ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଜେଇଇ ମେନ୍ ୨୦୨୪ ପରୀକ୍ଷା ଫଳ। ଏଥିରେ ସର୍ବଭାରତୀୟ ସ୍ତରରେ ୫୬ ଜଣ ଛାତ୍ର ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଓଡ଼ିଶାର ଅନ୍ୱେଶ ଶୁଭମ ପ୍ରଧାନ ୯୯.୯୯ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଗୁରୁବାର ଏହି ରେଜଲ୍ଟ ଘୋଷଣା ହୋଇଛି।

ଜେଇଇ ମେନ୍ ପରୀକ୍ଷାରେ ଶତ ପ୍ରତିଶତ ସ୍କୋର କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସର୍ବାଧିକ ୧୫ ଜଣ ତେଲଙ୍ଗାନରୁ ରହିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶର ଓ ମହାରାଷ୍ଟ୍ରର ୭ ଜଣ ଲେଖାଏଁ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି।

ସେହିପରି ଜେଇଇ ମେନ୍ ପରୀକ୍ଷାରେ ଟପ୍ ରାଙ୍କରେ ଥିବା ୨ ଲକ୍ଷ ୫୦ ହଜାର ୨୮୦ ଜଣ ପରୀକ୍ଷାର୍ଥୀ ଜେଇଇ-ଆଡ୍‌ଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତରେ ଥିବା ଆଇଆଇଟି ତଥା ଆଇଆଇଏସସି ଭଳି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଜେଇଇ-ଆଡ୍‌ଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ।

ଚଳିତବର୍ଷ ସାରା ଭାରତରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁଆରି ମାସରେ ହୋଇଥିବାବେଳେ ଏପ୍ରିଲ ମାସରେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଜେଇଇ ମେନର ରେଜଲ୍ଟ ଜାଣିବା ପାଇଁ ଏହି ଲିଙ୍କଟିକୁ କ୍ଲିକ୍ କରନ୍ତୁ। –Joint Entrance Examination (Main) | India (ntaonline.in)

Tags: #JEE(Main)2024 #Result #Education #NationalTestingAgency #India

Comment