ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଚାଲିଛି ଟିକେଟ ଛକାପଞ୍ଝା।

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ବହୁଛି ଅସନ୍ତୋଷର ହାଓ୍ବା। ଯେଉଁମାନଙ୍କୁ ବିଜେଡି ଟିକେଟ ମିଳିନି ସେମାନେ ଶଙ୍ଖ ଶିବିର ଛାଡ଼ି ପଦ୍ମ କ୍ୟାମ୍ପକୁ ଡେଇଁଛନ୍ତି। ଆଜି ଜଣକ ପରେ ଜଣେ ଅସନ୍ତୁଷ୍ଟ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି।

ଏମାନଙ୍କ ଭିତରେ ଅଛନ୍ତି ସୁନ୍ଦରଗଡ଼ର କୁସୁମ ଟେଟେ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଆସ୍କା ବିଧାୟକ ଦେବରାଜ ମହାନ୍ତି, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ପାରଳାଖେମୁଣ୍ଡିର କେ ନାରାୟଣ ରାଓ।

ଏହି ନେତାମାନେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। କିନ୍ତୁ ଟିକେଟ ନମିଳିବାରୁ ଏମାନେ ବିଜେପି ମୁହାଁ ହୋଇଛନ୍ତି।

ସୁନ୍ଦରଗଡ଼ ସଦର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ହାତେଇଛନ୍ତି କଂଗ୍ରେସରୁ ଆସିଥିବା ଯୋଗେଶ ସିଂ। ଯୋଗେଶଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି। ଯୋଗେଶଙ୍କ ବିପକ୍ଷରେ କୁସୁମ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି।

କୁସୁମ ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇଥିଲେ। ଯୋଗେଶ ସିଂଙ୍କଠାରୁ ସେ ପରାଜିତ ହୋଇଥିଲେ।

୨୦୧୪ରେ ଦଶପଲ୍ଲା ବିଧାନସଭା ଆସନରୁ ଜିତିଥିବା ପୂର୍ଣ୍ଣଚନ୍ଦ୍ର ନାୟକ ଏଥର ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ଜାଗାରେ ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ପୂର୍ଣ୍ଣଚନ୍ଦ୍ର ବିଜେଡି ଛାଡ଼ିଛନ୍ତି। ସେ ଆଜି ବିଜେପି ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି।

ଆସ୍କା ବିଧାନସଭା ଆସନରୁ ୨୦୧୪ରେ ନିର୍ବାଚନ ଜିତିଥିବା ଦେବରାଜ ମହାନ୍ତିଙ୍କୁ ବି ଟିକେଟ ମିଳିନି। ତାଙ୍କ ଜାଗାରେ ମଞ୍ଜୁଳା ସ୍ୱାଇଁଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି। ଏଥିରେ ଅସନ୍ତୁଷ୍ଟ ଥିବା ଦେବରାଜ ବିଜେପିରେ ଯୋଗ ଦେଇଛନ୍ତି।

ଗତ କିଛିଦିନ ତଳେ ନୀଳଗିରି ବିଧାନସଭା ଆସନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସୁଷମା ବିଶ୍ୱାଳଙ୍କୁ ଦଳକୁ ଆଣି ବିଜେଡି ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ ଚିନ୍ତା ବଢ଼ାଇଥିଲା। ସୁକାନ୍ତ ଆଜି ଶେଷରେ ବିଜେପିରେ ଯୋଗ ଦେଇଛନ୍ତି।

ପାରଳାଖେମୁଣ୍ଡ ବିଜେଡି ଟିକେଟ ପାଇଥିବା କଳ୍ୟାଣୀ ଗଜପତିଙ୍କୁ ବିରୋଧ କରି ପୂର୍ବତନ ବିଧାୟକ କେ ନାରାୟଣ ଦେଓ ଦଳ ଛାଡ଼ିଥିଲେ। ସେ ବି ବିଜେପି ମୁହାଁ ହୋଇଛନ୍ତି।

ସେହିପରି ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେପିରେ ଯୋଗ ଦେଇଛନ୍ତି।

କଂଗ୍ରେସ ଏବଂ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ଏଯାଏଁ ଗୋଟିଏ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ବିଜେଡିରୁ ଯେଉଁ ନେତାମାନେ ଟିକେଟ ପାଉ ନାହାନ୍ତି ସେମାନଙ୍କୁ ଦଳକୁ ଆଣି ବିଜେପି ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ବିଜେପିର ଏହି ମିଶ୍ରଣ ପର୍ବକୁ ବିଜେଡି ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପି ଆଜି ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁ ନାହିଁ। ତାଙ୍କ ଦଳରେ ନେତା ଅଭାବ ଥିବାରୁ ସେମାନେ ଅନ୍ୟ ଦଳରୁ ଟିକେଟ ପାଉ ନଥିବା ଲୋକଙ୍କୁ ନେଉଛନ୍ତି।

Comment