ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ) ବାରବାଟୀ-କଟକ ବିଧାନସଭା ଆସନ ଏବେ ସବୁ ଦଳର ଫୋକସ୍ରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଦେଇଛନ୍ତି।
ବିଜେଡିରୁ ଦେବାଶିଷ ସାମନ୍ତରାୟ , ବିଜେପିରୁ ସମୀର ଦେ ଓ କଂଗ୍ରେସରୁ ମହମ୍ମଦ୍ ମୋକିମ୍ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସାମନ୍ତରାୟଙ୍କୁ ବିଜେଡି ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି।
୨୦୧୪ରେ ବିଜେପି ପକ୍ଷରୁ ସାଂସଦ ପାର୍ଥୀ ଭାବେ ନିର୍ବାଚନ ଲଢିଥିବା ସମୀର ଦେ ୨୦୧୯ରେ ପୁଣି ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି କଂଗ୍ରେସ ଦଳ ପକ୍ଷରୁ ଇଂ ମୋକିମ୍ଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଇଛି।
୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସାମନ୍ତରାୟଙ୍କୁ ବାରବାଟୀ-କଟକ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ସାମନ୍ତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳ ସୁରେଶ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ସାମନ୍ତରାୟ ଏହି ନିର୍ବାଚନରେ ୫୨ହଜାର ୯୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ମହାପାତ୍ରଙ୍କୁ ୨୭ ହଜାର ୬୧୨ ଖଣ୍ଡ ଭୋଟ ମିଳିଥିଲା। ସେହିପରି ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ସମୀର ଦେ ଙ୍କୁ ୧୫ ହଜାର ୧୩୧ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ୨୦୧୪ ନିର୍ବାଚନରେ ସାମନ୍ତରାୟ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ସାମନ୍ତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମହମ୍ମଦ ମୋକିମଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ସାମନ୍ତରାୟଙ୍କୁ ୫୭ ହଜାର ୬୩୩ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋକିମଙ୍କୁ ୪୩ ହଜାର ୩୩୫ ଖଣ୍ଡ ଭୋଟ ମିଳିଥିଲା। ଏହାଛଡା ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ସ୍ୱାଇଁଙ୍କୁ ମାତ୍ର ୨୦ ହଜାର ୫୪୪ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
୨୦୧୯ରେ ବିଜେପି ପୁଣି ସମୀର ଦେ ଓ କଂଗ୍ରେସ ମୋକିମଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ସାମନ୍ତରାୟଙ୍କୁ ପୁଣି ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ଏହି ତିନି ପୁରୁଣା ହେଭିୱେଟଙ୍କ ମଧ୍ୟରେ ରାଜନୈତିକ ଲଢେଇକୁ ନେଇ ଏବେ ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି।
ଏଥି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ମୋକିମ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ମୋକିମ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ସମୀର ଦେ ବିଭିନ୍ନ ସଂଗଠନକୁ ନେଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଖୁବ୍ ଶୀଘ୍ର ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ସୂଚନା ମିଳିଛି।
ଚଳିତ ବର୍ଷ ବାରବାଟୀ- କଟକ ବିଧାନସଭା ଆସନରେ ବିଜେଡି , ବିଜେପି ଓ କଂଗ୍ରେସ ଦଳର ତିନି ନେତାଙ୍କ ମଧ୍ୟରେ ଟକ୍କର ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
















