ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଉପକୂଳ ପରେ ରାହୁଲ ଗାନ୍ଧିଙ୍କ ଫୋକସ୍ରେ ଏବେ ପଶ୍ଚିମ ଓଡ଼ିଶା।
ମାତ୍ର ୧୨ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗତ ଜାନୁଆରି ୨୫ରେ ଭୁବନେଶ୍ୱର ତମାଣ୍ଡୋରେ ଜନସଭାକୁ ଉଦବୋଧନ ଦେଇ ଉପକୂଳ ଓଡ଼ିଶା ଉପରେ ଫୋକସ୍ କରିଥିଲେ ରାହୁଲ।
ବୁଧବାର ଦିନ ଭବାନିପାଟଣା ଏବଂ ରାଉରକେଲାରେ ଦୁଇଟି ସଭା କରି ରାହୁଲ ପଶ୍ଚିମ ଓଡ଼ିଶାର କଂଗ୍ରେସ କର୍ମକର୍ତ୍ତା ଏବଂ ନେତାଙ୍କ ମନୋବଳ ବୃଦ୍ଧି କରିବେ ବୋଲି ଚର୍ଚ୍ଚା ହେଉଛି।
ପଶ୍ଚିମ ଓଡ଼ିଶାରେ କ’ଣ କହିବେ ରାହୁଲ?
ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ଭବାନିପାଟଣା ଏବଂ ରାଉରକେଲାରେ ଦୁଇଟି ସଭାରେ ଉଦବୋଧନ ଦେବେ ରାହୁଲ। ଏଥିପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ରାହୁଲ ଏହି ସଭାରେ କ’ଣ କହି କଂଗ୍ରେସ କର୍ମୀଙ୍କ ମନ ଜିଣିବେ ତାକୁ ନେଇ ଉତ୍କଣ୍ଠା ବଢ଼ିଛି।
ଗତ ଜାନୁଆରି ୨୫ରେ ରାହୁଲ ଭୁବନେଶ୍ୱର ସଭାରେ ଉଭୟ ନବୀନ ଏବଂ ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଥିଲେ। ଏପରିକି ମୋଦି-ନବୀନଙ୍କ ଭିତରେ ଭିତିରି ବୁଝାମଣା ରହିଥିବା ରାହୁଲ କହିଥିଲେ। ଖାଲି ସେତିକି ନୁହେଁ, ୨୦୧୯ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଥିଲେ ରାହୁଲ। କଂଗ୍ରେସ ଓଡ଼ିଶାରେ କ୍ଷମତାକୁ ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ ହେବ ବୋଲି ଘୋଷଣା କରିଥିଲେ କଂଗ୍ରେସ ଅଧ୍ୟକ୍ଷ।
ଉପକୂଳ ଓଡ଼ିଶା ପରେ ରାହୁଲ ଏବେ ପଶ୍ଚିମ ଓଡ଼ିଶା ଉପରେ ନଜର ପକାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅଧ୍ୟକ୍ଷ ହେବା ପୂର୍ବରୁ ରାହୁଲ କଳାହାଣ୍ଡି ଜିଲ୍ଲାର ନିୟମଗିରି ପାହାଡ଼ ପାଦଦେଶକୁ ଆସି ନିଜକୁ ଆଦିବାସୀଙ୍କ ସିପାହୀ ବୋଲି କହିଥିଲେ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବରଗଡ଼ରେ ପଦଯାତ୍ରା କରି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ।
ସେତେବେଳେ ପଶ୍ଚିମ ଓଡ଼ିଶା ଲୋକେ ରାହୁଲଙ୍କୁ କଂଗ୍ରେସ ଉପାଧ୍ୟକ୍ଷ ଭାବେ ଦେଖିଥିଲେ। ଏବେ ରାହୁଲଙ୍କୁ କଂଗ୍ରେସର ଅଧ୍ୟକ୍ଷ ଭାବେ ଦେଖିବେ ପଶ୍ଚିମ ଓଡ଼ିଶାବାସୀ। ଏଣୁ ପଶ୍ଚିମ ଓଡ଼ିଶାକୁ ରାହୁଲ ପ୍ରଥମ ଥର ପାଇଁ ଗସ୍ତ କରୁଥିବାରୁ ତାଙ୍କଠାରୁ କଂଗ୍ରେସ କର୍ମୀ ବହୁତ କିଛି ଆଶା କରୁଛନ୍ତି।
କଳହାଣ୍ଡି ଲୋକସଭା ଆସନ ବିଜେଡି କବ୍ଜାରେ ଥିବା ବେଳେ ସୁନ୍ଦରଗଡ଼ ଲୋକସଭା ଆସନ ବିଜେପି ହାତରେ ରହିଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଅଛନ୍ତି। ତେବେ ରାହୁଲ ବିଜେପି ଓ ବିଜେଡି ଗଡ଼ରେ ନବୀନ ଏବଂ ମୋଦିଙ୍କୁ କେମିତି ଆଟାକ୍ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।
ପଶ୍ଚିମ ଓଡ଼ିଶାରେ ରାହୁଲଙ୍କ ପ୍ରଭାବ ପଡ଼ିବ କି?
ରାହୁଲ ବୁଧବାର ଦିନ ଯେଉଁ ଦୁଇଟି ଜିଲ୍ଲା ଗସ୍ତ କରିବେ ତାହା ଅତୀତରେ ଥିଲା କଂଗ୍ରେସ ଗଡ଼। କଳାହାଣ୍ଡିର ନେତା ଭକ୍ତ ଚରଣ ଦାସ ଏବଂ ସୁନ୍ଦରଗଡ଼ର ନେତା ହେମାନନ୍ଦ ବିଶ୍ୱାଳ ଏହି ଦୁଇଟି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି। ୨୦୦୯ରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ହେମାନନ୍ଦ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୪ରେ ଏହି ଦୁଇ ବରିଷ୍ଠ ନେତାଙ୍କୁ ପରାଜିତ ହେବାକୁ ପଡ଼ିଛି।
ଖାଲି ସେତିକି ନୁହେଁ, ୨୦୦୯ରେ ଯେଉଁ କଂଗ୍ରେସ ୬ଟି ଲୋକସଭା ଆସନରେ ବିଜୟ ବାନା ଉଡ଼ାଇଥିଲା ୨୦୧୪ରେ କୌଣସି ଗୋଟିଏରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିଲା। ଏଣୁ ରାହୁଲଙ୍କ ଗସ୍ତ ପଶ୍ଚିମ ଓଡ଼ିଶା ଭୋଟରଙ୍କ ଉପରେ କି ପ୍ରଭାବ ପକାଉଛି ତା’ ଉପରେ ସମସ୍ତେ ନଜର ରଖିଛନ୍ତି।
“୯ ବର୍ଷ ପରେ ରାହୁଲ କେବିକେ ଅଞ୍ଚଳକୁ ଆସୁଛନ୍ତି। ରାହୁଲଙ୍କ ଗସ୍ତକୁ ନେଇ ଲୋକେ ଉତ୍ସାହିତ ଅଛନ୍ତି। ତାଙ୍କଠାରୁ ବହୁତ କିଛି ଆଶା କରୁଛନ୍ତି ଲୋକେ। ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିଛି। ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ପଡ଼ିବ”, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।
ଏହାର ଜବାବରେ ବିଜେଡି ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, “ବିଜେପି ଏବଂ କଂଗ୍ରେସର ଜାତୀୟ ସ୍ତରର ନେତା ପଶ୍ଚିମ ଓଡ଼ିଶାକୁ ଗସ୍ତ କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ହେଲେ ଲୋକେ ସେମାନଙ୍କ କଥାକୁ ଭରସା କରିପାରୁ ନାହାନ୍ତି। ପଶ୍ଚିମ ଓଡ଼ିଶାରେ ବିଜେଡି ସଙ୍ଗଠନ ମଜଭୁତ ଅଛି।”
ରାହୁଲ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସ ଏବଂ ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଇତି ମଧ୍ୟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତାଙ୍କ ଇସ୍ତଫା କଂଗ୍ରେସ ଶକ୍ତ ଧକ୍କା। ଏଣୁ ରାହୁଲ କ’ଣ କହି ପଶ୍ଚିମ ଓଡ଼ିଶାରେ କଂଗ୍ରେସର ସ୍ଥିତି ମଜଭୁତ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି।
ରାହୁଲଙ୍କ ଭୁବନେଶ୍ୱର ଗସ୍ତ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କଟକ ଏବଂ ପୁରୀ ଆସି କଂଗ୍ରେସ ଉପରେ ବର୍ଷିଛନ୍ତି। ଏବେ ପୁଣି ରାହୁଲ ଆସୁଛନ୍ତି ପଶ୍ଚିମ ଓଡ଼ିଶା। କଟକ ଏବଂ ପୁରୀରେ ଅମିତ ଶାହ ଦେଇଥିବା ମନ୍ତବ୍ୟର ରାହୁଲ ଜବାବ ଦେବେ ବୋଲି ଚର୍ଚ୍ଚା ହେଉଛି।








ଉପକୂଳ ପରେ ରାହୁଲ ଗାନ୍ଧିଙ୍କ ଫୋକସ୍ରେ ଏବେ ପଶ୍ଚିମ ଓଡ଼ିଶା।









