ଓଡ଼ିଶାଲାଇଭ୍ ବ୍ୟୁରୋ
ଇଞ୍ଜିନିୟରିଂ ଓ ଆର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ର ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ୍ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରି ୮ରୁ ୧୨ ତାରିଖ ମଧ୍ୟରେ ହୋଇଥିଲା।
ପେପର୍-୧ ପରୀକ୍ଷା ଫଳ ଜାନୁଆରି ୧୯ ଓ ପେପର-୨ ପରୀକ୍ଷା ଫଳ ଜାନୁଆରି ୩୧ରେ ପ୍ରକାଶ ପାଇ ସାରିଛି। ତେବେ ଜେଇଇ ମେନ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିଏ।
ବିଜ୍ଞପ୍ତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷା ଦେଇଛନ୍ତି, ସେମାନେ ଆହୁରି ଭଲ କରିବା ପାଇଁ ଏପ୍ରିଲ୍ରେ ପରୀକ୍ଷା ଦେଇପାରିବେ। ତାହା ପରୀକ୍ଷାର୍ଥୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ଜାନୁଆରିରେ ପରୀକ୍ଷା ଦେଇପାରି ନଥିବା ପରୀକ୍ଷାର୍ଥୀ ବି ଏହି ପରୀକ୍ଷାରେ ଭାଗ ନେଇପାରିବେ। ଯେଉଁମାନେ ଉଭୟ ପରୀକ୍ଷା ଦେଇଥିବେ, ଭଲ କରିଥିବା ପରୀକ୍ଷାରେ ମାର୍କକୁ ବିଚାରକୁ ନିଆଯାଇ ମେରିଟ୍ ଲିଷ୍ଟ ତଥା ରାଙ୍କିଙ୍ଗ୍ ପ୍ରକାଶ କରାଯିବ।
ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍ରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆଜିଠାରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଅନ୍ଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଫି’ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଦାଖଲ କରିହେବ। ଅଫ୍ଲାଇନରେ କୌଣସି ପ୍ରକାର ଫର୍ମ ଗ୍ରହଣ କରାଯିବ ନାହିଁ। ଏଥର ବି ଜେଇଇ ମେନ୍ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ।
ଏନେଇ ଅଧିକ ତଥ୍ୟ ‘www.nta.ac.in‘ ଓ ‘www.jeemain.nic.in‘ରେ ପାଇପାରିବେ।
ପେପର -୧ (ମ୍ୟାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି) ପରୀକ୍ଷା ଦୁଇଟି ସିଫ୍ଟ ସକାଳ ୯ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ରେ ଅନୁଷ୍ଠିତ ହେବ। ପେପର୍-୨ (ବି ଆର୍କ/ବି ପ୍ଲାନିଂ) ପରୀକ୍ଷା ଦୁଇରୁ ଅଧିକ ସିଫ୍ଟରେ ହୋଇପାରେ ବୋଲି କୁହାଯାଇଛି।