ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ମାଓପ୍ରବଣ ଅଞ୍ଚଳରେ ଆରମ୍ଭ ହୋଇଛି ନିର୍ବାଚନ ପ୍ରସ୍ତୁତି। ହେଲିକପ୍ଟର ଯୋଗେ ଯିବେ ପୁଲିଂ ପାର୍ଟି, ସୁରକ୍ଷା ବ୍ୟବସ୍ଥାରେ ପାରାମିଲିଟାରୀ ଫୋର୍ସ ସାମିଲ।
ନିର୍ବାଚନୀ ବିଗୁଲ ବାଜିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ମାଲକାନଗିରିର ମାଓପ୍ରବଣ ଅଂଳଚରେ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତିସମ୍ବେଦନଶୀଳ ଓ ଅପହଞ୍ଚ ବୁଥ୍ ଗୁଡିକରେ ହେଲିକପ୍ଟରରେ ଯୋଗେ ପୁଲିଂ ପାର୍ଟି ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧୧)ରେ ମାଲକାନଗିରି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ। ଜିଲ୍ଲାରେ ମୋଟ ୫୪୦ଟି ବୁଥ୍ ଥିବାବେଳେ ମାଲକାନଗିରି ବିଧାନସଭା କ୍ଷେତ୍ରରେ ରହିଛି ୨୫୭ଟି ବୁଥ୍ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୩ଟି ବୁଥ୍ ରହିଛି।

ମାଲକାନଗିରିର ଚିତ୍ରକୋଣ୍ଡା ବିଧାନସଭା ମଣ୍ଡଳୀ ଏକ ମାଓ ପ୍ରବଣ ଇଲାକା। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍ଦାର ପ୍ରସ୍ତୁତି କରାଯାଇଛି। ମାଓ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୧୨୮ଟି ବୁଥକୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଅନ୍ୟ ପକ୍ଷରେ ୯ଟି ଅପହଞ୍ଚ ବୁଥ୍ରେ ହେଲିକପ୍ଟର ଯୋଗେ ପୁଲିଂ ପାର୍ଟି ପହଂଚାଇବା ଲାଗି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ଚଳିତ ନିର୍ବାଚନରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସକୁ ନିୟୋଜିତ କରାଯିବା ନେଇ ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୂଚନା ଦେଇଛନ୍ତି।
















