ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ଟିମ୍ ଇଣ୍ଡିଆ। ରୋମାଞ୍ଚକର ମୁକାବିଲାରେ କଙ୍ଗାରୁ ଟିମ୍ ୪ ରନରେ ମ୍ୟାଚ୍ ଜିତି ନେଇଛି। ଡକ୍ୱର୍ଥ ଲୁଇସ ନିୟମ ଆଧାରରେ ଟିମ୍ ଇଣ୍ଡିଆକୁ ୧୭୪ ରନର ଟାର୍ଗେଟ ମିଳିଥିଲା। ଜବାବରେ ଭାରତୀୟ ଟିମ୍ ୧୭ ଓଭରରେ ୭ ୱିକେଟ ହରାଇ ୧୬୯ ରନ କରିପାରିଥିଲା।
ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ୧୭ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ ସର୍ବାଧିକ ୪୬ ଏବଂ କ୍ରିସ ଲିନ୍ ୩୭ ରନ୍ କରିଥିଲେ।

ଭାରତୀୟ ଟିମ୍ ପକ୍ଷରୁ କୁଲଦୀପ ଯାଦବଙ୍କୁ ୨, ବୁମରାହ ଏବଂ ଖଲିଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ୧୭୪ ରନର ଟାର୍ଗେଟକୁ ଲକ୍ଷ୍ୟକରି ପାଳି ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଓପନର ରୋହିତ ଶର୍ମା ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ।
ଓପନର ଶିଖର ଧାୱନ ସର୍ବାଧିକ ୭୬ ରନ କରିଥିଲେ। କ୍ୟାପଟେନ କୋହଲି ୪, ରିଷଭ ପନ୍ତ ୨୦, ଲୋକେଶ ରାହୁଲ ୧୩ ଓ ପାଣ୍ଡ୍ୟା ୨ ରନ ନିରାଶ କରିଥିଲେ।

ଶେଷ ଓଭରରେ ବିଜୟ ପାଇଁ ୧୩ ରନ ଆବଶ୍ୟକ ଥିଲାବେଳେ ଦିନେଶ କାର୍ତ୍ତିକ ଓ କୁନାଲ ପାଣ୍ଡ୍ୟା ଆଉଟ୍ ହେବାରୁ ବିଜୟଠାରୁ ୪ ରନ ଦୂରରେ ରହିଯାଇଥିଲା ଭାରତ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି । ଆସନ୍ତା ଶୁକ୍ରବାର ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ ।


















