ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରୁ ପ୍ରଣବ ନନ୍ଦୀ: କଟକ ସହରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସହରର ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି। କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି।
ପ୍ରତ୍ୟେକ ମେଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି। ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି। ଏସଂପର୍କରେ ଜନସାଧାରଣ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି।

କୁକୁର ବନ୍ଧ୍ୟାକରଣ ଯୋଜନା ଠପ୍
କୁକୁର ବନ୍ଧ୍ୟାକରଣ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ସହରରେ ବୁଲା କୁକୁରଙ୍କ ବଂଶ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଯଥା-ମହାନଦୀବିହାର, ପ୍ରେସ୍ ଛକ, ଚାଉଳିଆଗଂଜ, ନୂଆବଜାର, ବିଦ୍ୟାଧରପୁର, ପୋତାପୋଖରୀ, ଓଏମପିଛକ, ବକ୍ସିବଜାର ଛକ, ଚଣ୍ଡୀ ଛକ, ସେମିନାରୀ ଛକ, ଦୋଳମୁଣ୍ଡାଇ, ବାଦାମବାଡି, ଖାନନଗର, ଷ୍ଟେସନ ରୋଡ, କଲେଜଛକ, ରାଣୀହାଟ, ମଙ୍ଗଳାବାଗ, କ୍ୟାଂଟନମେଂଟ ରୋଡ ଆଦି ସ୍ଥାନରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି।

କୁକୁରଙ୍କ ଉପଦ୍ରବରେ ଜନସାଧାରଣ ହନ୍ତସନ୍ତ
ସନ୍ଧ୍ୟା ପରେ କୁକୁରମାନଙ୍କର ଦୈାରାତ୍ମ୍ୟ ବଢିଯାଉଥିବାର ଲକ୍ଷ୍ୟ କରାଯାଉଛି। ବିଶେଷକରି ପଥଚାରୀ ଓ ବାଇକ ଚାଳକମାନଙ୍କୁ ଦେଖି ବୁଲାକୁକୁରମାନେ କାମୁଡିବା ପାଇଁ ଗୋଡାଉଥିବାରୁ ସ୍ଥଳବିଶେଷରେ ଦୁଇ ଚକିଆ ଗାଡିର ଆରୋହୀମାନେ ବହୁ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଏହା ବ୍ୟତୀତ ବହୁ ଲୋକ କୁକୁର କାମୁଡାରେ ମଧ୍ୟ ଆହତ ହୋଇଛନ୍ତି। ସନ୍ଧ୍ୟା ସମୟରେ ଟ୍ୟୁସନ ଫେରନ୍ତା ଛାତ୍ରଛାତ୍ରୀମାନେ ମଧ୍ୟ କୁକୁରଙ୍କ ଉପଦ୍ରବରୁ ଭୟଭୀତ ହୋଇପଡୁଛନ୍ତି। ବିଳମ୍ବିତ ରାତିରେ ଏହି ବୁଲା କୁକୁରମାନଙ୍କର ବିକଟାଳ ଧ୍ୱନୀ ଜନସାଧାରଣଙ୍କ ନିଦ୍ରା ଭଙ୍ଗ କରୁଛି। ଏହାବ୍ୟତୀତ କୁକୁରମାନେ ରାସ୍ତାରେ ଏଣେତେଣେ ମଳତ୍ୟାଗ କରି ସହରର ପରିବେଶକୁ ପ୍ରଦୂଷିତ କରୁଛନ୍ତି। ସହରରେ ବୁଲା କୁକୁରଙ୍କ ସଂଖ୍ୟା ଠିକ ଭାବେ ଗଣନା କରାଯାଉନାହିଁ।

କର୍ତୃପକ୍ଷଙ୍କ ଅଣଦେଖା
ଏତଦ୍ବ୍ୟତୀତ ସିଏମସି କର୍ତୃପକ୍ଷଙ୍କ ଉଦାସୀନତା ଓ ବନ୍ଧ୍ୟାକରଣ ଯୋଜନା ଦିଶାହୀନ ହୋଇପଡିଥିବାରୁ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ସହରରେ ବୁଲାକୁକୁରମାନଙ୍କର ଆତଙ୍କରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
















