ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ।

ସେଲ୍‌ଫି ବେବୋଙ୍କ ପରେ ଏସିପି ନିକିତା। ନୂଆ ବର୍ଷ ଆରମ୍ଭରୁ ଦୁଇ ଦୁଇ ଜଣ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଓଲିଉଡ ଜଗତରେ ଖେଳିଯାଇଛି ଶୋକର ଛାୟା। ସେଲ୍‌ଫି ବେବୋଙ୍କ ମୃତ୍ୟୁରେ ପୋଲିସ ତାଙ୍କ ସ୍ୱାମୀକୁ ଗିରଫ କରିଥିବା ବେଳେ ନିକିତାଙ୍କ ମୃତ୍ୟୁ ସସ୍‌ପେନ୍ସ ବଢ଼ାଇଛି।

ନିକିତାଙ୍କୁ ହତ୍ୟା କରାଯାଇଛି ନା ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସନ୍ଦେହଘେରରେ। ପୋଲିସ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇ ପାରିନି। ନିକିତାଙ୍କ ପରିବାର ଲୋକ ଏନେଇ କୌଣସି ପ୍ରତିକ୍ରିୟା ଦେଉ ନଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇଯାଉଛି।

ଓଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରା। ଏସିପି ନିକିତା ଫିଲ୍ମରେ ଲିଡ୍‌ ରୋଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାସହ ସେ ଛୋଟ ପରଦାରେ ଅନେକ ସିରିଏଲରେ ମଧ୍ୟ ନଜର ଆସିଛନ୍ତି।

ହେଲେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କଟକ ମହାନଦୀ ବିହାରସ୍ଥିତ ଘରେ ଏକ ଅଭାବନୀୟ ଘଟଣା ଘଟିଗଲା। କଟକ ସହର ଶୂନଶାନ ହୋଇଯିବା ପରେ ଖବର ଆସିଲା ଯେ ଛାତରୁ ଖସିପଡ଼ି ନିକିତା ଗୁରୁତର ହୋଇଛନ୍ତି।

ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। ଶନିବାର ମୁଣ୍ଡରେ ଅସ୍ତ୍ରୋପଚାର କରିବା ପରେ ନିକିତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ଏବେ ନିକିତାଙ୍କ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ଶୁକ୍ରବାର ରାତିରେ ନିକିତା କେମିତି ଛାତରୁ ଖସିପଡ଼ିଲେ? ସେ ଜାଣିଶୁଣି ଛାତରୁ ଡେଇଁଛନ୍ତି ନା ଆଉ କାହାର ହାତ ରହିଛି? ନିକିତାଙ୍କ ଶତ୍ରୁତା କାହା ସହ ରହିଥିଲା କି? ଏହି ମୃତ୍ୟୁ ପଛରେ ପାରିବାରିକ କଳହ ଦାୟୀ କି?

ଏମିତ ଅନେକ ପ୍ରଶ୍ନ ନିକିତାଙ୍କ ଫ୍ୟାନମାନଙ୍କ ମନରେ ଉଠିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ସମସ୍ତେ ଅପେକ୍ଷା କରିଛନ୍ତି। କଟକ ମର୍କତ ନଗର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତୁ ମୋ ଆଖିର ତାରା, ମିତ ବସିଛି ମୁଁ ଭୂତ ସାଥୀରେ, ଚୋରି ଚୋରି, ମଥାରେ ଦେଇ ପାଟ ଓଢ଼ଣୀ, ଗୁଣ୍ଡା ଚଳଚ୍ଚିତ୍ରରେ ଅଭିନୟ କରିଥିବା ନିକିତାଙ୍କ ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here