ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବଜେଟରେ କାଳିଆ ପାଇଁ ସର୍ବଧିକ ଅର୍ଥ ବ୍ୟୟବରାଦ।

ଚାଷୀ, ମହିଳା ଏବଂ ଯୁବକଙ୍କ ହାତରେ ରହିଛି ଭୋଟ। ଏହାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ବୁଝିଛନ୍ତି। ସେଥିପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ବିଧାନସଭାରେ ଆଗତ ହୋଇଥିବା ବଜେଟରେ ଚାଷୀ, ମହିଳା, ଯୁବକଙ୍କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ଗତ ୧୮ ବର୍ଷ ହେଲା ଯେଉଁମାନଙ୍କୁ ଅସ୍ତ୍ର କରି ନବୀନ ଏବଂ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇ ଆସୁଛନ୍ତି ୨୦୧୯ ଭୋଟରେ ମଧ୍ୟ ସେମାନଙ୍କ ଉପରେ ପୁଣି ଭରସା କରିଛନ୍ତି। ସେଥିପାଇଁ ଚାଷୀ, ମହିଳା ଓ ଯୁବକଙ୍କ ପାଇଁ ନବୀନ ସରକାର ବଜେଟରେ ଭଣ୍ଡାର ଖୋଲି ଦେଇଛନ୍ତି।

ଚାଷୀ ଏବଂ ଚାଷର ଉନ୍ନତି ପାଇଁ ଜାନୁଆରି ୨୫ରେ ରାଜ୍ୟ ସରକାର କାଳିଆ ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ସରକାର ଘୋଷଣା କରିଥିଲେ। ଆଜି ଏ ବାବଦରେ ବଜେଟରେ ଅର୍ଥ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। କାଳିଆ ପାଇଁ ସର୍ବାଧିକ ୪ ହଜାର ୪୬୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର।

ନିର୍ବାଚନରେ ମହିଳା ଭୋଟରଙ୍କର ବଡ଼ ଭୂମିକା ରହିଛି। ମହିଳା ଭୋଟ୍ୟାଙ୍କକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ବଜେଟ ପୂର୍ବରୁ ବିଜେଡି ପ୍ରତି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ ଦେବାକୁ ଘୋଷଣା କରି ନିର୍ବାଚନୀ କାର୍ଡ ଖେଳିଥିଲା।

ମମତା ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ୩୦୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୦୯ ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ କରିଥିଲେ ସରକାର। ଏହି ଯୋଜନାକୁ ଆଧାର କରି ନବୀନ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାର୍ ହୋଇଛନ୍ତି।

ଏବେ ପୁଣି ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବ୍ୟୟବରାଦ କରି ୨୦୧୯ ନିର୍ବାଚନରେ ବିଜୟ ବାନା ଉଡ଼ାଇବାକୁ ଚାହୁଁଛନ୍ତି ସରକାର।

ନିର୍ବାଚନରେ ବଡ଼ ଭୂମିକା ରହିଛି ଯୁବକମାନଙ୍କର। ଯୁବକମାନଙ୍କୁ ସବୁ ଦଳ ଫୋକସ୍‌ରେ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ବିଜୁ ଯୁବ ବାହିନୀ ଗଠନ କରିଛନ୍ତି। ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ବିଭିନ୍ନ ସଚେତନତାମୂଳକ କାମ କରୁଛନ୍ତି। ୧୮ରୁ ୩୫ ବର୍ଷର ଯୁବକମାନଙ୍କୁ ଏହି ବାହିନୀରେ ସାମିଲ କରି ୨୦୧୯ ନିର୍ବାଚନକୁ କବ୍‌ଜା କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ଏଥିପାଇଁ ନବୀନ ସରକାର ଆଜି ବଜେଟରେ ୧୦୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଏହାବାଦ୍ ରାଜ୍ୟ ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଫୋକସ୍ କରିଛନ୍ତି। ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି, ଜଳ ଯୋଗାଣ ପ୍ରକଳ୍ପ ବସୁଧା ପାଇଁ ୯୩୫ କୋଟି, ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି ଟଙ୍କାର ବ୍ୟୟବରାଦ କରି ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି।

“ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ। ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ହିଁ ଆମେ କରିଛୁ। ଏହି ବଜେଟ ବିକାଶମୂଳକ ବଜେଟ ହୋଇଛି। ବିକାଶକୁ ଆମ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଚାଷୀ, ଯୁବକ, ମହିଳା ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବଜେଟରେ ଅଗ୍ରାଧିକାର ଦିଆଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment