ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ) ଦିନକୁ ଦିନ ବଢୁଛି ଖରାର ତାତି। ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଲାଣି। ତାତିର ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଫ୍ୟାନ ଆଉ କାମ ଦେଉନାହିଁ। ତେଣୁ ଧନିକ ଓ ମଧ୍ୟବିତ୍ତ ପରିବାର ଘରେ ଏସି ଓ କୁଲର ଲଗାଉଛନ୍ତି। ଅପରପକ୍ଷରେ ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବେଣାଚେର ପରଦା ବ୍ୟବହାର କରୁଛନ୍ତି। ସ୍ୱଳ୍ପ ମୂଲ୍ୟରେ ଘରକୁ ଥଣ୍ଡା ରଖୁଥିବାରୁ ଏହାର ଆଦର ଏବେ ବି ରହିଛି। ଏହାଛଡା କିଛି ସରକାରୀ ଓ ବେସରକାରୀ ଅଫିସ୍, ବ୍ୟାଙ୍କ ଓ ହସ୍ପିଟାଲଗୁଡ଼ିକରେ ମଧ୍ୟରେ ଏହା ବ୍ୟବହୃତ ହେଉଛି।
କଟକ ରାଣୀହାଟ ପୋଲ କଡ଼ରେ କିଛି ମହିଳା ଓ ତାଙ୍କ ପରିବାର ସଦସ୍ୟମାନେ ବେଣାଚେର ପରଦା ତିଆରି କରୁଛନ୍ତି। ଏଥିନିମନ୍ତେ ଆବଶ୍ୟକ ହେଉଥିବା କଞ୍ଚାମାଲ ଚଣ୍ଡିଖୋଲ, ଢେଙ୍କାନାଳ, ଆଠଗଡ, ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରୁ ଆସିଥାଏ। ସାଧାରଣତଃ ଝରକା ଓ ଘର ଦ୍ୱାରର ମାପ ଅନୁସାରେ କାରିଗରମାନେ ନାଇଲନ୍ ସୂତା ଓ ବେତ ଦେଇ ଏହାକୁ ବୁଣିଥାନ୍ତି।
ସଂପ୍ରତି ବଜାରରେ ଦୁଇ ପ୍ରକାର ବେଣାଚେର ପରଦା ଉପଲବ୍ଧ ହେଉଛି। ଗୋଟିଏ ହେଲା ହାତ ତିଆରି ଓ ଅନ୍ୟଟି କେରଳର ମେସିନ ତିଆରି ବେଣାଚେର ପରଦା। କେରଳର ମେସିନ ତିଆରି ପରଦା ଦେଖିବାକୁ ଆକର୍ଷଣୀୟ ହେବା ସହିତ ଏହା ଦୀର୍ଘ ସ୍ଥାୟୀ ହୋଇଥିବାରୁ ଏହାର ଚାହିଦା ଅଧିକ ରହିଛି। ତେବେ କାରିଗରମାନେ କେରଳରୁ ପରଦା ଆଣି ସେଥିରେ ଚାରି କଡ଼ରେ କପଡ଼ା ଲଗାଇ ସିଲାଇ କରି ଏହାକୁ ବିକ୍ରି କରୁଛନ୍ତି।
କେରଳ ତିଆରି ବେଣାଚେର ପରଦାର ମୂଲ୍ୟ ପ୍ରତି ବର୍ଗଫୁଟ ୪୫ ଟଙ୍କା ରହିଛି। ସେହିପରି ହାତ ତିଆରି ବେଣାଚେର ପରଦାର ମୂଲ୍ୟ ପ୍ରତି ବର୍ଗଫୁଟକୁ ୩୫ ଟଙ୍କା ରହିଛି। ଏହାଛଡ଼ା କାରିଗରମାନେ କୁଲର ଗୁଡ଼ିକରେ ମଧ୍ୟ ବେଣାଚେର ଲଗାଇ ବିକ୍ରି କରୁଛନ୍ତି। ଏହି ପରଦା ଲଗାଇବା ଫଳରେ ଘର ଥଣ୍ଡା ଲାଗିବା ସହ ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଏହାକୁ ଗ୍ରାହକ ବେଶ ପସନ୍ଦ କରୁଛନ୍ତି।
କାରିଗର ହାତକୁ ବର୍ତ୍ତମାନ ଆଉ ଫୁରସତ ନାହିଁ। ପୁରା ବର୍ଷକ ମଧ୍ୟରେ ଖରା କିଛି ମାସ ବେଣାଚେର ପରଦାର ବ୍ୟବସାୟ ଭଲ ହୋଇଥାଏ ବୋଲି କାରିଗର ବି ଭେଙ୍କଟେଶ କହିଛନ୍ତି। ପ୍ରତିବର୍ଷ ଫେବୃଆରୀରୁ ବେଣାଚେର ପରଦା ପ୍ରସ୍ତୁତି ଆରମ୍ଭ ହୋଇ ଜୁନ ମାସ ଯାଏଁ ଚାଲିଥାଏ। କାରିଗରମାନେ ବେଣାଚେର ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ପଠାଇଥାନ୍ତି। ଗତ କିଛି ବର୍ଷ ହେବ ଏହି ସାମଗ୍ରୀର ଦାମ୍ ବିଶେଷ ବୃଦ୍ଧି ହୋଇନଥିବାରୁ ଏହି କାର୍ଯ୍ୟରେ ନିୟୋଜିତ ଥିବା କାରିଗରମାନଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି।
ଚଳିତବର୍ଷ ରୌଦ୍ରତାପର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବେଣାଚେର ନିର୍ମିତ ସାମଗ୍ରୀର ବିକ୍ରି ଭଲ ହେବ ବୋଲି କାରିଗରମାନେ ଆଶା ରଖିଛନ୍ତି।
















