ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଯେଉଁ ଦଳର ମୁଖିଆ ନିଜେ ନିର୍ବାଚନ ଲଢ଼ୁନାହାନ୍ତି ସେ ଦଳ ରାଜ୍ୟରେ କି ପରିବର୍ତ୍ତନ ଆଣିବ ବୋଲି ପ୍ରଶ୍ନ ଉଠାଇଛି ବିଜେଡି।

ଓଡ଼ିଶାରେ ବିଜେପିର ‘ପରିବର୍ତ୍ତନ’ ସ୍ଲୋଗାନର ଆଜି କଡ଼ା ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ରଖିଛନ୍ତି। ଯେଉଁଦଳର ସେନାପତି ନିଜେ ଯୁଦ୍ଧରେ ଲଢ଼ିବାକୁ ଡରୁଛନ୍ତି, ସେ ଦଳ କି ପରିବର୍ତ୍ତନ ଆଣିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସସ୍ମିତ।

ବିଜେଡି କହିଛି ଯେ ଧର୍ମେନ୍ଦ୍ର ଜଣେ ଭିରୂ। ଅସଲ ଯୁଦ୍ଧ ବେଳେ ସାମ୍ନାରୁ ଲଢ଼େଇ ନକରି ‘ବ୍ୟାକଡୋର’ରେ ପସିବା ହେଉଛି ତାଙ୍କର ଅଭ୍ୟାସ। “ଯଦି ସାହାସ ଅଛି ଧର୍ମେନ୍ଦ୍ର ଘୋଷଣା କରନ୍ତୁ ଯେ ସେ ଓଡ଼ିଶାର କେଉଁ ଆସନରୁ ଲଢ଼ିବାକୁ ଯାଉଛନ୍ତି। ତାହା ନହେଲେ ତାଙ୍କ ଭିତରେ ଯେ ଭୟ ଘାରିଛି ଏ କଥା ସ୍ପଷ୍ଟ ହୋଇଯିବ”, ମିଡିଆ ଆଗରେ ଏହି ଆହ୍ୱାନ ରଖିଛନ୍ତି ବିଜେଡି ମୁଖପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଅତୀତରେ ୨୦୦୦ ଓ ୨୦୦୪ରେ ନବୀନବାବୁଙ୍କ ହାତ ଧରି ଧର୍ମେନ୍ଦ୍ର ନିର୍ବାଚନୀ ନଦୀ ପାର ହୋଇଥିଲେ। ୨୦୦୦ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ ସେ ସାଂସଦ ହୋଇଥିଲେ। ତେବେ ୨୦୦୯ରେ ବିଜେଡି ତାଙ୍କ ଦଳର ହାତ ଛାଡ଼ିଦେବା ପରେ ଧର୍ମେନ୍ଦ୍ର ଆଉ ସେ ସାହସ କରିପାରିନଥିଲେ।

୨୦୧୪ରେ ଧର୍ମେନ୍ଦ୍ର ପ୍ରତ୍ୟକ୍ଷ ଭୋଟ ରାଜନୀତିରେ ଠିଆ ହୋଇନଥିଲେ। ୨୦୧୯ରେ ମଧ୍ୟ ସେ ଲଢିବା ବାବଦରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। “ଧର୍ମେନ୍ଦ୍ରଙ୍କ ଭିତରେ ହାରିବାର ଭୟ ବଢ଼ିଯାଇଛି। ଯଦି ବିଜେପି ବିଭିନ୍ନ ଦଳରୁ ନେତା ଗୋଟାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ତେବେ ଧର୍ମେନ୍ଦ୍ର କାହିଁକି ନିଜେ ଲଢ଼ୁନାହାନ୍ତି। ନବୀନ ପଟ୍ଟନାୟକ ଦୁଇଟ ଆସନରୁ ଲଢ଼ିବା ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ସେ କାହିଁକି ନିଜେ ଗୋଟିଏ ବି ଆସନରୁ ନିର୍ବାଚନ ଲଢ଼ୁନାହାନ୍ତି।”, ଏହି ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ବିଜେପି ବାରମ୍ବାର ୧୨୦ପ୍ଲସର ମିଶନ କଥା କହୁଛି। ଏପରିକି ଲୋକସଭାର ୨୧ରୁ୨୧ ଆସନ ପାଇବେ ବୋଲି ଦଳ ଦାବି କରୁଛି। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ନା ବିଧାନସଭା ନା ଲୋକସଭା କେଉଁଛି ହେଲେ ପ୍ରାର୍ଥୀ ହୋଇନାହାନ୍ତି। “ସବୁବେଳେ ଧର୍ମେନ୍ଦ୍ର ବ୍ୟାକ୍‌ଡୋର ଏଣ୍ଟ୍ରିରେ ବିଶ୍ୱାସ କରି ଆସିଛନ୍ତି। ତେଣୁ ଓଡ଼ିଶାରେ ଠିଆ ହୋଇ ହାରିଗଲେ ସେ ଆଗକୁ ହୁଏତ କେନ୍ଦ୍ରମନ୍ତ୍ରୀ ବି ହୋଇପାରିବେ ନାହିଁ”, କହିଛନ୍ତି ସସ୍ମିତ।

LEAVE A REPLY

Please enter your comment!
Please enter your name here