ଓଡ଼ିଶାଲାଇଭ୍ ବ୍ୟୁରୋ
ଉଗ୍ରରୂପ ନେଲା ଗୋଷ୍ଠୀ ବିବାଦ
କେନ୍ଦ୍ରାପଡ଼ା: ଆଳି ଥାନା ନିଆଳି ହାଟରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ବୋମାମାଡ଼ ଘଟଣା ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି। ବୋମାମାଡ଼ର କାରଣ ଗୋଷ୍ଠୀ କନ୍ଦଳ ଜଣାପଡ଼ିଛି।
ଦୀର୍ଘଦିନରୁ ଆଳି ସଦର ମହକୁମାରେ ଥିବା ଗୌଡ଼ପାଟଣା, ନିଆଳ ଓ ଅନ୍ୟ ୨ ଗାଁ ଗିରିବନ୍ଧ ମୂଳସାହି ଭିତରେ ବିବାଦ ଲାଗି ରହିଥିଲା। ଏହି ବିବାଦ ଏବେ ଉଗ୍ର ରୂପ ଧାରଣ କରିଥିବା କୁହାଯାଉଛି।
ଉଭୟ ଗୋଷ୍ଠୀ ଭିତରେ ପାଖାପାଖି ୬ ମାସରୁ ଅଧିକ ଦିନ ହେବ ବିବାଦ ଚାଲିଥିଲା। ପୂର୍ବରୁ ୨ ଗୋଷ୍ଠୀ ଭିତରେ ହେଉଥିବା ଝଗଡ଼ାରେ ପୋଲିସ ଅନେକ ଥର ହସ୍ତକ୍ଷେପ କରିଛି। ଗତ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀଙ୍କ ଭିତରେ ଝଗଡ଼ା ବୋମାମାଡ଼ର ରୂପ ନେଇଛି।
ଆଳି ହେଉଛି ରାଜ୍ୟର ସବୁଠାରୁ ଉତ୍ତେଜନା ପ୍ରବଣ ଅଞ୍ଚଳ। କଥା କଥାକେ ଏଠି ମୁଣ୍ଡ ଗଡ଼ିଯାଏ। ଅନ୍ୟପକ୍ଷରେ ସାଧାରଣ ନିର୍ବାଚନକୁ ଆଉ କମ ଦିନ ରହିଛି। ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଘଟିଥିବାରୁ ଆଗକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିପାରେ ବୋଲି ଅନୁମାନ କରାଯାଉଛି।
୨୦୧୪ ସାଧାରଣ ନିର୍ବାଚନ ପରେ ଆଳି ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୨ ଗୋଷ୍ଠୀ ଭିତରେ ଚାଲିଥିବା କନ୍ଦଳକୁ ଏବେଠୁ ନରୋକିଲେ ଆଗକୁ ଏହା ଅଧିକ ଭୟଙ୍କର ହୋଇପାରେ ଆଶଙ୍କା କରାଯାଉଛି।


















