ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ବକେୟା ଟଙ୍କା ଦେବାକୁ ଦାବି କଲେ ନବୀନ।
ସଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ନବୀନ ଓଡ଼ିଶା ଭବନରେ ଆଜି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ଏହି ପ୍ରସଙ୍ଗ ଉଠାଇଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ବକେୟା ପାଉଣା ଦେବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି ନବୀନ।
“୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ବାକି ରହିଛି। ଏହି ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ତାହାର ଯଥେଷ୍ଟ ପ୍ରାପ୍ୟ ଦେଇ ନାହାନ୍ତି। ହଜାର ହଜାର କୋଟି ଟଙ୍କା ଏପର୍ଯ୍ୟନ୍ତ ବାକି ରହିଛି। ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ଠାରୁ କମ୍ ଅର୍ଥ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟକୁ ୬୪୦୦ କୋଟି ଟଙ୍କା ଦେବାର ଅଛି”, କହିଛନ୍ତି ନବୀନ ପଟ୍ଟନାୟକ।
ନବୀନ ଏହି ଉଚ୍ଚସ୍ତରୀୟ ବୈଠକରେ କହିଥିଲେ ଯେ ବାସଗୃହ ବାବଦରେ ଏକ ହଜାର କୋଟିରୁ ଅଧିକ ଟଙ୍କା ବାକି ଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ୩୭୫ କୋଟି ଟଙ୍କା ବାକି ରହିଛି। ସେହିପରି ୪୦୦ କୋଟି ମନରେଗା ବାବଦରେ ଥିବା ବେଳେ କୃଷି ବାବଦରେ ୬୫୦ କୋଟି ଟଙ୍କା କେନ୍ଦ୍ର ଏପର୍ଯ୍ୟନ୍ତ ଓଡ଼ିଶାକୁ ଦେଇନାହିଁ।
ପିଇବା ପାଣି ପାଇଁ ୩ ହଜାର କୋଟି ଟଙ୍କା ରାଜ୍ୟ ସରକାର ନିଜ ବଜେଟରୁ ଖର୍ଚ୍ଚ କରି ସାରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୧୮୦ କୋଟି ଟଙ୍କା ଦେବାକୁ ଥିବାବେଳେ ଓଡ଼ିଶାକୁ ମାତ୍ର ୮୦ କୋଟି ଟଙ୍କା ମିଳିଛି।
ସେହିପରି ସ୍ମାର୍ଟ ସିଟି ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶାକୁ ୨ ଶହ କୋଟି ଟଙ୍କା ମିଳିବାକୁ ଥିବାବେଳେ, ମାତ୍ର ୬ କୋଟି ଟଙ୍କା ମିଳିଛି। ୨୦୧୮-୧୯ ଆର୍ଥିକ ବର୍ଷ ସରିବା ପୂର୍ବରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି।








୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ବକେୟା ଟଙ୍କା ଦେବାକୁ ଦାବି କଲେ ନବୀନ।







