ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରିମଣ୍ଡଳରୁ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କଲା ବିଜେପି।
‘ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା’ – ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ମହାରଥୀଙ୍କୁ ଟାର୍ଗେଟ କରିଛନ୍ତି।
ମହିଳା କଂଗ୍ରେସ ମହାରଥୀଙ୍କ ବାସଭବନକୁ ଅଣ୍ଡା ଏବଂ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ମହାରଥୀଙ୍କ ଇସ୍ତଫା ଦାବି କରିଛି।
ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହେବା ପରେ ମହାରଥୀ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି କହିଥିଲେ। ଏହି ବୟାନକୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ସମ୍ବେଦନହୀନ ବୋଲି ବିଜେପି କହିଛି।
ବିଜେପି ମହିଳା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, “ପୀଡ଼ିତା ନ୍ୟାୟ ପାଇଛି କହି ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି ମହାରଥୀ। ରାଜ୍ୟ ସରକାର ମହିଳାମାନଙ୍କୁ କେତେ ସମ୍ମାନ ଦେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି। ଏଭଳି ସମ୍ବେଦନହୀନ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।”
ପ୍ରଭାତି ଆହୁରି କହିଛନ୍ତି ଯେ ୨୪ ଘଣ୍ଟା ଭିତରେ ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି ତାହାଲେ ଆସନ୍ତା ଶୁକ୍ରବାର ଓ ଶନିବାର ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ।
ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, “ଗୋଟିଏ ପଟେ ରାଜ୍ୟସରକାର ମହିଳା ସଂରକ୍ଷଣ, ମିଶନ ଶକ୍ତି, ମହିଳା ସଶକ୍ତିକରଣ କଥା କହୁଛନ୍ତି। ଅନ୍ୟପଟେ ଶାସକ ଦଳର କ୍ୟାବିନେଟ ମନ୍ତ୍ରୀ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ସମ୍ବେଦନହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଯଦି ବାସ୍ତବରେ ରାଜ୍ୟସରକାର ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ।”
ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ଵରରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ନେତା ରିଙ୍କନ ପଟ୍ଟନାୟକ ଓ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


















