ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବେ ହେବ ସାଧାରଣ ନିର୍ବାଚନର ତାରିଖ ଘୋଷଣା? ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଲୋକସଭା ଶୀତକାଳୀନ ଅଧିବେଶନ ଶେଷ ପରେ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କାର୍ଯ୍ୟପନ୍ଥା ସ୍ଥିର କରିସାରିଲେଣି। ପ୍ରଧାନମନ୍ତ୍ରୀ ପାଖାପାଖି ଶହେରୁ ଅଧିକ ନିର୍ବାଚନୀ ସଭା ଏବଂ ରାଲି କରିବେ ବୋଲି ଜଣାପଡ଼ିଛି।

ତେବେ ୨୦୧୪ ପରି ୨୦୧୯ରେ ମୋଦି ମ୍ୟାଜିକ କାମ କରୁଛି କି ନାହିଁ ତା’ଉପରେ ନଜର।

ଉତ୍ତରପ୍ରଦେଶ ବଢ଼ାଉଛି ଚିନ୍ତା

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଉତ୍ତରପ୍ରଦେଶ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ୨୦୧୪ରେ ପୂରା ଦେଶରେ ମୋଦି ଲହରର ଫାଇଦା ଉଠାଇଥିଲା ବିଜେପି। ୟୁପିର ୮୦ଟି ଲୋକସଭା ଆସନରୁ ବିଜେପି ଏବଂ ସହଯୋଗୀ ଦଳ ଖାତାକୁ ୭୩ ଟି ଆସନ ମିଳିଥିଲା। କିନ୍ତୁ ଚଳିତ ଥର ରାଜନୀତିରେ ବଦଳୁଥିବା ପରିବେଶକୁ ଦେଖି ବିଜେପିର ଚିନ୍ତା ବଢ଼ିଯାଇଛି।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ବନାରସ ଗସ୍ତ ସମୟରେ ନିଜ ଦଳ ପକ୍ଷରୁ ବିରୋଧ କରାଯାଇଥିଲା, ଯାହା ଶୁଭ ସଙ୍କେତ ନୁହେଁ। ଅନ୍ୟପଟେ ସପା ଏବଂ ବିଏସପି ମଧ୍ୟରେ ମେଣ୍ଟ ସମ୍ଭାବନା ରହିଛି। ସେହିପରି ୩ ରାଜ୍ୟରେ ସରକାର ଗଠନ ପରେ କଂଗେସ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

୬ ରାଜ୍ୟକୁ ଡର

୨୦୧୪ ଭଳି ୨୦୧୯ ନିର୍ବାଚନରେ ବିଜେପିକୁ ସହଯୋଗୀ ଦଳଙ୍କ ସମର୍ଥନ ମିଳିବା ସମ୍ଭାବନା କମ୍।  କାରଣ ଶିବସେନା ଏକାକୀ ନିଜ ଦମରେ ନିର୍ବାଚନ ଲଢ଼ିବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ହରିୟାଣାର ର୍ପୂବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ପୂରା ଆତ୍ମବିଶ୍ୱାସରେ ଥିବା ନଜର ଆସିଛି।

କଂଗ୍ରେସର ଝାଡ଼ଖଣ୍ଡ ପ୍ରଭାରୀ ଆରପିଏନ୍ ସିଂହ ଏବଂ ବରିଷ୍ଠ ନେତା ସୁବୋଧକାନ୍ତ ନିର୍ବାଚନକୁ ନେଇ ବଡ଼ ଦାବିବାର କହିଛନ୍ତି। ସେହିପରି ଝାଡ଼ଖଣ୍ଡ ବିଜେପିର ଜଣେ ସାଂସଦ ମଧ୍ୟ ଆଗାମୀ ନିର୍ବାଚନ କଷ୍ଟକର ହେବ ବୋଲି ସ୍ୱୀକାର କରିଛନ୍ତି।

ସେହିପରି ବିହାର ବିଜେପି ନେତା ମଧ୍ୟ ଦିନରାତି ଏକକରି ସଙ୍ଗଠନ ମଜବୁତ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଝାରଖଣ୍ଡ, ବିହାର ମହାରାଷ୍ଟ୍ର ସହିତ ବିଜେପିକୁ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ଝଟକା ଲାଗିବାର ଆଶଙ୍କା ରହିଛି। ଏହି ରାଜ୍ୟଗୁଡ଼ିକରେ ୨୦୧୪ରେ ବିଜେପିକୁ ୧୯୦ରୁ ଅଧିକ ଆସନ ମିଳିଥିଲା।

 ୪ ରାଜ୍ୟ ଉପରେ ବିଜେପିର ଫୋକସ୍

କର୍ଣ୍ଣାଟକରେ ସଫଳତା ହାସଲ କରିବ ବୋଲି ବିଜେପି ଆଶା ରଖିଛି। ସେହିପରି ଅଧଡଜନରୁ ଅଧିକ ଆସନରେ ଜିତିବୁ ବୋଲି ପଶ୍ଚିମବଙ୍ଗର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ଦଳକୁ ମଜଭୁତ କରିବାରେ ଲାଗିଛନ୍ତି ବିଜେପି ନେତା। କଂଗ୍ରେସ ନେତା ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଭୋଟ ହାର ବଢୁଥିବା କଥାକୁ ସ୍ୱୀକାର କରିଛନ୍ତି।

ସେହିପରି ଓଡ଼ିଶାରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ଏକାଠି ହେବ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ କାନ୍ଧ ଉପରେ ଦଳର ସଫଳତା ନିର୍ଭର କରିବ।

LEAVE A REPLY

Please enter your comment!
Please enter your name here