ଓଡ଼ିଶାଲାଇଭ୍ ପଲଟିକାଲ ବ୍ୟୁରୋ
ବାରିପଦା ଭଳି ମୋଦିଙ୍କ ବଲାଙ୍ଗିର ସରକାରୀ ସଭାରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!
‘ଓଡ଼ିଶାରେ ୧୨୦ରୁ ଅଧିକ ଆସନରେ ଫୁଟିବ ପଦ୍ମ’ – ଏହାକୁ ଫୋକସ୍ରେ ରଖି ଅଭିଯାନ ଆରମ୍ଭ କରିଛି ବିଜେପି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନ ଘନ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ରାଜନୀତିକୁ ସର୍ଗରମ୍ କରିଛନ୍ତି।
ହେଲେ ଏସବୁ ଭିତରେ ଗୋଟିଏ କଥାକୁ ନେଇ ଏବେ ରାଜନୀତି କରିଡରରେ କାରଣ ଖୋଜା ଚାଲିଛି। ମୋଦିଙ୍କ ସରକାରୀ ସଭାରେ ନବୀନ କାହିଁକି ଉପସ୍ଥିତ ରହୁ ନାହାନ୍ତି ତାକୁ ନେଇ ଚର୍ଚ୍ଚା ବଢୁଛି।
୨୦୧୯ ନିର୍ବାଚନକୁ ଆଉ ଅଳ୍ପଦିନ ବାକି। ଏହାକୁ ନେଇ ରାଜ୍ୟ ରାଜନୀତିର ପାଣିପାଗ ଗରମ ରହିଛି। ଭୋଟ ହାତେଇବା ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ଆରମ୍ଭ କରିଦେଇଛନ୍ତି କସରତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଉପରେ ପୂରା ଫୋକସ୍ କରିଛନ୍ତି। ଡିସେମ୍ବରରୁ ଜାନୁଆରୀ ଭିତରେ ତିନି ଥର ଓଡ଼ିଶା ଗସ୍ତରେ ଆସି ରାଜ୍ୟ ରାଜନୀତିର ପାରଦ ବଢ଼ାଇଛନ୍ତି ମୋଦି।
ମୋଦି ଡିସେମ୍ବର ୨୪ରେ ଖୋର୍ଦ୍ଧା ଏବଂ ଜାନୁଆରୀ ୫ରେ ବାରିପଦା ଗସ୍ତରେ ଆସିଥିଲେ। ଏହି ଦୁଇଟି ସ୍ଥାନରେ ସରକାରୀ ସହ ଦଳୀୟ କାର୍ଯ୍ୟକ୍ରମ ବି ଥିଲା। ଖୋର୍ଦ୍ଧାଠାରେ ୧୪୫୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ରହିଥିଲେ।
କିନ୍ତୁ ଜାନୁଆରୀ ୫ରେ ବାରିପଦା ସଭାରେ ବ୍ୟତିକ୍ରମ ଦେଖାଦେଇଥିଲା। ସରକାରୀ ହାଇସ୍କୁଲ ପଡ଼ିଆରେ ମୋଦି ୪,୫୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ। ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇଥିଲେ। କିନ୍ତୁ ନବୀନ ଏହି ସଭାରେ ସାମିଲ ହୋଇ ନଥିଲେ।
ବାରିପଦାରେ ମୋଦି ସଭା କରୁଥିବା ବେଳେ ନବୀନ ପୁରୀ ତାଳବଣିଆଠାରେ ଅନୁଷ୍ଠିତ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୋଦିଙ୍କ ସଭାକୁ କାଉଣ୍ଟର କରିବା ପାଇଁ ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧରି ସଭା କରିଥିବା ଚର୍ଚ୍ଚା ହୋଇଥିଲା।
କାରଣ ଦର୍ଶାଗଲା କି ମୁଖ୍ୟମନ୍ତ୍ରୀଙ୍କର ପୁରୀରେ କାର୍ଯ୍ୟକ୍ରମ ଥିବାରୁ ସେ ବାରିପଦାରେ ସାମିଲ ହେବେ ନାହିଁ।
ପ୍ରଧାନମନ୍ତ୍ରୀ ଜାନୁଆରୀ ୧୫ରେ ପୁଣିଥରେ ବଲାଙ୍ଗିର ଗସ୍ତ କରୁଛନ୍ତି। ସେଠାରେ ମଧ୍ୟ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏହାକୁ ନେଇ ବିଜେପି ଶିବିର ଏବେ ଉତ୍ସାହିତ।
ସବୁଠୁ ବଡ଼ କଥା ହେଉଛି, ବାରିପଦା ସଭା ପରି ନବୀନ ମଧ୍ୟ ବଲାଙ୍ଗିର ସଭାରେ ସାମିଲ ହେବେନି। କାରଣ ସେହିଦିନ ରାଜଧାନୀରେ ବିଜେଡି ତରଫରୁ ଏକ ଚାଷୀ ସମାବେଶ ଆୟୋଜନ କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଚାଷୀମାନଙ୍କୁ ଉଦବୋଧନ ଦେବେ।
ବାରିପଦା ପରି ମୋଦିଙ୍କ ବଲାଙ୍ଗିର କାର୍ଯ୍ୟକ୍ରମରେ ନବୀନ ଯୋଗ ଦେଉ ନଥିବାରୁ ବିରୋଧୀ ଏନେଇ ଅଙ୍କକଷିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେଉ ନଥିବାରୁ ବିରୋଧୀ ସମାଲୋଚନା କରିଛନ୍ତି।
କାହିଁକି ଦୂରଉଛନ୍ତି ନବୀନ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଦୂରତ୍ୱ କାର୍ଡ ଖେଳି ଆସୁଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସଠାରୁ ତାଙ୍କ ଦଳ ବିଜେଡି ସମଦୂରତା ରଖୁଥିବା ନବୀନ ବାରମ୍ବାର କହି ଆସୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଣୁ ମୋଦିଙ୍କ ସଭାରେ ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ତାହାଲେ ଓଡ଼ିଶା ଭୋଟରଙ୍କ ପାଖକୁ ଏକ ନକରାତ୍ମକ ବାର୍ତ୍ତା ଯିବ ବୋଲି ବିଜେଡିର ମ୍ୟାନେଜରମାନେ ଧରି ନେଇଛନ୍ତି।
ମୋଦିଙ୍କ ସଭାକୁ ମୁଖ୍ୟମନ୍ତ୍ରୀ ନଯିବା ପାଇଁ ବିଜେଡି ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି। ମୋଦି ଯେଉଁଦିନ ଓଡ଼ିଶା ଆସୁଛନ୍ତି ସେହିଦିନ ବିଜେଡି ତରଫରୁ ନବୀନଙ୍କୁ ନେଇ କିଛି ନା କିଛି କାର୍ଯ୍ୟକ୍ରମ ରଖାଯାଇ ‘ସମଦୂରତ୍ୱ’ର ବାର୍ତ୍ତା ଦେବାକୁ ବିଜେଡି ଚାହୁଁଛି।
ପୂର୍ବରୁ ମୋଦିଙ୍କ ସଭାକୁ ରାଜ୍ୟର ବହୁ ନେତା ଓ ମନ୍ତ୍ରୀ ବର୍ଜନ କରୁଥିଲେ। ଏହାର ପ୍ରମାଣ ବିଗତ ଦିନରେ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଏବେ ଏହି ରେସ୍ରେ ନିଜେ ନବୀନ ପଟ୍ଟନାୟକ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।
ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଅନେକ ପ୍ରକଳ୍ପର ଉଦଘାଟନ କରୁଛନ୍ତି। ଏଥିରେ ରାଜ୍ୟ ସରକାରଙ୍କର ସହମତି ରହିବା କଥା। ମାତ୍ର ନବୀନ ମୋଦିଙ୍କ ସରକାରୀ ସଭାରେ ସାମିଲ ନହେବା ବିରୋଧୀଙ୍କୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଉଛି।
ବିରୋଧୀ ବିଜେପି କହିଛି ଯେ ରାଜ୍ୟସରକାର ଭୟଭୀତ ହୋଇପଡ଼ିଛନ୍ତି। ସେଥିଲାଗି ପ୍ରଧାନମନ୍ତ୍ରୀଙ୍କ ସହିତ ଗୋଟିଏ ମଞ୍ଚରେ ବସୁନାହାନ୍ତି। ଏହାକୁ ଆଧାର କରି ବିଜେପି ମଧ୍ୟ ରାଜନୈତିକ ଫାଇଦା ନେବା ଆରମ୍ଭ କଲାଣି।
(ରିପୋର୍ଟ: ମାନସୀ ମହାପାତ୍ର)








ବାରିପଦା ଭଳି ମୋଦିଙ୍କ ବଲାଙ୍ଗିର ସରକାରୀ ସଭାରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!









