ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ନିର୍ବାଚନ ମାହୋଲ। ଜଣେ ନୁହେଁ ଦୁଇ ଜଣ ନୁହଁ ଏ ମାସରେ ୩ ଜଣ ତୁଙ୍ଗ ନେତା ଓଡ଼ିଶା ଆସୁଛନ୍ତି। ଏହି ତିନି ମହାରଥୀଙ୍କ ଆଗମନ ଓଡ଼ିଶାର ନିର୍ବାଚନ ରାଜନୀତିକୁ ଆବଶ୍ୟକତା ଅପେକ୍ଷା ଅଧିକ ଉଷ୍ମ କରି ପକାଇଛି।

ବର୍ଷ ଆରମ୍ଭରେ ଚଳିତ  ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ। ତାର ୧୦ ଦିନ ପୂର୍ବରୁ ମୋଦି ଖୋର୍ଦ୍ଧା ଆସିଥିଲେ। ଲାଗଲାଗ ଏହି ଦୁଇଟି ଗସ୍ତ ଛଡ଼ା ମୋଦିଙ୍କ ପାଇଁ ଆଉ ଗୋଟିଏ ତାରିଖ ମଧ୍ୟ ସ୍ଥିର କରାଯାଇଛି। ଚଳିତ ମାସରେ ମୋଦି ତାଙ୍କ ତୃତୀୟ ଗସ୍ତରେ ଆସିବେ ଓ ୧୫ ତାରିଖରେ ବଲାଙ୍ଗୀରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ।

ମୋଦିଙ୍କ ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି ଓଡ଼ିଶା ଆସୁଛନ୍ତି। ଅଠର ତାରିଖରେ ଶାହ କଟକ ଆସିବେ ଓ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗଦେବେ। ଏଥିରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କର୍ମୀମାନେ ଯୋଗ ଦେବାକୁ କୁହାଯାଇଛି। ତିନୋଟି ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ଏଠି  ଓଡ଼ିଶାରେ ତାର ନିର୍ବାଚନ ଗତିବିଧିକୁ ଜୋରଦାର କରିଛି।

ଓଡ଼ିଶା ଉପରେ ବିଜେପିର ଦୃଷ୍ଟିର ଆଉ ଏକ  ସଂକେତ ହେଉଛି ନିର୍ବାଚନ ପୂର୍ବରୁ ଦଳର ବହୁ ଷ୍ଟାର ପ୍ରଚାରକ ଓଡ଼ିଶା ଆସିବା ପାଇଁ ସ୍ଥିର କରାଯାଇଛି। ମୋଦି ସରକାରଙ୍କ ସଫଳତାକୁ ବଖାଣିବା ବ୍ୟତୀତ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଏହି ଷ୍ଟାର ପ୍ରଚାରକମାନେ ଉଦ୍ୟମ କରିବେ।

ବିଜେପିର ଦୁଇ ତୁଙ୍ଗ ନେତା ଯଦି ଓଡ଼ିଶାକୁ ଘନଘନ ଗସ୍ତ କରିବେ କଂଗ୍ରେସ କଣ ଆଉ ପଛରେ ପଡିବ? ଇତିମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମ ବି ସ୍ଥିର ହୋଇସାରିଛି। ରାହୁଲ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୨୫ ତାରିଖ ସକାଳ ୧୦ଟା ରେ ପହଞ୍ଚିବେ।

ଗତଥର ଭଳି ରାଜଧାନୀରେ ସେ କିଛି ବୁଦ୍ଧିଜୀବୀଙ୍କୁ ଭେଟିବେ ଓ ପରେ କଟକ ଅଭିମୁଖେ ଯାତ୍ରା କରିବେ। ସେହି ଦିନ ଅପରାହ୍‌ଣରେ ରାହୁଲ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ସୂଚନା ଅନୁସାରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ବିଶାଳ ସମାବେଶରେ ରାହୁଲ  ଉଦବୋଧନ ଦେବେ।

କଂଗ୍ରେସ ସଭାପତି ହେବା ପରେ ରାହୁଲଙ୍କ ଏହା ପ୍ରଥମ ଓଡିଶା ଗସ୍ତ। ତେବେ ଆସନ୍ତା ବର୍ଷ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେଉଥିବାରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ରାହୁଲଙ୍କ ଓଡ଼ିଶା ଗସ୍ତ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଜେପି ଭଳି କଂଗ୍ରେସର ମଧ୍ୟ ଅନୁଭବ ହେଉଛି ଯେ ଆସନ୍ତା ନିର୍ବାଚନରେ ଲୋକେ ଦଳକୁ ଭୋଟ ଦେବେ। ତେଣେ ଶାସକ ବିଜେଡି ସରକାର ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ ରକମର କାର୍ଯ୍ୟକ୍ରମ ଘୋଷଣା କରିବାରେ ଲାଗିପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here