ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କିଛି ଦିନ ତଳେ ବଜେପି ପକ୍ଷରୁ ଏକ ଆଭ୍ୟନ୍ତରୀଣ ସର୍ଭେ କରାଯାଇଥିଲା। ସେହି ସର୍ଭେରୁ ଜଣାପଡ଼ିଛି  ଯେ ଓଡ଼ିଶାରେ ବିଜେପି ୫ଟି ଲୋକସଭା ଆସନ ଜିତିବ। ତେବେ ଏଗୁଡ଼ିକ କେବଳ ଅନୁମାନ, ବାସ୍ତବ ସ୍ଥିତି କିନ୍ତୁ ପୂରାପୂରି ଭିନ୍ନ। ଏବେ ଏବେ ଦଳର ଦୁଇ ଜଣ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଳୀପ ରାୟ ଦଳ ଛାଡ଼ିବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ଏହି ଇସ୍ତଫାର ଗୋଟିଏ ବଡ଼ ଖରାପ ଫଳ ହେବ ବିଜେପିର ଏକ ମାତ୍ର ଲୋକସଭା ଆସନ ସୁନ୍ଦରଗଡ଼ରୁ ଜୁଏଲ ଓରାମ ପୁଣି ଥରେ ନିର୍ବାଚିତ ହେବା କଷ୍ଟ।

୨୦୧୪ ନିର୍ବାଚନରେ ଜୁଏଲ ଓରାମ ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦିଳ୍ପୀପ ତିର୍କିଙ୍କୁ ୧୮,୮୨୯ ଭୋଟରେ ହରାଇଥିଲେ। ପ୍ରଶ୍ନ ଉଠେ ବିଜେଡିର ପ୍ରାର୍ଥୀଙ୍କୁ ବିଜେପି କେମିତି ହରାଇଲା? ଏହାର କାରଣ ଦିଲ୍ଳୀପ ରାୟ, ଯିଏକି ଜୁଏଲଙ୍କ ପାଇଁ ଏକା ରାଉରକେଲା ବିଧାନସଭା ଆସନରୁ ୬୪,୦୮୬ ଭୋଟ ଦିଆଇଥିଲେ। ଏଠି ତିର୍କୀ ୪୨,୨୨୭ ଭୋଟ ପାଇଥିଲେ। ଯେଉଁ ୨୧,୮୫୯ ଭୋଟ ଜୁଏଲଙ୍କ ସପକ୍ଷରେ ଯାଇଥିଲା ଓ ସେ ଜିତି ଯାଇପାରିଲେ, ତାହା ଥିଲା ଦିଲ୍ଳୀପଙ୍କ ଅବଦାନ।

ଦିଲ୍ଳୀପ ରାୟ ବିଜେପି ଛାଡ଼ିବା ପରେ ଓ ବିଧାନସଭା ଆସନରୁ ଇସ୍ତଫା ଦେବା ପରେ ସୁନ୍ଦରଗଡ ଲୋକସଭା ଆସନ ଜିତିବା ଜୁଏଲଙ୍କ ପାଇଁ ନିଶ୍ଚିତ ଭାବରେ କଷ୍ଟକର ବ୍ୟାପାର ହେବ ଏଥିରେ ଦ୍ୱିମତ ନାହିଁ। ଏ କଥା କହିବାରେ ଆଦୌ କୁଣ୍ଠା ନାହିଁ ଯେ ବିଜେପି ଏବେଠାରୁ ହିଁ ତାର ଏକମାତ୍ର ଆସନ ହରାଇସାରିଛି‘ ଦିଲ୍ଳୀପ ରାୟ ବିଜେପି ପାଇଁ ଏକ ଶକ୍ତ ଅବଲମ୍ବନ ଥିଲେ। ଏକଥା ବିଜେଡି ନେତାମାନେ ମଧ୍ୟ ସେତେବେଳେ ମାନୁଥିଲେ।
ଦିଲ୍ଳୀପ ରାୟ ବିଜେପି ଛାଡ଼ିବା ପରେ କେବଳ ସୁନ୍ଦରଗଡ଼ ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ଯେଉଁ ଅଞ୍ଚଳ ବିଜେପିର ଦୁର୍ଗ ବୋଲି  କୁହାଯାଉଛି।

ସେହିପରି ବିଜୟ ମହାପାତ୍ର ଇସ୍ତଫା ଦେବା ପରେ ଉପକୂଳ ଓଡ଼ିଶାରେ ବିଜେପି ଧକ୍କା ଖାଇବା ନିଶ୍ଚିତ।ଅବଶ୍ୟ ଉପକୂଳରେ ବିଜେପିର ବିଶେଷ ଉପସ୍ଥିତି ନାହିଁ। ତଥାପି ବିଜୟଙ୍କ ଭଳି ଜଣେ ହେଭିୱେଟ ନେତା ଇସ୍ତଫା ଦେବା ପରେ ମାନସିକ ଭାବରେ ଦଳ ଉପରେ ଏହା ପ୍ରଭାବ ପକାଇବ। ଦିଲ୍ଳୀପ ରାୟ ଜଣେ ଭଦ୍ର ରାଜନେତା ହୋଇଥିବା ବେଳେ ବିଜୟଙ୍କ ଦକ୍ଷତା ଯୋଗୁଁ ଉଭୟେ ଓଡ଼ିଶା ରାଜନୀତିରେ ଖୁବ୍ ପ୍ରଭାବଶାଳୀ ଓ ଖାସ ଏଥିପାଇଁ ଏମାନଙ୍କ ଦଳ ଛାଡ଼ିବା ବିଜେପି ପାଇଁ କ୍ଷତିକାରକ ହେବ।

ବିଜୟ ମହାପାତ୍ର ଓ ଦିଲ୍ଳୀପ ରାୟ କାହିଁକି ବିଜେପି ଛାଡ଼ିଲେ? ବିଗତ ଦୁଇ ବର୍ଷ ଧରି ଏହି ଦୁଇ ନେତା ବିଜେପିର କାର୍ଯ୍ୟକ୍ରମ ଓ ଦଳୀୟ ରାଜନୀତି ଠାରୁ ନିଜକୁ ଦୂରେଇ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ବିଜେପି ଅଧ୍ୟକ୍ଷ ଅମିତ ଶାହ ବିଜୟ ଓ ଦିଲ୍ଳୀପଙ୍କ ଭଳି ବରିଷ୍ଠ ନେତାଙ୍କ ପରାମର୍ଶ ନେବା ବଦଳରେ କମ୍‌ ଅଭିଜ୍ଞତା ଓ ପ୍ରଭାବ ଥିବା ନେତାଙ୍କ କଥା ଶୁଣୁଥିଲେ ବୋଲି ଅଭିଯୋଗ ହୁଏ। ସତ କଥା ହେଉଛି, ଯେଉଁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ସେଥିରେ ଏହି ଦୁଇ ନେତାଙ୍କ ଅଭିଜ୍ଞତା ବେଶ୍ କାମ ଦେଇଥାନ୍ତା, କିନ୍ତୁ ରାଜ୍ୟ ନେତୃତ୍ୱ ସେମାନଙ୍କୁ ବରାବର ଅବହେଳା କରିଥିବାରୁ ବାଧ୍ୟ ହୋଇଦଳ ଛାଡ଼ିବା ପାଇଁ ଏମାନେ ନିଷ୍ପତ୍ତି ନେଲେ।

ସତ କହିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଦଳ ଭିତରେ ଅଣଦେଖା କେବଳ କରାଯାଇଥିଲା ତାହା ନୁହେଁ ଦିଲ୍ଲୀପ ରାୟଙ୍କ ବିଭିନ୍ନ ଦାବି ପ୍ରତି ପ୍ରତିକୂଳ ମନୋଭାବ ପୋଷଣ କରାଯାଇଥିଲା। ସେହିଭଳି ମହାପାତ୍ରଙ୍କୁ ଦଳ ଭିତରେ ଉପରକୁ ଉଠିବା ପାଇଁ ଦିଆଗଲା ନାହିଁ ଓ ତାଙ୍କ ନେତୃତ୍ୱ ପ୍ରତି ବର୍ତ୍ତମାନର ରାଜନେତାଙ୍କ ଅଜଣା ଭୟ ରହୁଥିଲା। ଦଳର ଅନଭିଜ୍ଞ ନେତାଙ୍କ ସହ ଝଗଡ଼ା କରିବା ପରିବର୍ତ୍ତେ ବରଂ ଦୂରେଇ ରହିବା ପାଇଁ ବିଜୟ ଠିକ୍ ମଣିଥିଲେ।

ପ୍ରଶ୍ନ ଉଠିପାରେ ଏ ଦୁହିଁଙ୍କ ଇସ୍ତଫା ଦ୍ୱାରା  ବିଜେପିର କିଛି ଫାଇଦା ହେବକି? ନିଶ୍ଚିତଭାବେ ନୁହେଁ। ରାଜନୀତିରେ ଯେଉଁମାନେ ଆତଜାତ ହେଉଛନ୍ତି ସେମାନଙ୍କ କହିବା ଅନୁଯାୟୀ, ଦିଲ୍ଳୀପଙ୍କ ଅନୁପସ୍ଥିତିରେ ପଶ୍ଚିମ ଓଡ଼ିଶାର ଆଦିବାସୀ ଭୋଟ ମାଡ଼ ଖାଇବ ଓ ବିଜୟଙ୍କ ପାଇଁ ଉପକୂଳ ଓଡିଶାର ଭୋଟ।

ଏବେ ବିଜେପିର ସ୍ଥିତି ଅତ୍ୟନ୍ତ ତରଳ। ଉପକୂଳ ଓଡ଼ିଶାରେ ଜଣେ ମାତ୍ର ବିଧାୟକ(ବାଲେଶ୍ୱର) ଥିବା ବେଳେ ପଶ୍ଚିମ ଓଡ଼ିଶାର ଏକମାତ୍ର ବିଧାୟକ ଦଳ ଛାଡ଼ିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ଭୀଷଣ ଭାବରେ ପ୍ରଭାବିତ ହେବ।

ଅବଶ୍ୟ ଏକଥା ସତ ଯେ ଓଡ଼ିଶାରେ ବିଜେପି ବଢ଼ୁଚି। ପଦ୍ମଲୋଚନ ପଣ୍ଡା, ଜୟ ନାରାୟଣ ମହାନ୍ତି ଓ ଜିତୁ ମିତ୍ରଙ୍କ ଭଳି ଅଭିଜ୍ଞ ଓ ପୁରୁଖା ନେତାଙ୍କୁ ଆଣିବା ପରେ ଦଳ କିଛି ଫାଇଦା ପାଇବ। ତେବେ ଦିଲ୍ଳୀପ, ବିଜୟ ଓ ନାରାୟଣ ସାହୁଙ୍କ ଭଳି ନେତା ଯିବା ପରେ ଲାଭ ଅପେକ୍ଷା ବେଶୀ କ୍ଷତି ହେବ। ଅସୁବିଧାଟି ହେଉଛି ଓଡ଼ିଶା ବିଜେପିରେ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ଗୋଡାଉଛନ୍ତି ଓ ତାଙ୍କ ବିରୁଦ୍ଧରେ କିଛି କହିବାର ସାହସ କାହାର ନାହିଁ।

ଅବଶ୍ୟ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନ ପରେ ସ୍ଥିତି କିଛି ପରିମାଣରେ ବଦଳିବ କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟ ବ୍ୟକ୍ତି ବୋଲି କୁହାଯାଉଛି। ତେବେ ଆସନ୍ତା ନିର୍ବାଚନରେ ଭଲ କରିବା ପାଇଁ ହେଲେ ବିଜେପି କିଛି ଅଭିଜ୍ଞ ଓ ଦମଦାର ନେତାଙ୍କୁ ସାଙ୍ଗରେ ରଖିବାକୁ ପଡ଼ିବ। ଯଦି ଜଣକ ପରେ ଜଣେ ନେତା ଦଳ ଛାଡ଼ି ଚାଲିଯାନ୍ତି ତାହା ନିଜ ଗୋଡ଼ରେ କୁରାଢ଼ୀ ମାରିବା ଭଳି ହେବ।

LEAVE A REPLY

Please enter your comment!
Please enter your name here