ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସ୍କା ଲୋକସଭା ଆସନର ପୋଲସରାରେ ନିର୍ବାଚନୀ ସଭା କରିଛନ୍ତି ଅମିତ ଶାହ।
‘‘ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦିଅ। ୧୯ ବର୍ଷ ହେଲା ନବୀନ ବାବୁଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ଓପାଡ଼ି ଫିଙ୍ଗି ଦେବା ସହ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦିଅ’’, ପୋଲସରା ସଭାରେ ଏହା କହିଛନ୍ତି ଅମିତ ଶାହ।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଗଞ୍ଜାମ ଜିଲ୍ଲାର ପୋଲସରାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ସେ ନବୀନ ସରକାର ଉପରେ ହମଲା କରିଥିଲେ।
ମୋଦି ଦେଲେ ଟଙ୍କା, କୁଆଡ଼େ ଗଲା?
ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାର ବିକାଶ ପାଇଁ ଗତ ୫ ବର୍ଷ ଭିତରେ ୫ ଲକ୍ଷ ୫୬ ହଜାର ୫୫୬ କୋଟି ଟଙ୍କା ଦେଇଥିଲେ। ହେଲେ ଏହି ଟଙ୍କା କୁଆଡ଼େ ଗଲା? ଏହି ଟଙ୍କା ଓଡ଼ିଶାର ମହିଳା, ଯୁବକ, କୃଷକମାନଙ୍କ କଲ୍ୟାଣ ପାଇଁ ଆସିଥିଲା। କିନ୍ତୁ ତାହା ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ସରକାରୀ ବାବୁମାନେ ଟଙ୍କା କ’ଣ କଲେ ତାର ଜବାବ ଦେବାକୁ ଶାହ କହିଥିଲେ।
ସୁରତରେ ଦାଦନ ଖଟୁଛନ୍ତି ଓଡ଼ିଆ
୧୯ ବର୍ଷର ଶାସନ କାଳ ଭିତରେ ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ନବୀନ ବାବୁ କିଛି କରିପାରିଲେ ନାହିଁ। ସେମାନଙ୍କୁ ନିଜ ରାଜ୍ୟରେ ରୋଜଗାର ଦେଇ ପାରିଲେ ନାହିଁ। ଫଳରେ ଓଡ଼ିଆ ପୁଅ ସୁରତରେ ଯାଇ ଦାଦନ ଖଟୁଛନ୍ତି। ଓଡ଼ିଆ ପୁଅର ଶ୍ରମ ଦାନରେ ଗୁଜରାଟ ବିକଶିତ ହେଉଛି। କିନ୍ତୁ ଓଡ଼ିଶା ହୋଇପାରୁ ନାହିଁ। ବିଜେପି ସରକାର ଓଡ଼ିଶାରେ ଆସିଲେ ଯୁବକମାନଙ୍କୁ ନିଜ ଜିଲ୍ଲାରେ ହିଁ ରୋଜଗାର ମିଳିବ।
୫ ବର୍ଷ ସୁଯୋଗ ଦିଅ
‘‘ନବୀନ ବାବୁଙ୍କ ସରକାରକୁ ଆପଣ ୧୯ ବର୍ଷ ହେଲା କ୍ଷମତାରେ ରଖିଛନ୍ତି। ହେଲେ ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ। ଦେଖିବେ ଓଡ଼ିଶାର ଭାଗ୍ୟ କେମିତି ବଦଳୁଛି?’’, କହିଥିଲେ ଶାହ।
ଓଡ଼ିଶାରେ ଜାତୀୟ ରାଜପଥଠାରୁ ଆରମ୍ଭ କରି ରେଳବାଇ, ବନ୍ଦର ଆଦିର ବିକାଶ କେବଳ ବିଜେପି ସରକାର ପାଇଁ ସମ୍ଭବ ହୋଇଛି। କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେପି ସରକାର ଆସିଲେ ନିଶ୍ଚିତ ଓଡ଼ିଶାର ବିକାଶ ହେବ।
ମୋଦିଙ୍କ ହାତରେ ଦେଶ ସୁରକ୍ଷିତ
‘‘୧୦ ବର୍ଷ ହେଲା ଉପା ସରକାର ଦେଶକୁ ଶାସନ କରୁଥିଲା। ସେ ସମୟରେ ପାକିସ୍ତାନରୁ ଆତଙ୍କବାଦୀ ଆସି ଭାରତରେ ବିସ୍ଫୋରଣ କରି ଚାଲି ଯାଉଥିଲେ। କିନ୍ତୁ ଭାରତ କିଛି ଜବାବ ଦେଇ ପାରୁ ନଥିଲା। ହେଲେ ଏବେ ସେ ଦିନ ଆଉ ନାହିଁ। ପାକିସ୍ତାନ ପଟୁ ଗୁଳି ଆସିଲେ ଭାରତ ତାର ଜବାବ ଦେଉଛି। ଏହାର ପ୍ରମାଣ ଏୟାରଷ୍ଟ୍ରାଇକ’’, କହିଥିଲେ ଅମିତ ଶାହ।
ପାକିସ୍ତାନରେ ଏୟାରଷ୍ଟ୍ରାଇକ କରି ମୋଦି ସରକାର ଶତ୍ରୁ ରାଷ୍ଟ୍ରକୁ ଦୃଢ଼ ଜବାବ ଦେଇଛନ୍ତି। ଏହାକୁ ସାରା ଦେଶର ଯୁବକମାନେ ପ୍ରଶଂସା କରୁଛନ୍ତି। ହେଲେ ରାହୁଲ ଗାନ୍ଧି ଏବଂ ତାଙ୍କ ଦଳର ଲୋକମାନଙ୍କୁ ଏହା ପସନ୍ଦ ଆସୁ ନାହିଁ।








ଆସ୍କା ଲୋକସଭା ଆସନର ପୋଲସରାରେ ନିର୍ବାଚନୀ ସଭା କରିଛନ୍ତି ଅମିତ ଶାହ।









