ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।
‘୨୦୧୯ରେ ଓଡ଼ିଶା ରାଜନୀତି ଦେଖିବ ନୂଆ ସକାଳ’ – ବିଜେପିରୁ ଇସ୍ତଫା ଦେବା ପରେ ଏହା ଥିଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମନ୍ତବ୍ୟ।
୨୦୧୯ର ପ୍ରଥମ ସକାଳକୁ ଓଡ଼ିଶାବାସୀ ଅନୁଭବ କରି ସାରିଥିବା ବେଳେ ଏବେ ବିଜୟ ମହାପାତ୍ରଙ୍କ ‘ନୂଆ ସକାଳ’କୁ ଅପେକ୍ଷା କରିଛନ୍ତି। ବିଜୟଙ୍କ ନୂଆ ସକାଳ ଓଡ଼ିଶା ରାଜନୀତି ପାଇଁ କି ବାର୍ତ୍ତା ନେଇ ଆସୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପିରୁ ଇସ୍ତଫା ଦେବା ପରେ ଡିସେମ୍ବର ୫ରେ ବିଜୟ ମହାପାତ୍ର ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ବିସ୍ତୃତ ଭାବେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ବିଜେପି କାହିଁକି ଛାଡ଼ିଲେ ଏବଂ ତାଙ୍କର ଆଗାମୀ ରଣନୀତି କ’ଣ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ବିଜୟ। ବିଜୟ କହିଥିଲେ ଯେ ଦିଲ୍ଲୀପ ରାୟ ଓଡ଼ିଶା ଫେରିବା ପରେ ତାଙ୍କ ସହ ଆଲୋଚନା କରି ଆଗାମୀ ରଣନୀତି ସମ୍ପର୍କରେ ଘୋଷଣା କରିବେ।
ଦିଲ୍ଲୀପ ବିଦେଶ ଗସ୍ତ ସାରି ଏବେ ଓଡ଼ିଶା ଫେରି ଆସିଛନ୍ତି। ଉଭୟ ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ରାଉରକେଲା ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ମାଟି ପାଇଁ ସେ ଦଳ ଛାଡ଼ିଥିବା କହି ରାଉରକେଲାବାସୀଙ୍କୁ ଉତ୍ସାହିତ କରିଛନ୍ତି। ହେଲେ ସେ ଆଗାମୀ ଦିନରେ କ’ଣ କରିବେ ସେ ସମ୍ପର୍କରେ କିଛି ମତ ରଖି ନାହାନ୍ତି।
ନୂଆ ଦଳ ଗଢ଼ିବେ କି?
ବିଜୟ ଦେଇଥିବା ମନ୍ତବ୍ୟ ‘ନୂଆ ସକାଳ’କୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା। ଏହି ମନ୍ତବ୍ୟ ନୂଆ ଦଳ ଗଠନ କରିବାର ସଙ୍କେତ ଦେଉଛି। ହେଲେ ଏନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କୁହାଯାଉଛି ଜାନୁଆରୀରେ ହିଁ ବିଜୟ-ଦିଲ୍ଲୀପଙ୍କ ନୂଆ ଦଳ ଆତ୍ମପ୍ରକାଶ କରିପାରେ। ତେବେ ନୂଆ ଦଳ ଗଠନ ସମ୍ପର୍କରେ ବିଜୟ ଏବଂ ଦିଲ୍ଲୀପ ମାପିଚୁପି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।
ବିଜେଡିରୁ ବିଦା ହେବା ପରେ ବିଜୟ ମହାପାତ୍ର ଓଡ଼ିଶା ଗଣ ପରିଷଦ (ଓଜିପି) ନାଁରେ ଦଳ ଗଠନ କରିଥିଲେ। ଏହି ଦଳ ୨୦୦୪ ନିର୍ବାଚନରେ ଏକାଧିକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା। ହେଲେ ମାତ୍ର ଚାରିଟି ଆସନରେ ବିଜୟୀ ହୋଇଥିଲେ ପ୍ରାର୍ଥୀ।
କିନ୍ତୁ ଓଡ଼ିଶା ରାଜନୀତି ଆକାଶରେ ବେଶୀ ଦିନ ତିଷ୍ଠି ପାରି ନଥିଲା ବିଜୟଙ୍କ ଓଜିପି। ଅର୍ଥ ପ୍ରତିବନ୍ଧକ ସାଜିବାରୁ ଓଜିପିକୁ ଏନ୍ସିପିରେ ଲୀନ କରି ଦେଇଥିଲେ ବିଜୟ। ଏହାପରେ ବିଜୟ ଭାୟା ଏନ୍ସିପି ଦେଇ ବିଜେପିକୁ ଆସିଥିଲେ। ଗତ ଅଢ଼େଇ ବର୍ଷ ହେଲା ବିଜେପି ତାଙ୍କୁ କୋଣଠେସା କରି ରଖିବାରୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଛନ୍ତି।
୧୮ ବର୍ଷ ହେଲା କ୍ଷମତାଠାରୁ ବହୁ ଦୂରରେ ଥିବା ବିଜୟ ଏବେ ପୁଣି ନୂଆ ଦଳ ଗଠନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଏଥିରେ ବିଜୟ ଏବଂ ଦିଲ୍ଲୀପ ସଫଳ ହେବେ କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।
ନୂଆ ଦଳରେ କାହାକୁ ନେବେ?
ଯଦି ବିଜୟ ଏବଂ ଦିଲ୍ଲୀପ ନୂଆ ରାଜନୈତିକ ଦଳ ଗଠନ କରନ୍ତି ତାହାଲେ ସେଥିରେ କାହାକୁ ସାମିଲ୍ କରିବେ? ଏହା ଏବେ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟ ଏବଂ ଦିଲ୍ଲୀପ ଏନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଇ ନଥିଲେ ମଧ୍ୟ ଭିଡିଓରେ ବିଜୟ ଅନେକ କଥା କହିଛନ୍ତି।
୧୮ ବର୍ଷ ହେଲା କିଛି ନେତା ଦଳରେ ନିର୍ଯାତିତ ହୋଇ ପଡ଼ିରହିଥିବା କଥା କହିଛନ୍ତି ବିଜୟ। ଏହି ନିର୍ଯାତିତ ନେତାଙ୍କ ଉପରେ ବିଜୟ ଏବଂ ଦିଲ୍ଲୀପ ଆଖି ପକାଇଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ବିଜେଡିରେ ଅଲୋଡ଼ା ହୋଇ ରହିଥିବା ବିଜୁ ଅନୁଗତମାନଙ୍କୁ ଏକାଠି କରିବାକୁ ବିଜୟ-ଦିଲ୍ଲୀପ ପ୍ରୟାସ କରିପାରନ୍ତି ବୋଲି ଆଲୋଚନା ହେଉଛି। ଏହାସହ ବିଭିନ୍ନ ଜିଲ୍ଲାରେ ଥିବା ସମର୍ଥକଙ୍କ ସହ ବିଜୟ-ଦିଲ୍ଲୀପ ଆଲୋଚନା ଜାରି ରଖିଛନ୍ତି।
ଅନ୍ୟ କେଉଁ ଦଳକୁ ଯିବେନି କାହିଁକି?
ବିଜୟ ଏବଂ ଦିଲ୍ଲୀପ ହେଉଛନ୍ତି ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା। ଏହି ଦୁଇ ନେତାଙ୍କୁ ବାଦ୍ ଦେଇ ରାଜ୍ୟ ରାଜନୀତି ଆଗକୁ ଗତିଶୀଳ କରିପାରେନା। ବିଜୟ ଏବଂ ଦିଲ୍ଲୀପ ହେଉଛନ୍ତି ସ୍ୱାଭିମାନୀ ରାଜନେତା। ଯେଉଁଠି ତାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିଛି ସେଠି ସେମାନେ ସେହି ଦଳକୁ ଛାଡ଼ି ଦେଇଛନ୍ତି।
ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୟ ଏବଂ ଦିଲ୍ଲୀପ। ହେଲେ ଆଗ ପଛ ହୋଇ ବିଜେଡିରୁ ବିଦା ହୋଇଥିଲେ ଏହି ଦୁଇ ନେତା। ବିଜେପି ଛାଡ଼ିବା ପରେ ଯଦିଓ ବିଜେଡି ଯିବା ନେଇ ଚର୍ଚ୍ଚା ହେଉଥିଲା, ହେଲେ ଏବେ ଯାଏଁ କୌଣସି ସବୁଜ ସଙ୍କେତ ମିଳିପାରିନି।
ବିଜୟ ଏବଂ ଦିଲ୍ଲୀପଙ୍କୁ ୨୦୦୦ ମସିହାରେ ଯେପରି ଅପମାନିତ କରି ବିଦା କରାଗଲା ତାହାକୁ ସେମାନେ ଭୁଲିଯିବା ସହଜ ନୁହେଁ। ଏଣୁ ବିଜୟ ଏବଂ ଦିଲ୍ଲୀପ ବିଜେଡି ଯିବାକୁ ଚାହିଁବେନି କି ବିଜେଡି ବି ଏମାନଙ୍କୁ ନେବାକୁ ଏତେ ଉତ୍କଣ୍ଠା ଦେଖାଇବନି।
ଏହି ଦୁଇ ନେତାଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ। କିନ୍ତୁ ଏହି ଦୁଇ ନେତା କଂଗ୍ରେସକୁ ଯିବା କୁ ଏତେ ଆଗ୍ରହ ଦେଖାଇବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିଜ଼ୟ ଓ ଦିଲ୍ଲୀପ ଅଣ କଂଗ୍ରେସ ରାଜନୀତିରୁ ନିଜର କ୍ୟାରିଅର ଆରମ୍ଭ କରିଛନ୍ତି। ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ତାଙ୍କର ପରିଚୟ ରହିଛି। କଂଗ୍ରେସ ଏହି ଦୁଇ ନେତାଙ୍କ ପାଇଁ ଦ୍ୱାର ଖୋଲା ରଖିଥିଲେ ମଧ୍ୟ ଏମାନେ କଂଗ୍ରେସ ଯିବାକୁ ଚାହିଁବେନି। ଏଣୁ ଏବେ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ନୂଆ ରାଜନୈତିକ ଦଳ।
ବିଜୟ ଅପେକ୍ଷା କରିଥିଲେ ଦିଲ୍ଲୀପ ରାୟଙ୍କୁ। ଦିଲ୍ଲୀପ ଇସ୍ତଫା ଦେବା ପରେ ବିଦେଶ ଗସ୍ତରେ ଯାଇଥିଲେ। ଏବେ ଦିଲ୍ଲୀପ ଫେରି ଆସିଲେଣି। ୨୦୧୮ ଯାଇ ୨୦୧୯ ମଧ୍ୟ ପ୍ରବେଶ କଲାଣି। ଏଣୁ ବିଜୟ-ଦିଲ୍ଲୀପଙ୍କ ‘ନୂଆ ସକାଳ’କୁ ଓଡ଼ିଶାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।








ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର।









