ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ ପାଇଁ ଏବେ ସମାଜ ଛାର୍‌ଖାର୍‌ ହେବାକୁ ବସିଲାଣି। ମଦ୍ୟପାନ କରିବାକୁ ବିରୋଧ କରିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଚାଞ୍ଚୋଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।

ଦୁଇ ଜଣ ମଦ୍ୟପ ଉତ୍‌କ୍ଷିପ୍ତ ହୋଇ ମଦକୁ ବିରୋଧ କରୁଥିବା ଯୁବକଙ୍କୁ ଲୁହା ବଳାରେ ଗୋଡ଼େଇ ଗୋଡ଼େଇ ଛେଚି ଗୁରୁତର ଭାବେ ଆହତ କରିଛନ୍ତି। ଆହତଙ୍କୁ ତୁରନ୍ତ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଆହତଙ୍କର ଅବସ୍ଥା ସଙ୍ଗୀନ ହୋଇ ପଡ଼ିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ପାଟକୁରା ପୋଲିସ କହିବାନୁସାରେ, କିଛିଦିନ ତଳେ ଦୁଇଜଣ ଯୁବକ ପାଟକୁରା ଥାନା ଅନ୍ତର୍ଗତ ଚାଞ୍ଚୋଳ ଗାଁର ଛକରେ ବସି ମଦ ପିଉଥିଲେ। ସେହି ବାଟ ଦେଇ ଯାଉଥିଲେ ଚାଞ୍ଚୋଳ ଗାଁର ତାପସ ବରାଳ ନାମକ ଜଣେ ଯୁବକ। ତାପସ ମଦ୍ୟପାନ କରୁଥିବା ଯୁବକଙ୍କର ମାମୁଁଙ୍କୁ ଏବିଷୟରେ ସୂଚନା ଦେଇଥିଲେ।

ଏହାପରେ ମଦ ପିଉଥିବା ଯୁବକଙ୍କ ମାମୁ ଘଟଣାସ୍ଥଳରେ ପହଞ୍ଚି ଭଣଜାକୁ ଗାଳି କରିଥିଲେ। ମଦ ବୋତଲ ଫିଙ୍ଗି ମଦ୍ୟାସକ୍ତ ଦୁଇ ବନ୍ଧୁ ସେଠାରୁ ଚାଲିଗଲେ। ସେମାନେ ମଦ ପିଉଥିବା ଖବର ମାମୁଙ୍କ ପାଖରେ କିପରି ପହଞ୍ଚିଲା, ସେବିଷୟରେ ପତ୍ତା ଲଗାଇଥିଲେ।

ସେମାନେ ମଦ ପିଉଥିବା ବେଳେ ଚାଞ୍ଚୋଳ ଗାଁର ତାପସ ବରାଳ ଦେଖିଥିଲା ବୋଲି ସନ୍ଦେହ ହୋଇଥିଲା। ଏହାପରେ ଦୁଇ ଜଣ ମଦ୍ୟପ ତାପସଙ୍କ ପିଛା କରୁଥିଲେ। ଗୁରୁବାର ଗାଁକୁ ଫେରୁଥିବା ବେଳେ ତାପସଙ୍କୁ ସେମାନେ କାବୁ କରି ନେଇଥିଲେ।

ଏହାପରେ ହାତରେ ପିନ୍ଧିଥିବା ମୋଟା ଲୁହାବଳାରେ ତାପସଙ୍କ ମୁହଁକୁ ଗୋଡ଼େଇ ଗୋଡ଼େଇ ଛେଚି ଲହୁଲୁହାଣ କରି ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାପସଙ୍କୁ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତାପସଙ୍କ ମୁହଁ, ବେକ ଓ ଗାଲରେ ଗଭୀର ଆଘାତ ଲାଗିଥିଲା। ପ୍ରଚୁର ରକ୍ତ ସ୍ରାବ ହେତୁ ତାପସ ଗୁରୁତର ହୋଇ ପଡ଼ିବାରୁ ପାଟକୁରା ଡାକ୍ତଖାନାର ଡାକ୍ତର ତାପସଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ତାପସଙ୍କ ପରିବାର ଏବିଷୟରେ ଥାନାରେ ଅଭିଯୋଗ କରିପାରି ନାହାନ୍ତି।

ତେବେ ଚାଞ୍ଚୋଳ ଗାଁରୁ ଟେଲିଫୋନରେ ଏପରି ଏକ ଗୁରୁତର ଖବର ପାଇ ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Comment