ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାବାସୀଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ କ୍ୟାନସର କେୟାର ହସ୍ପିଟାଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଝାରସୁଗୁଡ଼ା ଏବଂ ଲଖନପୁର ବ୍ଲକରେ ନିର୍ମାଣ ହୋଇଥିବା ୬ଟି ଉଠା ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପରେ ୩୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ୧୩ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଏବଂ କିରିମିରା ବ୍ଲକରେ ଦୁଇଟି ଗ୍ରୀଡ ସବ୍ଷ୍ଟେସନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଝାରସୁଗୁଡ଼ା ସଦର, କୋଲାବିରା, କିରିମିରା ଏବଂ ଲାଇକେରା ବ୍ଲକରେ ମୋଗ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ନବୀନ। ଏହି ପ୍ରକଳ୍ପ ପାଇଁ ୩୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା।
୩୫.୬୨ କୋଟି ଟଙ୍କାର ବ୍ୟୟଅଟକଳରେ ଚୌକିପଡ଼ାଠାରେ ନିର୍ମିତ ରେଲୱେ ଓଭରବ୍ରିଜର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଝାରସୁଗୁଡ଼ାଠାରେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିଦାନ କେନ୍ଦ୍ର, ଅମତିଠାରେ ୧୮.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜଳସେଚନ ପ୍ରକଳ୍ପ ମଧ୍ୟ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୪ ହଜାର ୮୯ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଡିଜିଟାଲ ସଶକ୍ତିକରଣ ପାଇଁ ୧ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଇଛନ୍ତି। ୧ ହଜାର ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।








ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।







