ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ସବୁ ଦଳ ପ୍ରାର୍ଥୀ ଚୟନରେ ଲାଗିଛନ୍ତି। ପ୍ରାୟ ସବୁଦଳ ପ୍ରତିଟି ଆସନରେ ଟାଣୁଆ ମୁହଁ ଦେବାକୁ ଚେଷ୍ଟା କରୁଛନ୍ତି।
ସେହିକ୍ରମରେ ବିଜେପିରେ ପ୍ରଶାସିକାରୁ ପଲିଟିସିଆନ୍ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ଆସନ ଲାଗି ପ୍ରାର୍ଥୀ କରିଥିବାବେଳେ କଟକ ଲୋକସଭା ଆସନ ଲାଗି ପୂର୍ବତନ ପୋଲିସ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।
ରବିବାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବାର ୨୪ଘଣ୍ଟା ନପୂରୁଣୁ ଦଳ ତାଙ୍କୁ ଏପରି ଏକ ଆସନରୁ ଲୋକସଭା ଲାଗି ପ୍ରାର୍ଥୀ କରିଛି ଯେଉଁ ଆସନ ଉପରେ ସମସ୍ତଙ୍କ ଫୋକସ ଥାଏ ଅର୍ଥାତ କଟକ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇଛନ୍ତି ପ୍ରକାଶ ମିଶ୍ର। ଯାହାପରେ ଚର୍ଚ୍ଚା ହେଉଛି ବିଜେପି ଆଉଜଣେ ବାବୁଙ୍କୁ ଭରସିଛି।
କଟକ ଲୋକସଭା ଆସନ ଲାଗି ବିଜେପି ଏଥର ଜଣେ ନୂଆ ମୁହଁଙ୍କୁ ବାଛିଛି। ଯେ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି। ଏହାସହ କିଛିଦିନ
ସେ କେନ୍ଦ୍ରରେ କାମ କରିଛନ୍ତି। ନିକଟରେ ସେ ଅବସର ନେଇଛନ୍ତି।
୨୦୧୪ରେ ଓଡ଼ିଶାର ଡିଜିପି ଥିଲେ ପ୍ରକାଶ ମିଶ୍ର। ପ୍ରକାଶଙ୍କର ରାଜ୍ୟସରକାରଙ୍କ ସହ ସେତେଟା ଭଲ ପଡ଼ୁନଥିଲା ଏପରିକି ସେହି ସମୟରେ ପ୍ରକାଶଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା ଯେଉଁ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା କୁହାଯାଉଛି ଏହି ପ୍ରସଙ୍ଗକୁ ନେଇ ପ୍ରକାଶ ମିଶ୍ରଙ୍କୁ ଅସ୍ତ୍ର କରିପାରେ ।
ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାଏଁ କଟକ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହାନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ପ୍ରକାଶ ମିଶ୍ର କହିଛନ୍ତି, “ମୋର ରାଜନୀତରେ ଯୋଗ ଦେବା ଲାଗି ସେମିତି କୌଣସି ଅଭିଳାଷ ନଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଛ। ଯାହାପରେ ମୁଁ ବିଜେପିରେ ସାମିଲ ହୋଇଛି।”
ତେବେ ଦେଖାଯାଉ ବିଜେପିକୁ ପ୍ରକାଶ କେତେ ସୁହଉଛନ୍ତି। ଏଥରର କଟକ ଲୋକସଭା ଆସନ କାହା ପାଖକୁ ଯାଉଛି। କାରଣ ପୂର୍ବରୁ କଟକ ଲୋକସଭା ଆସନ ଗତ ୪ଥର ହେବ ଭର୍ତ୍ତୃହରି ମହତାବ ସାଂସଦ ରହିଆସିଛନ୍ତି। ଏଥରର କଟକ ଲୋକସଭା ଆସନ ଲାଗି ପ୍ରାର୍ଥୀ ଚୟନ ଏକ ରୋଚକ ମୋଡ ନେବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।


















