ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ରାଜେନ୍ଦ୍ର କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଏନେଇ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବଲାଙ୍ଗିରରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇ ନବୀନ ଏହି ଘୋଷଣା କରିଛନ୍ତି।
ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇଥିଲେ। ରାଜେନ୍ଦ୍ର କଲେଜ ପଡ଼ିଆରେ ଅନୁଷ୍ଠିତ ଯୁବ ସମାବେଶରେ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଯୁବକମାନଙ୍କୁ ସେବା ମନବୃତ୍ତି ରଖି କାମ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, “ବଲାଙ୍ଗିର ରାଜା ସାହେବ ରାଜେନ୍ଦ୍ର ପ୍ରସାଦ ସେବା ମନୋବୃତ୍ତି ରଖି କାମ କରୁଥିଲେ। ସେ ଯେଉଁ ମନୋଭାବ ରଖିଥିଲେ ତାହାକୁ ଯୁବକମାନେ ଆପଣାନ୍ତୁ। ସେବା ଯୁବକମାନଙ୍କର ପରିଚୟ ହେବା ସହ ଓଡ଼ିଶାର ପରିଚୟ ହେବା ଦରକାର।”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରରେ ୨୬୨ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାତୃ ଶିଶୁ ଚିକିତ୍ସାଳୟକୁ ଉଦଘାଟନ କରିଥିଲେ। ସିସ୍କେଲା ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ବଲାଙ୍ଗିରି ଜିଲ୍ଲାରେ ୧୧୦ଟି ଅଙ୍ଗନାୱାଡ଼ି କେନ୍ଦ୍ରକୁ ଉଦଘାଟନ କରିଥିଲେ।
ସେହିପରି ବଲାଙ୍ଗିର ପଞ୍ଚାୟତ ସମିତିର ନୂତନ ସମ୍ବଳ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁରିବାହଲ ବ୍ଲକରେ ୨୦ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ପାଟଣାଗଡ଼ ବ୍ଲକରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।
















