ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ।
“ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାଙ୍କ ସମ୍ମାନ ବଢ଼ାଇଛି। ଏହି ଯୋଜନା ଫଳରେ ଗରିବ ଶ୍ରେଣୀର ମା’ ଭଉଣୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଛନ୍ତି। ଉଜ୍ଜଳା ମହିଳାମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି”, କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରାଜ୍ୟର ୨୮ଟି ସ୍ଥାନରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୦ ହଜାରରୁ ଅଧିକ ଲାଭାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ମା’ ଓ ଭଉଣୀମାନଙ୍କ ମଧ୍ୟରେ ସୁଖ, ସମୃଦ୍ଧି ସହ ସେମାନଙ୍କ ସମ୍ମାନ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧ ପରିକର। ତାଙ୍କ ପରିକଳ୍ପନାରେ ଦେଶର ୬ କୋଟି ଗରିବ ମା’ ଭଉଣୀମାନେ ଉଜ୍ଜଳା ଗ୍ୟାସ ପାଇପାରିଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଛି। ଆଗାମୀ ଦିନରେ ସବୁ ପରିବାରରେ କେମିତି ଉଜ୍ଜଳା ଗ୍ୟାସ ପହଞ୍ଚି ପାରିବ ଏନେଇ ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି।
ଧର୍ମେନ୍ଦ୍ର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ମୋଦି ସରକାର ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। କିନ୍ତୁ ରାଜ୍ୟରେ ଏହି ଯୋଜନା ଲାଗୁ କରୁ ନାହାନ୍ତି। ରାଜ୍ୟବାସୀଙ୍କୁ ତାଙ୍କ ହକ୍ରୁ ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର।”
କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି କହିଥିଲେ, “ଘରେ ରୋଷେଇ କରିବାକୁ ମା’ ଭଉଣୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଧୂଆଁରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା। ଏହାର ସମାଧାନର ସୂତ୍ର ପ୍ରଧାନମନ୍ତ୍ରୀ ବାହା ର କରି ଦେଖାଇଲେ।”
ଧର୍ମଗଡ଼, ଢେଙ୍କାନାଳ, ପଦ୍ମପୁର, ଏରମ, ବ୍ରହ୍ମଗିରିରେ ଉପସ୍ଥିତ ଥିବା ହିତାଧିକାରୀମାନଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନି ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ କଥା ହୋଇଥିଲେ।