ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେମିତି ଥିଲା ବିଦାୟୀ ୨୦୧୮ ବର୍ଷ ଓଡ଼ିଶା ପାଇଁ? ରାଜନୀତି ପାଇଁ ଓ ନେତାଙ୍କ ପାଇଁ? ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ସକାଶେ ତିନି ପ୍ରମୁଖ ଦଳ ଏକ ରକମ ପ୍ରସ୍ତୁତି ଆରମ୍ଭ କରିଥିଲେ ସଦ୍ୟ ଶେଷ ହୋଇଥିବା ବର୍ଷରେ।
ଶାସକ ବିଜେଡି ଏହି ଉଦ୍ଦେଶ୍ୟ ନେଇ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିରୋଧୀ ଦଳକୁ ଚେକମେଟ ଦେବା ସହ ସରକାର ବିରୋଧରେ ସମ୍ଭାବ୍ୟ କ୍ଷମତା ବିରୋଧୀ ଜନମତକୁ ରୋକିବା ପାଇଁ ଏହିସବୁ ଯୋଜନା ଘୋଷଣା କରାଯାଇଥିଲା।
ଭୋଟ କିଣିବା ପାଇଁ ଏହା ଶାସକ ଦଳର ହୀନ ଉଦ୍ୟମ ବୋଲି ଅଭିଯୋଗ ଆସିବା ସତ୍ତ୍ୱେ ସରକାର ଏଥିରୁ ନିବୃତ୍ତ ହୋଇ ନଥିଲେ। ଏହି କାରଣରୁ ଅନ୍ୟ ସବୁ ପ୍ରସଙ୍ଗ ଗୌଣ ହୋଇପଡ଼ିଥିଲା। ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ଯେଉଁ ହାଇଭୋଲଟେଜ ଡ୍ରାମା ଚାଲିଥିଲା ତା’ ପଛରେ କ୍ଷମତା ହାସଲ ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ସରକାରର ପତନ ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ପଞ୍ଚମ ଥର ପାଇଁ ସରକାର ଗଠନର ଅଭିଲକ୍ଷ୍ୟରୁ ବିଜେଡି ସରକାର ତିଳେ ବି ହଟିନଥିଲେ। ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା କଥା ଯେ ୨୦୧୪ରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସବୁ ପୂରଣ ହୋଇଥିବାରୁ ଲୋକେ ପୁଣି ଥରେ ଭୋଟ ଦେଇ କ୍ଷମତାକୁ ପଠାଇବା ସୁନିଶ୍ଚିତ।
୨୦୧୪ରେ କ୍ଷମତାକୁ ଆସିବା ପରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାକୁ ବରାବର ଟାର୍ଗେଟ କରି ଆସିଛନ୍ତି ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ବୋଲି ଦାବି କରି ଆସୁଛନ୍ତି।
୨୦୧୯ ନିର୍ବାଚନରେ ୧୪୭ ମଧ୍ୟରୁ ୧୨୦ଟି ଆସନରେ ବିଜୟୀ ହେବା ବ୍ୟତୀତ ଲୋକସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଜେପି କହି ଆସୁଛି। ତେବେ ଜୁଲାଇ ମାସରେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ପରେ ସମସ୍ତେ ଆଶା କରୁଥିଲେ ଯେ ୨୦୧୯ରେ ଉଭୟ ଦଳ ଭିତରେ ରାଜନୈତିକ ସଲାସୁତୁରା ହେବ ହିଁ ହେବ। କିନ୍ତୁ ଯାହା ଦେଖାଯାଉଛି ୨୦୧୯ରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ।
ନବୀନ ସରକାରଙ୍କ ପକ୍ଷରୁ ୨୦୧୮ରେ ବହୁ ସଂଖ୍ୟକ ମନଲୋଭା କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଟି କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇଥିଲା ଓ କେନ୍ଦ୍ର ଏନେଇ ନବୀନଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ବରାବର ସମାଲୋଚନା କରିଥିଲେ।
ଏପରିକି ନିଜେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଝାରସୁଗୁଡ଼ା ଓ ଖୋର୍ଦ୍ଧା ଭାଷଣରେ ନବୀନଙ୍କୁ ସମାଲୋଚନା କରିଥିଲେ ଓ କହିଥିଲେ ଯେ ଓଡିଶାର ଲକ୍ଷ ଲକ୍ଷ ପରିବାର ଆୟୁସମାନ ଯୋଜନାରୁ ବଞ୍ଚିତ ହେବେ। ସେହିଭଳି କେନ୍ଦ୍ର ଖାଦ୍ୟ ସୁରକ୍ଷାରୁ ବାଦ ପଡ଼ିଯାଇଥିବା ୨୫ ଲକ୍ଷ ପରିବାର ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଣି ନବୀନ ଏକ ବଡ଼ ଖେଳ ଖେଳିଥିଲେ। କେବଳ ଏହି ଦୁଇ ଯୋଜନା ନୁହେଁ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ନେଇ ମଧ୍ୟ ଢେର ବୟାନ ବାଜି ହୋଇଥିଲା।
ବର୍ଷ ଶେଷ ହେବା ବେଳକୁ ନବୀନ ସରକାର ପକ୍ଷରୁ ଯେଉଁ ‘ପିଠା’ ଯୋଜନା ଆସିଲା ତାକୁ ବିରୋଧୀ ଦଳ ଏକ ରାଜନୈତିକ ଚାଲ ବୋଲି କହି ସରକାରଙ୍କୁ ସମାଲୋଚନା କରିଥିଲେ।
ଯୁବକଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ସରକାର ଗଠନ କଲେ ବିଜୁ ଯୁବ ବାହିନୀ। ଯୁବକମାନଙ୍କୁ ନେଇ ଗଠିତ ଓ ସେମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେଇ କାର୍ଯ୍ୟକ୍ଷମ କରିବା ପାଇଁ ଉଦିଷ୍ଟ ଏହି କାର୍ଯ୍ୟକ୍ରମ ଯଦିଓ ଏକ ସରକାରୀ କାର୍ଯ୍ୟକ୍ରମ ଏହା ଶାସକ ଦଳର ଗୁଣ୍ଡାଙ୍କୁ ନେଇ ଗଠିତ ବୋଲି ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା।
ନିର୍ବାଚନ ବର୍ଷରେ ମହିଳାଙ୍କ ପାଇଁ ବି ବିଜେଡି ସରକାର କିଛି କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଇବା ସହ ଦେଶର ବିଭିନ୍ନ ଦଳର ମୁଖ୍ୟମାନଙ୍କୁ ବିଜେଡି ସାଂସଦ ଓ ନେତା ଭେଟିବା ମଧ୍ୟ ୨୦୧୮ରେ ଏକ ବଡ଼ ରାଜନୈତିକ ଘଟଣା ଥିଲା। ରାଜ୍ୟରେ ମହିଳାମାନଙ୍କ ଉପରେ ଘନ ଘନ ଅତ୍ୟାଚାର ଓ ଦୁଷ୍କର୍ମ ଘଟଣାକୁ ଲୁଚାଇବା ପାଇଁ ମହିଳା ସଂରକ୍ଷଣ ପ୍ରସ୍ତାବ ଶାସକ ଦଳର ଏକ ଚାଲ ବୋଲି ବିରୋଧୀ ଦଳର ନେତାମାନେ ଆକ୍ଷେପ କରିଥିଲେ।
୨୦୧୮ରେ ବିଜେପିକୁ ଏକ ବଡ଼ ଧକ୍କା ମିଳିଲା ଯେତେବେଳେ ଦଳର ଦୁଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳ ଛାଡ଼ିଲେ। ତା’ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ଥିବା ବୈଜୟନ୍ତ ପଣ୍ଡା ଦୀର୍ଘ ୧୮ ବର୍ଷର ସମ୍ପର୍କକୁ ତୁଟାଇ ବିଜେଡି ଓ ଲୋକସଭାରୁ ଇସ୍ତଫା ଦେଇଥିଲେ।
ଏହି ବର୍ଷ ରାଜନୈତିକ ହିଂସା ମଧ୍ୟ ଢେର ମାତ୍ରାରେ ଦେଖାଯାଇଥିଲା। ମାହାଙ୍ଗାରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ଅଣ୍ଡା ମାଡ଼, ଉତ୍କଳ ଭାରତର ଅଧ୍ୟକ୍ଷ ତଥା ପୂର୍ବ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଶାସକ ଦଳର କର୍ମୀଙ୍କ ଦ୍ୱାରା ଶାରୀରିକ ଆକ୍ରମଣ ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା।


















