୂତି ବର୍ଣ୍ଣନା କରିଥିଲେ।

“ଏଭଳି ଉତ୍ସବରେ ଯୋଗଦେବାର ସୁଯୋଗ ପାଇ ମୁଁ ବହୁତ ଖୁସି। ଏହି ଉତ୍ସବ ଦ୍ୱାରା ଯୁବପିଢ଼ି ଆମ ଭାଷା ଓ ସାହିତ୍ୟ ସହିତ ଯୋଡ଼ି ହୋଇ ରହିବେ,” କହିଛନ୍ତି ଇଷ୍ଟ-କୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ପରମେଶ୍ୱର ଫଙ୍କୱାଲ।

“ଆମେ ବିଭିନ୍ନ ସ୍ଥାନ ଭ୍ରମଣ କଲେ ସେଠାକାର ଐତିହ୍ୟ, ପରମ୍ପରା, ସଂସ୍କୃତି ସହିତ ଅନେକ ନୂଆ ଅଭିଜ୍ଞତା ହାସଲ କରିଥାଉ। ଏହା ଆମ ଭାବନା ଶକ୍ତିକୁ ବୃଦ୍ଧି କରେ। ସେହି ଅନୁଭୂତିକୁ ଲେଖିଲେ, ସେଥିରେ ଅନେକ ଲୋକ ଉପକୃତ ହେବେ। ଏଭଳି ଉତ୍ସବ ଆମ ଭାଷା ଓ ସାହିତ୍ୟକୁ ଆଗକୁ ନେଇପାରିବ,” କହିଛନ୍ତି ବିଶିଷ୍ଟ ଟ୍ରାଭେଲ ରାଇଟର ରବି ମନ୍ଥା।

ଏହି ଅଭିନବ ସାହିତ୍ୟ ଉତ୍ସବରେ ବିଶିଷ୍ଟ ଲେଖକ ରବି ମନ୍ଥା, ଔପନ୍ୟାସିକ ଚନ୍ଦ୍ରହାସ ଚୌଧୁରୀ, ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ, ଲେଖିକା ଶ୍ୱେତା ବିଶ୍ୱାଳ, ଜଣାଶୁଣା ସେଫ୍ ରଚିତ କୀର୍ତ୍ତିମାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

Tags: #TravelWritingFestival #BookLovers #Literature #WalkingBookFair

LEAVE A REPLY

Please enter your comment!
Please enter your name here