ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

“ଓଡ଼ିଶା ବାରମ୍ବାର କେନ୍ଦ୍ର ଅବହେଳାର ଶିକାର ହୋଇ ଆସିଛି। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅବହେଳିତ କରାଯାଉଛି। କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯିବନି”, ଝାରସୁଗୁଡ଼ାର ଅମଲିପାଲି ଗ୍ରାଉଣ୍ଡରୁ କେନ୍ଦ୍ର ସରକାରଙ୍କୁ ସିଧା ନିଶାନା କରିଛନ୍ତି ନବୀନ ପ ଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ। ସେଠାରେ ୬୧୮ କୋଟି ୬୬ ଲକ୍ଷ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧା କେନ୍ଦ୍ରକୁ କରିଥିଲେ ଟାର୍ଗେଟ।

“କିଛିଦିନ ତଳେ ଝାରସୁଗୁଡ଼ା ଏୟାରପୋର୍ଟ ଆଡ଼ମ୍ବରପୂର୍ଣ୍ଣ ଭାବେ ଲୋକାର୍ପଣ କରାଯାଇଥିଲା। ଏହାର ପ୍ରଚାର ପ୍ରସାର ମଧ୍ୟ ବଡ଼ ଜାକଜମକରେ କରାଯାଇଥିଲା। ଆଶା କରାଯାଉଥିଲା ଏହି ଏ଼ୟାରପୋର୍ଟ ପଶ୍ଚିମ ଓଡ଼ିଶାର ବିକାଶରେ ସହାୟକ ହେବ। କିନ୍ତୁ ଏହି ଏୟାରପୋର୍ଟ ଏବେ ଖାଲି ପଡ଼ିଛି। କୌଣସି ବିମାନସେବା ଏଠାରୁ ମିଳୁନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି”, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶତାବ୍ଦୀ ଏକ୍ସପ୍ରେସ ଝାରସୁଗୁଡ଼ା ଦେଇ ଚଳାଚଳ କରିବାକୁ ନବୀନ ପୁଣିଥରେ ଦାବି ଦୋହରାଇଥିଲେ।

ଅମଲିପାଲି ସଭାରେ ନବୀନ କୋଲ୍ ରୟାଲଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ବାଣ ମାରିଥିଲେ।

ସେ କହିଥିଲେ ଯେ ଝାରସୁଗୁଡ଼ାରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଖଣି ରହିଛି। କୋଲ୍ ରୟାଲଟି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି। କେନ୍ଦ୍ର କେବଳ ଏ ଦିଗରେ ଆଶ୍ୱାସନା ଦେଇ ଆସୁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଓଡ଼ିଶା କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି।

କାହିଁକି ପଶ୍ଚିମ ଓଡ଼ିଶା?

ନିକଟରେ ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଓଡ଼ିଶା ଆସିଥିଲେ। ସେପ୍ଟେମ୍ବର ୨୨ରେ ମୋଦି ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିବା ସହ ଜନସଭାରେ ନବୀନ ସରକାରକୁ ଟାର୍ଗେଟ କରିଥିଲେ। ଓଡ଼ିଶାରେ ପିସି ନଦେଲେ କାମ ହୁଏନି ବୋଲି କହିଥିଲେ ମୋଦି।

ଖାଲି ସେତିକି ନୁହେଁ, ଝାରସୁଗୁଡ଼ାରେ ଏୟାରପୋର୍ଟ ଲୋକାର୍ପଣ କରି ମୋଦି ପଶ୍ଚିମ ଓଡ଼ିଶା ଭୋଟରଙ୍କ ଉପରେ ନଜର ପକାଇଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ନବୀନ ସେହି ଝାରସୁଗୁଡ଼ାରେ ଆଜି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

ଝାରସୁଗୁଡ଼ା ପରେ ମୋଦି ଗତ ୧୫ ତାରିଖରେ ଆସିଥିଲେ ବଲାଙ୍ଗିର। ହେଲେ ଏଠାରେ ମୋଦିଙ୍କର ଆଭିମୁଖ୍ୟ ବଦଳିଥିଲା। ଝାରସୁଗୁଡ଼ାରେ ଗରମ ଥିବା ମୋଦି ବଲାଙ୍ଗିରରେ ହୋଇଥିଲେ ନରମ। ହେଲେ ବଲାଙ୍ଗିର ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ମୋଦି ମନ୍ତ୍ର ଫୁଙ୍କିଥିଲେ।

ଏହାର ଜବାବ ଦେବାକୁ ନବୀନ ଆଜି ବଲାଙ୍ଗିରର ରାଜେନ୍ଦ୍ର କଲେଜ ପଡ଼ିଆରେ ଯୁବ ସମାବେଶ କରିଥିଲେ। ସେବା ମନୋବୃତ୍ତି ନେଇ ଆଗେଇ ଆସିବାକୁ ପରାମର୍ଶ ଦେବା ସହ ୨୬୨ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଥିଲେ।

ପଶ୍ଚିମ ଓଡ଼ିଶା ହେଉଛି ବିଜେପିର ଗଡ଼। ଏହି ପଶ୍ଚିମାଞ୍ଚଳରେ ବିଜେପିର ସଙ୍ଗଠନ ଭଲ ରହିଛି। ଏଣୁ ବିଜେପିକୁ ଚେକ୍ ଦେବା ପାଇଁ ନବୀନ ଆଜି କଂଗ୍ରେସ ଛାଡ଼ିଥିବା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କୁ ଦଳରେ ସାମିଲ କରି କେନ୍ଦ୍ରକୁ ନିଶାନା କରିଛନ୍ତି। ତେବେ ପଶ୍ଚିମ ଓଡ଼ିଶା ଭୋଟର ୨୦୧୯ ନିର୍ବାଚନରେ ମୋଦି ନା ନବୀନଙ୍କ ଉପରେ ଭରସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment