ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ଉଛ ପଡ଼ିଆର ସ୍ଥିତି ପରଖିବା ଅବସରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାନୁଆରୀ ୫ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରିପଦା ଗସ୍ତରେ ଆସି ସଭାସ୍ଥଳ ପରିଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଉତ୍ତର ଓଡ଼ିଶାରେ ଜାତୀୟ ରାଜପଥ ପ୍ରାଧିକରଣ, ତୈଳ ମନ୍ତ୍ରାଳୟ ଓ ରେଳ ମନ୍ତ୍ରାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

ଏହାସହ ମୟୂରଭଞ୍ଜ ଜିଲ୍ଲାର ହରିପୁରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ମୋଦି କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ହେଲିକପ୍ଟର ଯୋଗେ ବାରିପଦାରେ ଦିନ ୧ଟା୩୦ରେ ଆସି ପହଞ୍ଚିବେ। ବାରିପଦା ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ମୟୂରଭଞ୍ଜ ରେଳ ପ୍ରକଳ୍ପକୁ ମଞ୍ଜୁର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଲେଖିଥିବା ଚିଠିକୁ ନେଇ ବାଣ ମାରିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର କହିଛନ୍ତି, “ମୟୂରଭଞ୍ଜ ଜିଲ୍ଲା ରେଳ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଓ ଜିଲ୍ଲା ସଭାପତି ଚିଠି ଲେଖି ବାରମ୍ବାର ଦାବି ଜଣାଇଛନ୍ତି। ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ହାସ୍ୟାସ୍ପଦ।”

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜମି ଯୋଗାଇ ଦେଇ ନାହାନ୍ତି। ମୟୂରଭଞ୍ଜ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବା କହିବା ହାସ୍ୟାସ୍ପଦ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Comment