ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରଠାରେ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବ କହ୍ନେଇଲାଲ ଦାସ ଜୟନ୍ତୀ ସମାରୋହ। ଏହି ଅବସରରେ ଯୁବପିଢ଼ିର ପ୍ରମୁଖ କଥାକାର ଭାବେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସରୋଜ ବଳଙ୍କୁ ଚଳିତ ବର୍ଷ ‘କହ୍ନେଇ କଥା ପୁରସ୍କାର ୨୦୨୫’ ପ୍ରଦାନ କରାଯିବ।
ଓଡ଼ିଆ କଥାସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ଵର୍ଗତ କହ୍ନେହେଇଲାଲ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ବାଲେଶ୍ଵର ସର୍କିଟ ହାଉସଠାରେ ଏହା ଉପଲକ୍ଷେ କହ୍ନେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମାରୋହ ପାଳନ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଇଥିଲା।
ଗାଳ୍ପିକ ତଥା ସ୍ମୃତି ସଂସଦର ଆବାହକ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ।
ପ୍ରାରମ୍ଭରେ ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମତାଲିକା ପ୍ରକାଶ କରଥିଲେ। ପରେ ସର୍ବସମ୍ମତି କ୍ରମେ ସରୋଜ ବଳଙ୍କୁ ଏହି ପୁରସ୍କାର ଲାଗି ମନୋନୀତ
କରା ଯାଇଥିଲା। ପରେ ପରେ ବିଧାୟକ ଭାବେ ଏକ ବର୍ଷ ପୂରଣ କରୁଥିବାରୁ ଗୌତମବୁଦ୍ଧ ଦାସଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।
ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି ଚଳିତ ବର୍ଷ ଭୁବନେଶ୍ଵରଠାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ସମାରୋହ ଭୁବନେଶ୍ଵର ସ୍ଥିତ ଗୀତଗୋବିନ୍ଦ ଭବନଠାରେ ଜୁନ ୨୫ ତାରିଖ ସନ୍ଧ୍ୟା ୬ଟାରେ ହେବାକୁ ସ୍ଥିର ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏହି ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ ସହଭାଗିତାରେ କରାଯିବାକୁ ଏକାଡେମୀ ପକ୍ଷରୁ ସଚିବ ଚନ୍ଦ୍ରଶେଖର ହୋତା ସମ୍ମତି ପ୍ରଦାନ କରିଛନ୍ତି।
ଏଥିରେ ଉଦଘାଟକ ଭାବେ ଉଚ୍ଚଶିକ୍ଷା ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଥାକାର ଅଜୟ ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ କହ୍ନେଇ କଥା ପୁରସ୍କାର ବିଜେତା ସରୋଜ ବଳଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ସହ ୧୦ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର, ନିବାରଣ ଜେନା, ବ୍ୟୋମନାଥ ରଥ, ଯାଦବେଶ ମିଶ୍ର, ଅଭୟ ଦାସ, ରାମନାରାୟଣ ଦେ, ସ୍ମୃତି ଦାସ, ଶୁଭେନ୍ଦୁ ଦାସ, ରାଜେଶ ଗିରି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
Tags: #KanheiKathaPuraskar #SarojBal #Literature #Odisha


















