ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ ଡିଜିଟାଇଜେସନ ଆଡ଼କୁ ଅଗ୍ରସର ହେଉଛି ଭାରତ। ଗୋଟିଏ କ୍ଲିକ୍ରେ ଦୁନିଆ ଯାକର ଖବର ମିଳିଯାଉଛି। ଏଭଳି ସମୟରେ ‘ଓଡ଼ିଆ ବିଭବ’ ୱେବ୍ସାଇଟ୍ ଡିଜିଟାଲ ପାଠାଗାର ଏକ ନୂଆ ସାଧନ ଭାବେ ଉଭା ହୋଇଛି। ଏଥିରେ ଏବେ ସୁଦ୍ଧା ୧୫ ହଜାର ଖଣ୍ଡ ବହି ଡିଜିଟାଇଜ୍ ହୋଇ ସାରିଲାଣି।
‘ଓଡ଼ିଆ ବିଭବ’ର ଏହି ଉପଲବ୍ଧି ଅବସରରେ ସୃଜନିକା ତରଫରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଏକ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ଵରେ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସମାଜସେବୀ ପଞ୍ଚାନନ କାନୁନଗୋ ଓ ବିଶିଷ୍ଟ ସାହିତ୍ୟିକା ଡକ୍ଟର ସଙ୍ଘମିତ୍ରା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଗତ ୭ ବର୍ଷ ଭିତରେ ‘ଓଡ଼ିଆ ବିଭବ’ ୱେବ୍ସାଇଟ୍ରେ ୧୫ ହଜାର ବହି ଡିଜିଟାଇଜ୍ ହୋଇ ସଂରକ୍ଷିତ ହେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭବର ଡିଜିଟାଇଜେସନ୍ ଏବଂ ସୃଜନିକା ଜରିଆରେ ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଯାଇଥିଲା।
୨୦୧୭ରେ ମାତ୍ର ୨୦୦ ବହି ଓ ଅଳ୍ପ କିଛି ପତ୍ରିକା ଓ ଖବରକାଗଜକୁ ନେଇ ଆରମ୍ଭ ହୋଇଥିବା ଓଡ଼ିଆ ବିଭବ ଡଟ୍ ଇନରେ ଏବେ ୧୫ ହଜାର ବହି, ୧୩୧ଟି ପତ୍ରିକା, ୨୧ଟି ଖବରକାଗଜ ସହ ୨୧ଟି ଡିଜିଟାଲ ସଂକଳନ ରହିଛି। ଏହି ସବୁ ତାଲିକାରେ ବହୁ ବିରଳ ବହି, ପତ୍ରିକା ଓ ଖବରକାଗଜ ରହିଛି।
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଅନ୍ଲାଇନ୍ ଅଭିଧାନ ଶବ୍ଦାର୍ଥ, ଗୀତଗୋବିନ୍ଦ ଆଦି ସଂରକ୍ଷଣ ଓ ଉପସ୍ଥାପନ ଓଡ଼ିଆ ବିଭବର ସ୍ୱତନ୍ତ୍ରତାର ସଙ୍କେତ ବହନ କରୁଛି। ଅଭିଧାନରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ୯୦,୦୦୦ ଶବ୍ଦ ରହିଛି। ସେହିପରି ଭାଷାକୋଷ ପୃଷ୍ଠାରେ ମଧ୍ୟ ଓଡ଼ିଆ ଶବ୍ଦ ଟାଇପ୍ କରି ଏହାର ଭାଷାକୋଷରେ ଥିବା ତଥ୍ୟ ସହଜରେ ଖୋଜିହେବା ବ୍ୟବସ୍ଥା ରହିଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଆ ବିଭବରେ ୨୨ ଲକ୍ଷ ୫୫ ହଜାର ୧୮୮ ପୃଷ୍ଠାର ବହି, ୪ ଲକ୍ଷ ୨ ହଜାର ୫୦୦ ପୃଷ୍ଠାର ପତ୍ରିକା, ୬୮ ହଜାର ୭୭୧ ପୃଷ୍ଠାର ଖବରକାଗଜ ଏବଂ ପ୍ରାୟ ୨ ଲକ୍ଷ ୭୦ ହଜାର ୬୫୦ ପୃଷ୍ଠାର ସଂକଳନ ସହ ମୋଟ ୩୦ ଲକ୍ଷ ୪୬ ହଜାର ୮୫୦ ଡିଜିଟାଇଜ୍ ପୃଷ୍ଠା ସଂରକ୍ଷିତ ହୋଇ ରହିପାରିଛି।
ଓଡ଼ିଆ ବିଭବ ଓ ସୃଜନିକାର ମୁଖ୍ୟ ଡକ୍ଟର ନିଖିଳ ମୋହନ ପଟ୍ଟନାୟକ ଡିଜିଟାଇଜେସନ୍ କାମ ଭିତରେ ଦେଖାଯାଉଥିବା ସମସ୍ୟା ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ସୂଚନା ଦେଇଥିଲେ। ସମସ୍ୟାର ସମାଧାନ ପାଇଁ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ସମଦୃଷ୍ଟି ପତ୍ରିକାର ମୁଖ୍ୟ ସମ୍ପାଦକ ସୁଧିର ପଟ୍ଟନାୟକ, ସୃଜନିକାର କର୍ମକର୍ତ୍ତା ପୁଷ୍ପଶ୍ରୀ ପଟ୍ଟନାୟକ, ପଦ୍ନଜାନନ୍ଦିନୀ ସାହୁ, କମ୍ପୁଟର ପ୍ରଫେସର ଅଜିତ୍ କୁମାର ନାୟକ ଜୀବନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ରରେ ବହୁ ଅଧ୍ୟାପକ, ସମାଜସେବୀ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Tags: #OdiaBibhaba #DigitalLibrary #OdiaBooks #OdiaLiterature #Odisha


















