ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ। ଏହି ସମୟ ମଧ୍ୟରେ ସେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏସବୁ ଭିତରେ ମୋଦିଙ୍କ ବିଦେଶ ଗସ୍ତ ସର୍ବଦା ଥାଏ ଚର୍ଚ୍ଚାରେ।
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ କେତେ ଖର୍ଚ୍ଚ କରିଛନ୍ତି ଏହାର ଉତ୍ତର ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରେ।
ରିପୋର୍ଟ ଅନୁସାରେ ୨୦୧୪ ଜୁନରୁ ଏପର୍ଯ୍ୟନ୍ତ ମୋଦି ୯୨ଟି ଦେଶ ଯାତ୍ରା କରିସାରିଛନ୍ତି। ଏଥିରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା। ଏଥିରେ ରହିଛି ଚାଟାର୍ଡ ଫ୍ଲାଇଟ୍, ବିମାନର ଦେଖାରଖା ଏବଂ ଯାତ୍ରା ସମୟରେ ହଟଲାଇନ୍ ସୁବିଧା ସୁଯୋଗ।
ମୋଦିଙ୍କ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ବାବଦରେ ୧୫୮୩ କୋଟି, ଚାଟାର୍ଡ ଫ୍ଲାଇଟରେ ୪୨୯.୨୫ କୋଟି ଖର୍ଚ୍ଚ ହୋଇଥିବା ବେଳେ ହଟଲାଇନ୍ ପାଇଁ ଖର୍ଚ୍ଚ ହୋଇଛି ୯.୧୧ କୋଟି।
ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ କାର୍ଯ୍ୟକାଳ ଭିତରେ ମୋଟ ୯୩ ଦେଶ ଗସ୍ତ କରିଛନ୍ତି। ଏଥିରେ ଖର୍ଚ୍ଚ ହୋଇଥିଲା ୧୩୪୬ କୋଟି ଟଙ୍କା। ତେବେ ନରେନ୍ଦ୍ର ମୋଦି ଓ ମନମୋହନ ସିଂଙ୍କ ମଧ୍ୟରେ ସବୁଠାରୁ ବଡ଼ ଫରକ ହେଲା ମନମୋହନ ସିଂ ୧୦ ବର୍ଷରେ ୯୩ ଦେଶ ଯାତ୍ରା କରିଛନ୍ତି। ହେଲେ ମୋଦି ସାଢ଼େ ୪ ବର୍ଷରେ ପାଖାପାଖି ୯୨ ଦେଶ ଯାତ୍ରା କରିସାରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୧୧୩ଟି ବିଦେଶ ଗସ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଇନ୍ଦିରା ଗାନ୍ଧି ସବୁଠୁ ଅଧିକ ବିଦେଶ ଗସ୍ତ କରିବାର ରେକର୍ଡ ରହିଛି।
କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଆଦୌ ବିଦେଶ ଗସ୍ତରେ ଯାଇନାହାନ୍ତି। ୧୯୭୯ ଜୁଲାଇ ୨୮ରୁ ୧୯୮୦ ଜାନୁୟାରୀ ୧୪ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଥିଲେ। ଏହି କାର୍ଯ୍ୟକାଳ ସମୟରେ ସେ ଆଦୌ ବିଦେଶ ଗସ୍ତରେ ଯାଇ ନାହାନ୍ତି।

















