ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୟ ଏବଂ ଦିଲ୍ଲୀପ ଇସ୍ତଫା ଦେବା ପରେ ବିଜେପି ଶିବିରରେ ହଲ୍ଚଲ୍। ‘ଓଡ଼ିଶାଲାଇଭ୍’ କ୍ୟାମେରା ଆଗରେ ବିଜେପିକୁ ବାଣ ମାରିଲେ ବିଜୟ।
ଭାରତୀୟ ଜନତା ପାର୍ଟି ସହ ୯ ବର୍ଷର ସମ୍ପର୍କ ତୁଟାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଶୁକ୍ରବାର ଦିନ ବିଜେପିରୁ ଇସ୍ତଫା ଦେଇ ମୋଦି ସରକାର ଉପରେ ବର୍ଷିଛନ୍ତି ବିଜୟ। ମୋଦି ସରକାର ଓଡ଼ିଶା ପ୍ରତି ଅବହେଳା କରି ଆସୁଛନ୍ତି ଏବଂ ଯେତେ ଦାବି କଲେ ଶୁଣୁ ନାହାନ୍ତି ବୋଲି ବିଜୟ ‘ଓଡ଼ିଶାଲାଇଭ୍’ କ୍ୟାମେରା ଆଗରେ ରୋକ୍ଠୋକ୍ କହିଛନ୍ତି।
ଓଡ଼ିଶାର ଦାବି ଶୁଣିଲାନି କେନ୍ଦ୍ର
“ବିଜେପି ସହିତ ୨ ବର୍ଷ ହେଲା ମୋର ଭଲ ସମ୍ପର୍କ ନଥିଲା। ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଯାହା ଦାବି କରି ଆସୁଥିଲୁ ତାହା ବିଜେପିର କେନ୍ଦ୍ର ନେତାମାନେ ଶୁଣିଲେ ନାହିଁ। ବାରମ୍ବାର ଆଲୋଚନା ପରେ ବି କିଛି ସୁଫଳ ମିଳିଲାନି। ଏଣୁ ବାଧ୍ୟ ହୋଇ ବିଜେପି ଛାଡ଼ିଲି”, ଓଡ଼ିଶାଲାଇଭ୍କୁ କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।
ବିଜୟ ବିଜେପିରେ ଅଲୋଡ଼ା ହୋଇ ରହିଛନ୍ତି ବୋଲି ଦୀର୍ଘ ଦିନ ଧରି ଆଲୋଚନା ହୋଇ ଆସୁଥିଲା। ‘ବିଜୟ ବିଜେପି ଛାଡ଼ି ପାରନ୍ତି’ – ଏନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଥିଲା। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୟ ଆଜି ବିଜେପି ଛାଡ଼ିଛନ୍ତି।
ମହାନଦୀ ସମସ୍ୟା ସମାଧାନ ହେଲାନି
ବିଜୟ କହିଛନ୍ତି, “ମହାନଦୀ ସମସ୍ୟାଠାରୁ ଆରମ୍ଭ କରି ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ, ବେକାରୀ ପ୍ରସଙ୍ଗ ଏବଂ ଆଇଓସିଏଲ୍ରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ହେଲେ ଗୋଟିଏ ବି ସମସ୍ୟା ସମାଧାନ ହୋଇପାରିଲା ନାହିଁ। ମୋଦି ସରକାର ଓଡ଼ିଶା ପ୍ରତି ଅଣଦେଖା କରୁଛନ୍ତି।”
ବିଜୟ ମହାପାତ୍ର ହେଉଛନ୍ତି ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ଚେହେରା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଥିଲେ ଘନିଷ୍ଠ ସହଯୋଗୀ। ୧୯୯୦ରୁ ୧୯୯୫ ମସିହାର ସରକାରରେ ବିଜୟ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ଜନତା ଦଳର ପ୍ରମୁଖ ନେତା ଭାବେ ବିଜୟ ପରିଗଣିତ ହେଉଥିଲେ। ରାଜ୍ୟ ରାଜନୀତିରେ ବିଜୟଙ୍କର ଥିଲା ଅଖଣ୍ଡ ପ୍ରଭାବ।
ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶାରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ବିଜେଡି ଗଠନରେ ବିଜୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ୨୦୦୦ ମସିହାରେ ବିଜୟ ବିଜେଡିରୁ ବିଦା ହୋଇଥିଲେ। ପରେ ସେ ଓଡ଼ିଶା ଗଣ ପରିଷଦ ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ। ହେଲେ ଅର୍ଥ ପ୍ରତିବନ୍ଧକ ସାଜିବାରୁ ବିଜୟ ଓଜିପିକୁ ଏନସିପିରେ ବିଲୀନ କରିଥିଲେ ଏବଂ ଏହାର ଓଡ଼ିଶା ମୁଖ୍ୟ ରହିଥିଲେ। କିନ୍ତୁ ୨୦୦୯ରେ ବିଜେଡି ଏନସିପି ସହ ମେଣ୍ଟ କରିବାରୁ ବିଜୟ ଏନସିପି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ବିଜେପିରେ ବିଜୟଙ୍କ ଦବଦବା ରହିଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ବିଜୟଙ୍କୁ ଆଗ ଧାଡ଼ିରେ ଦେଖିବାକୁ ମିଳିଥିଲା। ହେଲେ ଗତ ଦୁଇ ବର୍ଷ ହେଲା ବିଜେପି ବିଜୟଙ୍କୁ ଦୂରେଇ ରଖିଲା। କୌଣସି କାର୍ଯ୍ୟକ୍ରମରେ ବିଜୟଙ୍କୁ ଦେଖିବାକୁ ମିଳିଲାନି। ଶେଷରେ ବିଜୟ ଦଳରୁ ଇସ୍ତଫା ଦେଇଛନ୍ତି।
କ’ଣ ରହିବ ବିଜୟଙ୍କ ଆଗାମୀ ରଣନୀତି?
ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କ’ଣ କରିବେ ତା’ ଉପରେ ରହିଛି ସମସ୍ତଙ୍କ ନଜର। ବିଜୟ ନୂଆ ଦଳ ଗଠନ କରିବେ ନା ଅନ୍ୟ କୌଣସି ଦଳରେ ସାମିଲ ହେବେ ସେନେଇ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏସମ୍ପର୍କରେ ବିଜୟ ଓଡ଼ିଶାଲାଇଭ୍କୁ କହିଛନ୍ତି ଯେ ୧୫ ଦିନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ।
“ମୁଁ ସକ୍ରିୟ ରାଜନୀତିରେ ରହିବି। ହେଲେ ବର୍ତ୍ତମାନ ରାଜନୀତିକ ଚିତ୍ର ଅସ୍ପଷ୍ଟ ରହିଛି। ଆଗାମୀ ଦିନରେ କ’ଣ କରାଯିବ ସେନେଇ ଆମେ ବିଭିନ୍ନ ଲୋକଙ୍କଠାରୁ ପରାମର୍ଶ ନେଉଛୁ। ୧୫ ଦିନ ଭିତରେ ଆଗାମୀ ରଣନୀତି କ’ଣ ରହିବ ତାହା ସ୍ପଷ୍ଟ ହୋଇଯିବ”, ଓଡ଼ିଶାଲାଇଭ୍କୁ କହିଛନ୍ତି ବିଜୟ।
ବିଜେପିରେ ଥିବା ବେଳେ ବିଜୟ ଦଳୀୟ ନେତାଙ୍କୁ ବାଣ ମାରି ଆସୁଥିଲେ। ମହାନଦୀ, ଆଇଓସିଏଲ୍ ଏବଂ ବକୋରୀ ପ୍ରସଙ୍ଗକୁ ନେଇ ବିଜୟ କେନ୍ଦ୍ର ନେତାଙ୍କୁ ସମାଲୋଚନା କରୁଥିଲେ। ଏବେ ବିଜୟ ବିଜେପି ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।