ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ଵକପ୍‌ ପରେ ଭୁବନେଶ୍ୱର ନୂଆ ଖେଳ ରାଜଧାନୀ ଭାବେ ପରିଗଣିତ ହେଉଛି।

ଭାରତର ନୂଆ ଖେଳ ରାଜଧାନୀ ଭାବରେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯାଉଛି। ଏହାର ପ୍ରମାଣ ବର୍ତ୍ତମାନ ଚାଲିଥିବା ବିଶ୍ଵକପ ହକି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆନ୍ତର୍ଜାତିକ ଖେଳ ରାଜ୍ୟରେ କେବଳ ହକି ଜ୍ୱର ସୃଷ୍ଟି କରିଛି ତାହା ନୁହେଁ ଏହା ଜରିଆରେ କଳିଙ୍ଗ ଷ୍ଟାଡିୟମର ଗୁରୁତ୍ୱ ମଧ୍ୟ ବେଶ୍ ବୃଦ୍ଧି ପାଇଛି।

ସତ କହିଲେ ପୁରୀ କୋଣାର୍କ ଏବେ ଆଉ ବିଚାରକୁ ଆସୁନାହିଁ, ଆସୁଛି ଖେଳ। ଏହି ନୂଆ ପରିଚୟ ସୃଷ୍ଟି କରିବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ବିଗତ ଦୁଇ  ବର୍ଷ ଧରି ଢେର ଉଦ୍ୟମ କରି ଆସିଛନ୍ତି।

ଆନ୍ତର୍ଜାତିକ ବ୍ରାଣ୍ଡ ବିଶେଷଜ୍ଞ ସୌରଭ ଉବେବଜ୍ଜା କହିଛନ୍ତି, “ଓଡ଼ିଶା ସରକାରଙ୍କ ତରଫରୁ ଆଗାମୀ ଦିନରେ ଖେଳ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରାଯିବ। ବର୍ତ୍ତମାନ ବାର୍ଷିକ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆସନ୍ତା ବର୍ଷ ଆଡ଼କୁ ଏହା ବୃଦ୍ଧି ପାଇ ୩୫୦ କୋଟିରେ ପହଞ୍ଚିବ।”

ନିକଟରେ ଶେଷ ହୋଇଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ଦେଶର ବଡ଼ ବଡ଼ କର୍ପୋରେଟ ଯଥା ଟାଟା ଗ୍ରୁପ, ଜେଏସଡବ୍ଲୁ ଗ୍ରୁପ, ରିଲାଏନ୍ସ, ଆଦିତ୍ୟ ବିର୍ଲା ଓ ଅନ୍ୟାନ୍ୟ ଶିଳ୍ପପତିମାନେ ଓଡ଼ିଶାରେ ବିଭିନ୍ନ ଧରଣର ଖେଳ ପ୍ରକଳ୍ପ ପାଇଁ ପୁଞ୍ଜି ବିନିଯୋଗ କରିବେ ବୋଲି ଘୋଷଣା କରିଛନ୍ତି। ଏନେଇ କିଛି ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି।

ଏହିସବୁ ଶିଳ୍ପପତିଙ୍କ ଦ୍ଵାରା ଯେଉଁ ଅର୍ଥ ବିନିଯୋଗ ହେବ ତାହା ଦ୍ଵାରା ଓଡ଼ିଶାରେ ଖେଳର ଏକ ନୂଆ ମାହୋଲ ସୃଷ୍ଟି ହେବା ସୁନିଶ୍ଚିତ। ଓଡ଼ିଶା ସରକାରଙ୍କ ଯୋଜନା ହେଉଛି ହକି, ଫୁଟବଲ, ଆଥଲେଟିକ୍ସ, ସୁଟିଙ୍ଗ, ସୁଇମିଙ୍ଗ, ୱେଟ ଲିଫଟିଙ୍ଗ ଆଦିରେ ସ୍ପୋର୍ଟସ ଏକାଡେମୀ ପ୍ରତିଷ୍ଠା କରିବା। ଗତ ମାସରେ ଅଲ ଇଣ୍ଡିଆ ଫୁଟବଲ ଫେଡରେସନ ସହିତ ମଧ୍ୟ  ଓଡ଼ିଶା ସରକାର ଏକ ଚୁକ୍ତି କରିଥିଲେ ଯାହାଦ୍ୱାରା ଫୁଟବଲ ଜାତୀୟ ଟିମକୁ ଏଠି ତାଲିମ ଦିଆଯିବ।

Comment