ଓଡ଼ିଶାଲାଇଭ୍ ବ୍ୟୁରୋ

୧୫ ଦିନ ହେଲା ମେଘାଳୟ କୋଇଲା ଖଣିରେ ଶ୍ରମିକ ଫସି ରହିଛନ୍ତି। ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହେଲାଣି।

ମେଘାଳୟରେ ଏକ କୋଇଲା ଖଣିରେ ୧୫ ଦିନ ହେଲା ୧୫ ଶ୍ରମିକ ଫସି ରହିଛନ୍ତି। ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି। ଡିସେମ୍ବର ୧୩ରୁ ଏହି ଘଟଣା ଘଟିଥିଲେ ମଧ୍ୟ ଶ୍ରମିକମାନଙ୍କୁ ଏଯାଏଁ ଖଣିରୁ ବାହାର କରାଯାଇପାରିନାହିଁ। ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ଯୋଗାଣ ହେଉନଥିବାରୁ ସେମାନଙ୍କୁ ବାହାର କରିବା ଜଟିଳ ହେଉଛି ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।

“୧୫ ଜଣ ଶ୍ରମିକ ୭୦ଫୁଟ ତଳେ ଫସି ରହିଥିବାବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ଚିନ୍ତା ନକରି ବୋଗିବିଲ ବ୍ରିଜ ଉଦ୍‌ଘାଟନ ସମୟରେ କ୍ୟାମେରା ଆଗରେ ପୋଜ ଦେଉଛନ୍ତି”, ରାହୁଲ ଟୁଇଟ କରି ଏଭଳି କହିଛନ୍ତି ।

ଡିସେମ୍ବର ୧୩ରେ ମେଘାଳୟ ଶିଲଙ୍ଗସ୍ଥିତ ଲାୟଟେଇନ ନଦୀ କୂଳରେ ଥିବା ଏକ ଛୋଟ କୋଇଲା ଖଣିରେ ଏହି ଅଘଟଣ ଘଟିଥିଲା। ଖଣିରେ କୋଇଲା ଉତ୍ତୋଳନ ସମୟରେ ଅଚାନକ ଖଣିରେ ପାଣି ପଶିଯିବାରୁ ଶ୍ରମିକମାନେ ଖଣି ଭିତରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଉଦ୍ଧାରକାରୀ ଟିମ୍ ଫସିରହିଥିବା ଶ୍ରମିକ ମାନଙ୍କୁ ବାହାର କରିବାରେ ସଫଳ ହୋଇନାହିଁ।

 

Comment